ଓଡ଼ିଆ ପ୍ରତି ବୈମାତୃକ ମନୋଭାବ: ପରୀକ୍ଷାର୍ଥୀଙ୍କ ସମସ୍ୟା ବୁଝିଲାନି ସିବିଏସ୍‌ଇ

ଭୁଲ୍‌ ପ୍ରଶ୍ନର ଉତ୍ତର ଲେଖି ପିଲା ହଟହଟା, କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଅଭିଭାବକ

ଭୁବନେଶ୍ୱର : ଓଡ଼ିଆ ଭାଷା ବିରୋ‌ଧରେ ଏକ ସାଂଘାତିକ ଷଡ଼୍‌ଯନ୍ତ୍ର ପଦାକୁ ଆସିଛି। ଖୋଦ୍‌ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଏଭଳି ଷଡ଼୍‌ଯନ୍ତ୍ର ରଚନା କରିଛି। ଓଡ଼ିଆ ଭାଷା ଶିକ୍ଷା‌ ପ୍ରତି ସ୍କୁଲ ପିଲାଙ୍କ ମନରେ କିଭଳି ଆଗ୍ରହ ସୃଷ୍ଟି ନହେବ, ସେଥିପାଇଁ ରୀତିମତ ଯୋଜନା ପ୍ରସ୍ତୁତ କରାଯାଇଛି। ସଦ୍ୟ ପ୍ରକାଶିତ ସିବିଏସ୍‌ଇ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷା ଫଳରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ଅଭିଯୋଗ ହୋଇଛି ଯେ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିଲା। ମଲଟିପୁଲ୍‌ ଚଏସ୍‌ ବିଶିଷ୍ଟ ପ୍ରଶ୍ନଗୁଡ଼ିକରେ ଯେଉଁ ସବୁ ଉତ୍ତର ଉଲ୍ଲେଖ ରହିଥିଲା ସେଥିରୁ ପାଖାପାଖି ୨୦ଟି ଭୁଲ୍‌ ଥିଲା। ଯେଉଁଥିପାଇଁ ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ପଡ଼ି ଉତ୍ତର ଲେଖିଥିଲେ। ଏମିତି କିଛି ପ୍ରଶ୍ନ ରହିଥିଲା ଯାହାକୁ ପିଲାମା‌ନେ ବୁଝି ପାରି ନ ଥିଲେ। ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁଙ୍କ ପରି ଓଡ଼ିଶାର ମହାନ ବିପ୍ଳବୀଙ୍କ ବିଷୟରେ ଭୁଲ୍‌ ତଥ୍ୟ ଉପସ୍ଥାପନା କରାଯାଇଥିଲା। ଛାତ୍ରଛାତ୍ରୀ ବହୁ କଷ୍ଟରେ ପ୍ରଶ୍ନଗୁଡ଼ିକୁ ବୁଝି ସଠିକ୍‌ ଉତ୍ତର ଲେଖିଥିଲେ ମଧ୍ୟ ସେମାନଙ୍କୁ ଉଚିତ୍‌ ମାର୍କ ମିଳିନାହିଁ। ଭୁଲ୍‌ ପ୍ରଶ୍ନପତ୍ର ସାଙ୍ଗକୁ ଠିକ୍‌ ମୂଲ୍ୟାୟନ ହୋଇ ନ ଥିବାରୁ ଛାତ୍ରଛାତ୍ରୀଙ୍କର ମାର୍କ କମିଯାଇଥିବା ଅଭିଭାବକ ଅଭିଯୋଗ ଆଣିଛନ୍ତି।

ଏଥିସହ ପୁନଃମୂଲ୍ୟାୟନ ଲାଗି ମଧ୍ୟ ଦାବି କରିଛନ୍ତି।

DNA India

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପ୍ରଶ୍ନପତ୍ର ଭୁଲ୍‌ ହୋଇଥିବା ନେଇ ଅଭିଭାବକମାନେ ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଶ୍ନପତ୍ରରେ ପ୍ରାୟ ୨୦ଟି ପ୍ରଶ୍ନର ଭୁଲ୍‌ ଉତ୍ତର ଲେଖାଥିବା ସେମାନେ ଜଣାଇଥିଲେ। ଦାବି ଉପସ୍ଥାପନ ବେଳେ ଏନେଇ ବିଚାର କରାଯିବ ବୋଲି ଆଞ୍ଚଳିକ ଅଧିକାରୀ ଅଭିଭାବକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତା’ପରେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ସିବିଏସ୍‌ଇ ମୁଖ୍ୟାଳୟ କିମ୍ବା ଆଞ୍ଚଳିକ ଅଧିକାରୀ କେହି ବି ପିଲାଙ୍କ ସମସ୍ୟା ପ୍ରତି କୌଣସି ଦୃଷ୍ଟି ଦେଲେନି। ପରିଣାମ ସ୍ବରୂପ ଛାତ୍ରଛାତ୍ରୀ ଏବେ କାନ୍ଦୁଛନ୍ତି। ନ୍ୟାୟ ପାଇବା ପାଇଁ ସ୍କୁଲକୁ ଦୌଡ଼ୁଛନ୍ତି। ସ୍କୁଲ କର୍ତୃପକ୍ଷ ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀଙ୍କୁ ଯୋଗ‌ାଯୋଗ କରୁଥିଲେ ମଧ୍ୟ ସେମାନେ ଶୁଣୁନାହାନ୍ତି। ଆହୁରି ଅଭିଯୋଗ ହୋଇଛି ଯେ ମୂଲ୍ୟାୟନ ଲାଗି ମୂଲ୍ୟାୟନକାରୀମାନଙ୍କୁ ଯେଉଁ ଉତ୍ତର ସିଟ୍‌ ଦିଆଯାଇଥିଲା ତାହା ବି ଭୁଲ୍‌ ଥିଲା। କିନ୍ତୁ ମୂଲ୍ୟାୟନକାରୀ ତାହା ଜାଣିପାରିଲେ ନାହିଁ। ଉତ୍ତର ସିଟ୍‌ ଯେଉଁଭଳି ଭାବେ ଥିଲା ମୂଲ୍ୟାୟନ ମଧ୍ୟ ସେଭଳି କରିଦେଇଛନ୍ତି।

ଅନ୍ୟ ପକ୍ଷରେ ଦଶମ ଶ୍ରେଣୀ ଟର୍ମ-୨ ପରୀକ୍ଷା ପାଇଁ ଜାରି କାର୍ଯ୍ୟସୂଚୀରେ ଓଡ଼ିଆ ବିଷୟକୁ ଅଣଦେଖା‌ କରାଯାଇଥିବା ନଜରକୁ ଆସିଛି। ଦୁଇଟି ବିଷୟ ପରୀକ୍ଷା ମଧ୍ୟରେ କିଛି ଦିନ ବ୍ୟବଧାନ କରିଥିଲେ ମଧ୍ୟ ଓଡ଼ିଆ ବିଷୟରେ ସେଭଳି କିଛି କରାଯାଇ ନାହିଁ। ଛାତ୍ରଛାତ୍ରୀଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ ଥିବା ଗଣିତ ପରୀକ୍ଷା ମେ’ ୫ରେ କରିବାକୁ ସ୍ଥିର ହୋଇଛି। ଏହାର ଠିକ୍‌ ପରଦିନ ଅର୍ଥାତ୍‌ ମେ’ ୬ରେ ଓଡ଼ିଆ ପରୀକ୍ଷା ହେବ। କରୋନା କାଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବା ବେଳେ ଏଭଳି ମାନସିକ ଚାପ ପଡ଼ିବା ଦ୍ବାରା ସେମାନେ ଓଡ଼ିଆ ବିଷୟରେ କମ୍‌ ମାର୍କ ରଖିବା ଏକପ୍ରକାର ଥୟ। ଓଡ଼ିଶା ଅଭିଭାବକ ମହାସଂଘ ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ କହିଛନ୍ତି ଯେ ସିବିଏସଇ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷା ଫଳରେ ଗୁରୁତର ତ୍ରୁଟି ହୋଇଛି। ଯେଉଁଥିପାଇଁ ଓଡ଼ିଆ ବିଷୟରେ ହଜାର ହଜାର ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ହୋଇ କମ୍‌ ମାର୍କ ପାଇଛନ୍ତି। ଏନେଇ ପୂର୍ବରୁ ମହାସଂଘର ଏକ ପ୍ରତିନିଧି ଦଳ ସିବିଏସଇ ଭୁବନେଶ୍ୱର କାର୍ଯ୍ୟାଳୟଠାରେ ଆଞ୍ଚଳିକ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲା। ମାତ୍ର ତାହାକୁ କାର୍ଯ୍ୟକାରୀ କରିବାରେ ଅବହେଳା ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ସିବିଏସ୍‌ଇ କର୍ତୃପକ୍ଷ ଏହା ଉପରେ ଗୁରୁତ୍ବ ଦେଇ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର