ବୈଶିଙ୍ଗା: ମାଆ ଓ ସ୍ତ୍ରୀଙ୍କୁ ଅଶ୍ଳୀଳ କମେଣ୍ଟ ଘଟଣାରେ ଥାନାକୁ ଏତଲା ଦେବାକୁ ଯାଉଥିବା ବେଳେ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଦୁଇଭାଇ। ଅଭିଯୁକ୍ତମାନେ ସେମାନଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ବଡ଼ଭାଇ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସାନଭାଇ ସାମାନ୍ୟ ଆହତ ହୋଇଛି। ସୋମବାର ସନ୍ଧ୍ୟାରେ ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ପୁରୁଣିଆ ଉପକଣ୍ଠ ଡାଳଭଙ୍ଗା ଛକରେ ଏହି ଘଟଣା ଘଟିଛି। 
ପୁରୁଣିଆ ଗ୍ରାମର ହରେକୃଷ୍ଣ ପାଢ଼ୀଙ୍କ ପୁଅ ଶ୍ରୀରାମ ପାଢ଼ୀଙ୍କ ଅଭିଯୋଗ ମୁତାବକ ତାଙ୍କ ମାଆ ବୀଣାପାଣି ଓ ସ୍ତ୍ରୀ ମାମା ପୁରୁଣିଆସ୍ଥିତ ଫାର୍ମହାଉସ୍‌କୁ ସୋମବାର ଅପରାହ୍‌ଣରେ ଯାଉଥିବା ବେଳେ କିଛି ଯୁବକ ଅଶ୍ଳୀଳ କମେଣ୍ଟ କରିଥିଲେ। ଶ୍ରୀରାମ ଏନେଇ ବୈଶିଙ୍ଗା ପୁଲିସକୁ ଖବର ଦେବାପରେ ପୁଲିସ ଘଟଣାସ୍ଥଳ ପରିଦର୍ଶନ କରି ଫେରି ଆସିଥିଲା ଓ ଥାନାକୁ ଆସି ଏତଲା ଦେବାକୁ କହିଥିଲା। ସନ୍ଧ୍ୟା ୫ଟା ସମୟରେ ଶ୍ରୀରାମ ଓ ତାଙ୍କ ବଡ଼ଭାଇ କାର୍ତ୍ତିକଚନ୍ଦ୍ର ଏତଲା ଦେବାକୁ ବୈଶିଙ୍ଗା ଥାନାକୁ ଯାଉଥିଲେ। ତେବେ ଥାନାରେ ପହଞ୍ଚିବା ପୂର୍ବରୁ ପୁରୁଣିଆ ଉପକଣ୍ଠ ଡାଳଭଙ୍ଗା ଛକରେ ଜଗି ରହିଥିବା ବଡ଼ଗୋପାଳପୁର ଗ୍ରାମର ସଞ୍ଜୟ ବେହେରା ଓ ୧୦ଜଣ ସହଯୋଗୀ ଦୁଇଭାଇଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ସାନଭାଇ ଶ୍ରୀରାମ ଘଟଣାସ୍ଥଳରୁ ଜୀବନ ବଞ୍ଚାଇ ପଳାଇଥି‌ଲେ। କାର୍ତ୍ତିକ ଚେତାଶୂନ୍ୟ ହୋଇ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଭାବି ଆକ୍ରମଣକାରୀମାନେ ସେଠାରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ କାର୍ତ୍ତିକଙ୍କୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନା ଓ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।