ମାଟ୍ରିକ୍‌ ମୂଲ୍ୟାୟନରେ ସାଂଘାତିକ କାରସାଦି, ମାର୍କ ରେଜିଷ୍ଟର ବଦଳାଇଛନ୍ତି ଅନେକ ସ୍କୁଲ

ମେଧାବୀ ଛାତ୍ରଛାତ୍ରୀ, ଭଲ ସ୍କୁଲ ପ୍ରତି ଅନ୍ୟାୟ
କରୋନା ଆଳରେ ବୋର୍ଡ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା

କଟକ : ପୂର୍ବରୁ ଦଶମ ଶ୍ରେଣୀରେ ପ୍ରାକ୍ଟିସ୍ ଟେଷ୍ଟ୍‌ ଦେଇ ନଥିବା ପିଲାଙ୍କୁ ଘରେ ପରୀକ୍ଷା କରାଇ ପରୀକ୍ଷା ଖାତାକୁ ବିଦ୍ୟାଳୟରେ ଦାଖଲ କରିଦେଲେ। ଏବେ ପିଲାଙ୍କ ସ୍କୁଲ ମାର୍କ ରେଜିଷ୍ଟର ବଦଳାଇ ଦେଲେ। ବୋର୍ଡ ମାଗିଥିବା ସମସ୍ତ ଡକ୍ୟୁମେଣ୍ଟକୁ ଠିକ୍‌ଠାକ୍ କରି ମେଣ୍ଟର ସ୍କୁଲରେ ଦାଖଲ କଲେ। ମାଟ୍ରିକ୍ ପରୀକ୍ଷାରେ ନିଜ ନିଜ ପିଲାଙ୍କ ନମ୍ବର ବଢ଼ାଇବା ପାଇଁ ଅନେକ ବିଦ୍ୟାଳୟ କର୍ତ୍ତୃପକ୍ଷ ଏପରି କାରସାଦି କରିଛନ୍ତି। ମେଣ୍ଟର ସ୍କୁଲ ପକ୍ଷରୁ ବିଦ୍ୟାଳୟର ମାର୍କ ରେଜିଷ୍ଟର ଓ ବୋର୍ଡ ପ୍ରଦତ୍ତ ଟାବୁଲେସନ୍ ରେଜିଷ୍ଟର ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳ‌ୟରେ ଦାଖଲ ହେବାପରେ ଏପରି କାରସାଦି ଧରାପଡ଼ିଥିବା ଜଣାପଡ଼ିଛି। ଯେଉଁ ସ୍କୁଲମାନ ଅସଲି ମାର୍କ ରେଜିଷ୍ଟର ଓ ଟାବୁଲେସନ୍ ରେଜିଷ୍ଟର କମ୍ପ୍ୟୁଟର କପି ଦାଖଲ କରିଛନ୍ତି ସେମାନଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ କେବେ ହେଲେ କାରସାଦି କରିଥିବା ସ୍କୁଲ ପିଲାଙ୍କ ପରୀକ୍ଷାଫଳର ସମକକ୍ଷ ହୋଇପାରିବ ନାହିଁ। ଏଥିପାଇଁ ସଂପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ଓ ସେମାନଙ୍କ ଛାତ୍ରଛାତ୍ରୀ ଏବେ ଦ୍ବନ୍ଦ୍ବରେ ଅଛନ୍ତି। ଅନ୍ୟ ପକ୍ଷରେ କରୋନା ଆଳରେ ବୋର୍ଡ କର୍ତ୍ତୃପକ୍ଷ ଅବାସ୍ତବ ନିୟମ ତିଆରି କରି ଚୁପ୍‌ଚାପ ରହିଥିବା ଅଭିଯୋଗ ହୋଇଛି। ଆସନ୍ତା ୨୪ ତାରିଖରୁ ମାର୍କ ଅପ୍‌ଲୋଡ୍ ଆରମ୍ଭ ପୂର୍ବରୁ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

କରୋନା ପାଇଁ ପରୀକ୍ଷା ବାତିଲ ହେବା ପରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ମାଟ୍ରିକ୍ ମୂଲ୍ୟାୟନର ନୂଆଶୈଳୀ ବିଷ‌ୟରେ ସୂଚନା ଦେଲେ। ସରକାରଙ୍କ ପରୀକ୍ଷା ବାତିଲ ଘୋଷଣା ଓ ମୂଲ୍ୟାୟନର ନୂତନ ଶୈଳୀ ମଧ୍ୟରେ ଯେଉଁ ଦୀର୍ଘ ବ୍ୟବଧାନ ରହିଲା, ତାହା ମଧ୍ୟରେ ଅନେକ ସ୍କୁଲ ଦଶମରେ ପ୍ରାକ୍ଟିସ୍ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ଘରେ ପରୀକ୍ଷା କରାଇ ଖାତାକୁ ସ୍କୁଲରେ ଦାଖଲ କଲେ। ନବମ ଶ୍ରେଣୀର ଦୁଇଟି (ଷାଣ୍ମାସିକ,ବାର୍ଷିକ), ଦଶମର ୩ଟି (ଦ୍ବିତୀୟ, ତୃତୀୟ, ଚତୁର୍ଥ ପ୍ରାକ୍ଟିସ୍ ଟେଷ୍ଟ) ନମ୍ବର ବିଚାରକୁ ନିଆଯିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଗଲା। ମୂଲ୍ୟାୟନ ପଦ୍ଧତିରେ ନବମ ଶ୍ରେଣୀ ନମ୍ବରକୁ ୪୦ ପ୍ରତିଶତ ଓ ଦଶମ ଶ୍ରେଣୀ ନମ୍ବରକୁ ୬୦ ପ୍ରତିଶତ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ରହିଲା। ବିଦ୍ୟାଳୟ ପକ୍ଷରୁ ୫ଟି ଯାକ ପରୀକ୍ଷାର ଛାତ୍ରଛାତ୍ରୀଙ୍କ ସ୍କୁଲ ମାର୍କ ରେଜିଷ୍ଟର ଓ ବୋର୍ଡ କହିଥିବା ଟାବୁଲେସନ୍ ରେଜିଷ୍ଟର(କମ୍ପ୍ୟୁଟର କପି)ର ଦୁଇଟି ସେଟ୍ ମେଣ୍ଟର ସ୍କୁଲରେ ଦାଖଲ କରିବାକୁ କୁ‌ହାଯାଇଥିଲା। ଏହାଫଳରେ ବହୁ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କ ସ୍କୁଲ ମାର୍କ ରେଜିଷ୍ଟରକୁ ପରିବର୍ତ୍ତନ କରି ଏଥିରେ ଅଧିକ ନମ୍ବର ଚଢ଼ାଇ ୨/୩ ଦିନ ତଳେ ମେଣ୍ଟର ସ୍କୁଲରେ ଦାଖଲ କରିଥିଲେ। ମେଣ୍ଟର ସ୍କୁଲ ପକ୍ଷରୁ ମାର୍କ ଯାଞ୍ଚ କରାଯାଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଗତକାଲି ଦାଖଲ ‌ହୋଇଥିଲା। ଆଜିଠାରୁ ଡିଇଓ କାର୍ଯ୍ୟାଳୟରେ ଦାଖଲ ହୋଇଥିବା (ସ୍କୁଲ ମାର୍କ ରେଜିଷ୍ଟର ଓ ଟାବୁଲେସନ୍ ରେଜିଷ୍ଟର)ଦୁଇଟି ସେଟ୍‌ ଚାଞ୍ଚ ସମୟରେ ଅନେକ ବିଦ୍ୟାଳୟ ପକ୍ଷରୁ ଏଭଳି ଗୁରୁତର ଅନିୟମିତତା ହୋଇଥିବା ଜଣାପଡ଼ିଥିଲା।

କଟକ ଡିଇଓ କାର୍ଯ୍ୟାଳୟର ଜଣେ ବରିଷ୍ଠ କର୍ମଚାରୀଙ୍କ କହିବା ଅନୁସାରେ, ରେଭେନ୍‌ସା କଲିଜିଏଟ୍‌ ଭଳି କିଛି ପ୍ରତିଷ୍ଠିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମାର୍କ କମ୍ ରହିଥିବା ବ‌େଳେ ଅନେକ ଘରୋଇ ଓ ଗ୍ରାମାଞ୍ଚଳର ଅନେକ ବିଦ୍ୟାଳୟର ପିଲାମାନଙ୍କ ନମ୍ବର ଯଥେ‌ଷ୍ଟ ଅଧିକ ରହିଛି। ମେଣ୍ଟର ସ୍କୁଲରେ ମାର୍କ ଯାଞ୍ଚ କରୁଥିବା ଜଣେ ପ୍ରଧାନଶିକ୍ଷକ କହିଛନ୍ତି ‌ଯେ, ବୋର୍ଡ ପକ୍ଷରୁ ଆମକୁ ମାର୍କ ଯାଞ୍ଚ କରିବାକୁ କୁହାଯାଇଛି। ତେଣୁ ଆମେ ସ୍କୁଲ ମାର୍କ ରେଜିଷ୍ଟର ସହିତ ବୋର୍ଡ ପକ୍ଷରୁ ଦିଆଯାଇଥିବା ଟାବୁଲେସନ୍ ରେଜି‌ଷ୍ଟର ମାର୍କକୁ ମିଳାଇଲୁ। ପରେ ଏହାର ଦୁଇଟି ସେଟ୍‌ ଡିଇଓଙ୍କ ପାଖରେ ଦାଖଲ କରାଯାଇଛି ବୋଲି ସଂପୃକ୍ତ ପ୍ରଧାନଶିକ୍ଷକ କହିଛନ୍ତି। ଡିଇଓ ତାହାକୁ ଯାଞ୍ଚ କରି ଗୋଟିଏ ସେଟ୍ ପୁଣି ଆମକୁ ଦେଲେ ଆସନ୍ତା ୨୪ରୁ ମାର୍କ ଅପ୍‌ଲୋଡ କରାଯିବ ବୋଲି ସ‌େ ସୂଚନା ଦେଇଛନ୍ତି। ବୋର୍ଡ ପକ୍ଷରୁ ଏଭଳି ଅନିୟମିତତା ଯାଞ୍ଚ କରାନଗଲେ, ମାଟ୍ରିକ୍ ପରୀକ୍ଷା ଫଳରେ ସାଂଘାତିକ ତ୍ରୁଟିବିଚ୍ୟୁତ ପରିଲକ୍ଷିତ ହେବା ଆଶଙ୍କା କରାଯାଉଛି। କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସଫେଇ ଦେଉଛନ୍ତି।

ସମ୍ବନ୍ଧିତ ଖବର