ଜଗତସିଂହପୁର : ପୁଣି କାଳ ହେଲା ବ୍ଲାକ୍ରୋଜ । ସମୁଦ୍ରରେ ବୁଡ଼ି ରହିଥିବା ଏହି ଜାହାଜରେ ଏକ ମାଛ ଧରା ଟ୍ରଲର ପିଟି ହୋଇ ଓଲଟିପଡ଼ିଛି । ଫଳରେ ସେଥିରେ ଥିବା ୯ ଜଣ ମତ୍ସ୍ୟଜୀବୀ ଭାସି ଯାଇଥିଲେ ହେଁ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୪ ଜଣ ନିଖୋଜ ହୋଇଯାଇଛନ୍ତି।। ଖବର ଲେଖା ହେବା ସୁଦ୍ଧା ସେମାନଙ୍କର କୌଣସି ପତ୍ତା ମିଳି ନାହିଁ । ଏ ସମସ୍ତ ମତ୍ସ୍ୟଜୀବୀ ଆନ୍ଧ୍ରପ୍ରଦେଶର ବୋଲି ବୋଲି ଜଣାପଡ଼ିଛି। ନିଖୋଜ ୪ ଜଣଙ୍କୁ ଉଦ୍ଧାର କରିବା ପାଇଁ ସାମୁଦ୍ରିକ ଥାନା ପୁଲିସ ଜୋରଦାର ପ୍ରୟାସ ଚଳାଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ଆଜି ସକାଳୁ ପାରାଦୀପ ମାଛ ଧରା ବନ୍ଦରରୁ 'ମା' ମୀନା' ନାମକ ଏକ ଟ୍ରଲର ବାହାରିଥିଲା । ଏହି ଟ୍ରଲରଟି ସମୁଦ୍ର ମଧ୍ୟରେ ବୁଡ଼ି ରହିଥିବା ବ୍ଲାକରୋଜ୍ ଦିଗରେ ଯାଉଥିଲା । ଯେହେତୁ ଏହି ସ୍ଥାନରେ କୌଣସି ସାଙ୍କେତିକ ଚିହ୍ନ କିମ୍ବା ଅନ୍ୟ କୌଣସି ସୁବିଧା ନାହିଁ, ସେଥିପାଇଁ ଟ୍ରଲର ଚାଳକ ଜଣକ ବ୍ଲାକରୋଜ୍ ସଂପର୍କରେ କିଛି ଜାଣିପାରିନଥିଲ। ଫଳରେ ଟ୍ରଲରଟି ବହୁ ଜୋରରେ ଏହି ଜାହାଜରେ ପିଟି ହୋଇଯାଇଥିଲା । କିଛି ବୁଝିବା ପୂର୍ବରୁ ଦିନ ପ୍ରାୟ ୧୨ଟା ବେଳେ ଟ୍ରଲରଟି ଓଲଟି ପଡ଼ିଥିଲା। ଏଣୁ ସେଥିରେ ଥିବା ସମସ୍ତ ୯ ଜଣ ଯାକ ମତ୍ସ୍ୟଜୀବୀ ସମୁଦ୍ରରେ ଭାସି ଯାଇଥିଲେ।
ଏହି ସମୟରେ ସେମାନଙ୍କ ପଛରେ ଆସୁଥିବା ଅନ୍ୟ ମାଛ ଧରା ଟ୍ରଲର ତୁରନ୍ତ ଭାସି ଯାଉଥିବା ଏହି ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଖବର ପାଇ ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି କରିଛି। ଉଦ୍ଧାର ହୋଇଥିବା ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି ।
ବ୍ଲାକ୍ରୋଜରେ ଟ୍ରଲର ପିଟି ହେବା କିଛି ନୂଆ କଥା ନୁହେଁ । ଗତବର୍ଷ ନଭେମ୍ବର ୬ ତାରିଖରେ ବାଲେଶ୍ୱରର ଜଗତଜନନୀ ନାମକ ଏକ ଟ୍ରଲର ଏହି ଜାହାଜରେ ପିଟି ହୋଇଯାଇଥିଲା । ସେଥିରେ ଥିବା ୫ ଜଣ ମତ୍ସ୍ୟଜୀବୀଙ୍କୁ ଭାସି ଯାଉଥିବା ବେଳେ ଉଦ୍ଧାର କରାଯାଇଥିଲା । ଏ ନେଇ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା) ବାରମ୍ବାର ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ଯାଏ ସମସ୍ତଙ୍କୁ ଅଭିଯୋଗ କରିଛନ୍ତି । ମାତ୍ର ବ୍ଲାକ୍ରୋଜ ବୁଡ଼ିକୁ ୧୧ ବର୍ଷ ବିତିଯାଇଥିଲେ ମଧ୍ୟ କିଛି ବି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଜାହାଜ ବୁଡ଼ିବା ସମୟରେ ଏଥିରେ ୨୩,୮୪୭ ଟନ୍ ଆଇରନ ଓର (ଫାଇନସ୍), ୯୨୪ ଟନ୍ ଫର୍ଣ୍ଣେସ୍ ତେଲ, ୫୦ ଟନ୍ ଡିଜେଲ ଓ ୪୦ ଟନ୍ ଗ୍ରିସ୍ ଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/black-rose.jpg)