ଭୁବନେଶ୍ବର (ଭବାନୀ ଶଙ୍କର ତ୍ରିପାଠୀ) : ୟେସା କରିଦେବୁ, ତେସା କରିଦେବୁ। ଏଠି ଏୟା ହେବ, ସେଠି ସେୟା ହେବ। ପ୍ରତି ଘରେ ଘରେ ପହଞ୍ଚିବ ଗାନ୍ଧୀ ବିଚାର। ତିନି ବର୍ଷ ଧରି ରାଜ୍ୟ ସରକାର ମହାମାନବ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ରାଜ୍ୟବାସୀଙ୍କୁ ଏମିତି ସ୍ବପ୍ନ ଦେଖାଇ ଚାଲିଲେ। ୨୦୧୮ ମସିହା ସେପ୍ଟେମ୍ବର ୨୫ତାରିଖରେ ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଅଧ୍ୟକ୍ଷତା କରି ବିଭିନ୍ନ ବିଭାଗକୁ ଦାୟିତ୍ବ ବାଣ୍ଟିଲେ, କିଏ କ’ଣ କରିବେ। ମାଳ ମାଳ କମିଟି ଗଠନ ହେଲା। ମନ୍ତ୍ରୀ, ମୁଖ୍ୟସଚିବ,ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଗାନ୍ଧୀ ବିଚାର ଗବେଷକଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସଦସ୍ୟ ରହିଲେ। ସରକାର ରାଜ୍ୟବାସୀଙ୍କ ସାମ୍ନାରେ ଯେଉଁ ସବୁ ବଡ଼ ନିଷ୍ପତ୍ତି (୪୮ଟି କାର୍ଯ୍ୟକ୍ରମ) ଶୁଣାଇଥିଲେ, ସେଥିପାଇଁ ବିଭାଗମାନଙ୍କୁ ବଜେଟ୍ ପ୍ରସ୍ତୁତ କରିବା ଲାଗି ବି କୁହାଯାଇଥିଲା।
ଆଜି ଦିନର ଚିତ୍ର ହେଉଛି, ସବୁ ବଡ଼ ନିଷ୍ପତ୍ତି ଏବେ ବି ପ୍ରସ୍ତାବ ଭିତରେ ରହିଛି। ଜାତିର ଜନକ ମହାତ୍ମାଗାନ୍ଧୀଙ୍କ କ୍ଷେତ୍ରରେ ସରକାରୀ ପ୍ରତାରଣା ସବୁ ସୀମା ଲଘିଂ ଯାଇଛି। ଖୋଦ୍ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ‘‘ଗାନ୍ଧୀ-୧୫୦ ବିବିଧ କାର୍ଯ୍ୟାବଳୀ’’ ନାମରେ ଯେଉଁ ଦାମୀ କାଗଜରେ ପୁସ୍ତକ ପ୍ରକାଶ କରିଛନ୍ତି, ତାହା ସୂଚାଇ ଦେଉଛି ଯେ ସଭାସମିତି, ବୈଠକ, ଫଟୋ ଚିତ୍ର ପ୍ରଦର୍ଶନୀ ଭିତରେ ସବୁକିଛି ସରିଯାଇଛି। ପୂର୍ତ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଉଚ୍ଚଶିକ୍ଷା, ପର୍ଯ୍ୟଟନ ବିଭାଗ ଆଦି କେହି କିଛି କରିନାହାନ୍ତି। ଏହି ବହିଟି ପୂର୍ବତନ ସଂସ୍କୃତି ନିର୍ଦେଶକ ବିଜୟ କୁମାର ନାୟକ ସଂକଳନ କରିଛନ୍ତି ଓ ଦେବାନନ୍ଦ ବରିହା ସହଯୋଗୀ ଅଛନ୍ତି। ଆହୁରି କୌତୂହଳ କଥା ହେଲା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିଜେ ନିଜ ପୁସ୍ତକରେ ମୁଣ୍ଡକୁ ନେଇଥିବା ସବୁ ଦାୟିତ୍ବ ତୁଲାଇ ନଥିବା କଥା ଜଣାଇ ଦେଇଛି। ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଇଁ ଯେତେସବୁ କାମ ହୋଇଛି, ସେସବୁକୁ ଏକାଠି କରିବା ଲାଗି ପ୍ରସ୍ତୁତ ହୋଇଥିବା ଏହି ବହି ଲାଗି ସରକାରୀ ତହବିଲରୁ ବେଶ୍ ଭଲ ଅର୍ଥ ଖର୍ଚ୍ଚ ହୋଇଥିବ ନିଶ୍ଚୟ। ଏହା କାହାକୁ ବଣ୍ଟାଯାଇଛି କି ବିଭାଗରେ ଗଦା ହୋଇରହିଛି, ତାହା ଜଣାପଡିନାହିଁ। କିନ୍ତୁ ଏହି ବହି ପ୍ରସ୍ତୁତି ପଛର ଉଦ୍ଦେଶ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବେ ଲେଖାଯାଇଛି। ନିଜେ ପୂର୍ବତନ ନିର୍ଦେଶକ ଶ୍ରୀ ନାୟକ ଏହି ପୁସ୍ତିକାର ମୁଖଶାଳାରେ ଲେଖିଛନ୍ତି ଯେ ‘‘ ପୃଥିବୀର ସବୁ ଘଟଣା, ଦୁର୍ଘଟଣା କାଳକ୍ରମେ ବିସ୍ମୃତି ଗର୍ଭରେ ହଜିଯାଏ। ଏହା ଏକ ସ୍ବାଭାବିକ ପ୍ରକ୍ରିୟା। କିନ୍ତୁ ସବୁ ଘଟଣାକୁ ମହାକାଳର ମହାଗ୍ରାସ ଭିତରକୁ ଫିଙ୍ଗି ଦିଆଯିବା ଉଚିତ୍ ନୁହେଁ। ଏଥିପାଇଁ ହିଁ ଏମନ୍ତ ଏକ ପୁସ୍ତକର ପରିକଳ୍ପନା ଓ ପ୍ରକାଶନ। ଅନେକ ଦିନ ପରେ ମଧ୍ୟ କେହି ନା କେହି ବିସ୍ମୃତିର ବାଲୁକା ସ୍ତୂପ ତଳୁ ଏହାର ଉଦ୍ଧାର କରିବେ ଓ ପୁନଃ ଆବିଷ୍କାର କରିବେ ଏହି ଦୁଇବର୍ଷର ସଂକ୍ଷିପ୍ତ ଅର୍ଥାତ୍ ଗୁରୁତ୍ବପୂର୍ଣ୍ଣ ଇତିହାସକୁ।’’
ବାସ୍ତବତା ହେଲା, ଏହି ପୁସ୍ତକ ଏକଥା ମଧ୍ୟ ସବୁଦିନ ପାଇଁ ରେକର୍ଡ କରିଛି ଯେ ମହାତ୍ମାଗାନ୍ଧୀଙ୍କ ପାଇଁ ସରକାର କେତେ ବିଶାଳ ଯୋଜନା କରିଥିଲେ ଓ ସେସବୁ କିଭଳି ପାଣିଫୋଟକା ଭଳି ମିଳାଇଯାଇଛି। କାରଣ ସରକାରଙ୍କ ଅନେକ ନିଷ୍ପତ୍ତିର କାର୍ଯ୍ୟାନ୍ବୟନ ସଂପର୍କରେ ଏହି ପୁସ୍ତିକାରେ କିଛି ବି ରେକର୍ଡ କରାଯାଇନାହିଁ। ଏଇ ଯେମିତି ଓଡ଼ିଶାର ପ୍ରତି ବ୍ଲକରେ ଗୋଟିଏ ଲେଖାଏ କସ୍ତୁରବା ଆଦର୍ଶ ପଞ୍ଚାୟତ ପ୍ରତିଷ୍ଠା କରିବା ଓ ସେ ପଞ୍ଚାୟତରେ ଶତ ପ୍ରତିଶତ ମହିଳା ସାକ୍ଷରତା, ଛାତ୍ରଛାତ୍ରୀ ଅଧାରୁ ପାଠ ନ ଛାଡିବା ପାଇଁ ପଦକ୍ଷେପ ନିଆଯିବା, ପାରିବାରିକ ଓ ଗ୍ରାମ୍ୟ ବିବାଦର ଆପୋସ ସମାଧାନ, କୁଟୀର ଶିଳ୍ପ ଆଦିର ବିକାଶ ଦାୟିତ୍ବ ପଞ୍ଚାୟତିରାଜ ବିଭାଗ ହାତରେ ନ୍ୟସ୍ତ ଥିଲା। ହେଲେ କେଉଁ ସବୁ ପଞ୍ଚାୟତରେ ଏସବୁ ହେଲା, ସେସବୁ ଏଠାରେ ସ୍ଥାନ ପାଇନାହିଁ। ପ୍ରତି ଜିଲ୍ଲା ସଦର ମହକୁମାରେ ଏବଂ ମହାତ୍ମାଗାନ୍ଧୀ ଅବସ୍ଥାନ କରିଥିବା ଗୃହ ଓ ସ୍ବାଧୀନତା ସଂଗ୍ରାମୀ ପୀଠର ପୁନରୁଦ୍ଧାର ନିଷ୍ପତ୍ତି ଦାୟିତ୍ବ ପୂର୍ତ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗକୁ ଦାୟିତ୍ବ ଦିଆଯାଇଥିଲା। କେଉଁ କେଉଁ କ୍ଷେତ୍ରର ବିକାଶ ହେଲା, ଏ ରିପୋର୍ଟ କାର୍ଡରେ ତାହା ସ୍ଥାନ ପାଇନାହିଁ।
ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ବେଳେ ପୁରୀ ଜିଲ୍ଲାର ଡେଲାଙ୍ଗ ଅନ୍ତର୍ଗତ ବେରବୋଇ ଅନେକ ମହତ୍ତ୍ବ ରଖେ। ରାଜ୍ୟ ପର୍ଯ୍ୟଟନ ବିଭାଗ କେଇ ବର୍ଷ ତଳୁ ଗାନ୍ଧୀ ସର୍କିଟ୍ ତାଲିକାରେ ଏହାକୁ ସ୍ଥାନ ଦେଇଥିବା କଥା କହିସାରିଛନ୍ତି। ହେଲେ ବେରବୋଇର ଚିତ୍ରରେ ପରିବର୍ତନ ଘଟିଲା ନାହିଁ। ଅନ୍ୟ ପ୍ରକଳ୍ପ କଥା ନ କହିବା ଭଲ। ଏ ସଂପର୍କରେ ବି ପୁସ୍ତକ ନିରବ। କେବଳ ସେତିକି ନୁହେଁ, ବିଦ୍ୟାଳୟ ଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ଗାନ୍ଧୀକୁ ରଖିବା କ୍ଷେତ୍ରରେ ଗଣଶିକ୍ଷା ବିଭାଗ ସଫଳ ହେଲା ନା ନାହିଁ, ତାହା ଯେଭଳି ସ୍ଥାନ ପାଇନାହିଁ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ଉଦ୍ୟମ ବି ପ୍ରସ୍ତାବରେ ରହିଯାଇଥିବା ଏଥିରୁ ସୂଚନା ମିଳୁଛି। ମହାତ୍ମାଗାନ୍ଧୀ ଯେଉଁ ଯେଉଁ ଅଞ୍ଚଳରେ ପଦଯାତ୍ରା କରିଥିଲେ, ସେ ରାସ୍ତାକୁ ସ୍ମାରକୀ କରିବା ଲାଗି ସରକାରୀ ପ୍ରସ୍ତାବ ସମ୍ଭବତଃ ଫାଇଲ ଭିତରେ ରୁନ୍ଧି ହୋଇଯାଇଛି। କେତୋଟି ଜଳାଶୟ ପୁନରୁଦ୍ଧାର ହେଲା, ଜଳ ସଂରକ୍ଷଣ ପାଇଁ କି କି କାର୍ଯ୍ୟକ୍ରମ ହେଲା, ତାହା ବି ଏଥିରୁ ସୂଚନା ମିଳୁନାହିଁ।
ସବୁଠାରୁ ବଡ଼ କଥା ହେଲା, ଆଜି ପରୀ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ହୁରି ପଡ଼ିଛି। ସରକାର ମହିଳା ଓ ଶିଶୁ ବିକାଶ ପାଇଁ ଏକ କାର୍ଯ୍ୟକ୍ରମ ରଖିଥିଲେ। ତାହା ହେଉଛି ଶିଶୁ ଓ ମହିଳା ନିର୍ଯାତନା ନିବାରଣ ନିମନ୍ତେ ପଦକ୍ଷେପ ନିଆଯିବ। ହେଲେ କେଉଁଠି କ’ଣ ହେଲା? ଏମିତି ତାଲିକା ଲମ୍ବିଥିବ। କିଛି ଜିଲ୍ଲା ସେମାନଙ୍କର ଗୋଟିଏ ରାସ୍ତାକୁ ମହାତ୍ମାଗାନ୍ଧୀ ମାର୍ଗ ଭାବେ ନାମକରଣ କରିଥିବା ଏଥିରେ ଦର୍ଶାଯାଇଛି। ସେହିଭଳି ହାତଗଣତି କିଛି ଜିଲ୍ଲା ଗୋଟିଏ ଗୋଟିଏ ଗ୍ରାମକୁ ଲୋକକଳା ଗ୍ରାମ ଭାବେ ଚିହ୍ନଟ କରିଛନ୍ତି।
ସୂଚନାଯୋଗ୍ୟ ଯେ ଥରେ କି ଦୁଇଥର ନୁହେଁ, ୧୯୨୧ ମସିହାରୁ ୧୯୪୬ ମସିହା ମଧ୍ୟରେ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ଅନେକ ବାର ଆସିଛନ୍ତି। ଏହାକୁ ନେଇ ଆଜି ବି ବିତର୍କ ରହିଛି। କିଏ କହନ୍ତି ସାତ ଥର, ଆଉ କିଏ ଆଠ ଥର ଆସିଥିଲେ ବୋଲି କହୁଛନ୍ତି। ଓଡ଼ିଶାର ଗାଁ ଗଣ୍ଡାରେ ମହାତ୍ମା ଗାନ୍ଧୀ ୬୯ ଦିନ (କିଏ କି ସତୁରି ଦିନ ବୋଲି ମଧ୍ୟ କହନ୍ତି) କଟାଇଛନ୍ତି। ତାହା ପୁଣି ସାଧାରଣ ଲୋକଙ୍କ ସହ। ଏଥିରେ ମାସେ ବ୍ୟାପୀ ପଦଯାତ୍ରା ବି ରହିଛି। ଓଡ଼ିଶା ନେଇ ମହାତ୍ମା ଗାନ୍ଧୀ ଯେଉଁ କେତୋଟି ମୂଳ ପ୍ରସଙ୍ଗରେ ବାରମ୍ବାର ଠାରିଛନ୍ତି, ତାହା ହେଉଛି ଦାରିଦ୍ର୍ୟ, ନିଶା, ଆଳସ୍ୟ, ଜଡତା, କୃଷି ଓ ଗ୍ରାମ୍ୟ ଶିଳ୍ପର କଥା।
ଆଜି ଦିନରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରୁ ଅନାହାର ବା କ୍ଷୁଧା ମୁକ୍ତିକୁ ଦୂର କରିବାରେ ପ୍ରାୟ ସଫଳ ହୋଇଛନ୍ତି। ହେଲେ ସରକାରୀ ଯୋଜନା କାର୍ଯ୍ୟାନ୍ବୟନ ପ୍ରକ୍ରିୟାରେ ସାଧାରଣ .ଲୋକଙ୍କ ସହଭାଗିତା କମୁଥିବା କାରଣରୁ ଆଳସ୍ୟ ବୃଦ୍ଧି ପାଇଥିବା ଅଭିଯୋଗ ବି ସମ୍ପୂର୍ଣ୍ଣ ଅମୂଳକ ନୁହେଁ। ସେହିଭଳି ନିଶାମୁକ୍ତ ଗ୍ରାମ ଗଠନ ଦିଗରେ ସାମାନ୍ୟ ପଦକ୍ଷେପ ନିଆଗଲା ନାହିଁ। ଯେଉଁଠି ନିଶା, ସେଇଠି ହିଂସା। ଏହାଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ପରି। ମୁଖ୍ୟମନ୍ତ୍ରୀ ସମ୍ବିଧାନର ମୁଖବନ୍ଧରେ ‘‘ଅହିଂସା’’ ଶବ୍ଦକୁ ସ୍ଥାନୀତ କରିବା ପାଇଁ କହିଛନ୍ତି। ସମଗ୍ର ଦେଶରେ ଏହାକୁ ସ୍ବାଗତ କରାଯାଇଛି। ହେଲେ ଯେଉଁଠି ନିଶା ରାଜୁତି କରୁଛି, ସେଠି ଅହିଂସାର ସ୍ଥାନ କେଉଁଠି? ସରକାରୀ ପରିସଂଖ୍ୟାନ ସୂଚାଉଛି, ଓଡ଼ିଶାର ସାମଗ୍ରିକ ଘରୋଇ ଉତ୍ପାଦକୁ କୃଷିର ଅବଦାନ ଦିନକୁ ଦିନ କମିବାରେ ଲାଗିଛି। ଚାଷୀକୁ ତାର ଚାଷ ପାଇଁ ପ୍ରାପ୍ୟ ନ ମିଳିବା ପ୍ରସଙ୍ଗରେ ଓଡ଼ିଶାର ଆଭିମୁଖ୍ୟ ଅସ୍ପଷ୍ଟ ରହିଛି। ଗ୍ରାମ୍ୟ ଶିଳ୍ପ କଥା ନ କହିବା ଭଲ। ଝୋଟ, ଖଦି, ଲୁଣ, ବୟନ ଶିଳ୍ପ ଏସବୁକୁ ଗୋଟିଏ ଗୋଟିଏ ଉଦାହରଣ ଭାବେ ନିଆଯାଇପାରେ।