ସୁନ୍ଦରଗଡ଼: ସଭ୍ୟ ସମାଜକୁ ଦୋହଲାଇ ଦେଲା ଭଳି ଏକ ଲଜ୍ଜାକର ଓ ଅଭାବାନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ରାଜରାସ୍ତାରେ। ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ଜନଗହଳିପୂର୍ଣ୍ଣ କଲେଜରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଚାଲିଥିଲେ ୨ ମହିଳା। ପୂରା କ୍ଲାନ୍ତ ଓ ମାନସିକ ଭାବେ ସାମାନ୍ୟ ଦୁର୍ବଳ ଥିଲେ। ଏକମୁହାଁ ଆଗକୁ ପାଦ ପକାଇ ଚାଲିଥିଲେ। ରାସ୍ତାରେ କଲେଜ ଛାତ୍ରଛାତ୍ରୀଙ୍କ ସହ ସାଧାରଣଲୋକଙ୍କ ଯାତାୟତ ଲାଗି ରହିଥିଲା। ସମସ୍ତେ ଦେଖୁଥିଲେ, କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗାଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସି ନଥିଲେ। ସମସ୍ତେ ସାଜିଥିଲେ ଦେଖଣାହାରୀ। ଲାଗୁଥିଲା ଯେମିତି ମାନବିକତାର ମୃତ୍ୟୁ ହୋଇଯାଇଛି।ଭିଡ଼ ରାସ୍ତାରେ ଟ୍ରକ୍, ଟେମ୍ପୋ, ବସ୍ ଯିବାଆସିବା କରୁଥିଲା। ଗାଡ଼ିକୁ ଅଟକାଇ ଲଜ୍ଜାଜନକ ଦୃଶ୍ୟକୁ ଦେଖିବା ପରେ ଚୁପ୍ଚାପ୍ ଯିଏ ଯାହା ବାଟରେ ପଳାଉଥିଲେ।
ସୂଚନାପାଇ କିଛି ସାମ୍ବାଦିକ ଘଟଣାସ୍ଥଳକୁ ଆସି ପୁଲିସ ଓ ଆସ୍ଥାଗୃହ ସମ୍ପାଦିକାଙ୍କୁ ଫୋନ୍କରି ତୁରନ୍ତ ପହଞ୍ଚିବାକୁ ଅନୁରୋଧ କରିଥିଲେ। ଠିକ୍ ଏହି ସମୟରେ ଆଦିବାସୀଙ୍କ ବିକ୍ଷୋଭରେ ସାମିଲ ହେବାକୁ ସେହି ବାଟଦେଇ ଆସୁଥିବା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦୁଇ ମହିଳାଙ୍କୁ ଦେଖି ଅଟକି ଯାଇଥିଲେ। କାର୍ରେ ରଖିଥିବା ଉତ୍ତରୀୟ ଆଣି ପିନ୍ଧାଇଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ପରେ ବିଧାୟିକା ସଦରଥାନା ପୁଲିସ ଓ ଆସ୍ଥାଗୃହର ସମ୍ପାଦିକା ସ୍ନେହଲତା ପଟେଲଙ୍କୁ ଉଭୟ ମହିଳାଙ୍କ ଜିମା ଦେଇଥିଲେ। ସେମାନଙ୍କୁ ଆସ୍ଥାଗୃହରେ ଆଶ୍ରୟ ଦିଆଯାଇଛି। ପ୍ରାୟ ୨୭ ଓ ୪୫ ବର୍ଷର ଦୁଇ ମହିଳା କେଉଁଠୁ ଆସିଲେ, କୁଆଡ଼େ ଯାଉଥିଲେ, ସେମାନଙ୍କୁ ଏ ଅବସ୍ଥାରେ କିଏ ଛାଡ଼ିଲା, ସେମାନଙ୍କ ପରିଚୟ କଣ ସେ ସମ୍ପର୍କରେ କିଛି ଜଣାପଡ଼ିନି। ସେମାନେ ଓଡ଼ିଆ ବୁଝୁ ନ ଥିବାରୁ କିଛି ସୂଚନା ମିଳି ନ ଥିବା କହିଛନ୍ତି ଆସ୍ଥାଗୃହ ସମ୍ପାଦିକା ଶ୍ରୀମତୀ ପଟେଲ। ତେବେ ବିକ୍ଷୋଭରେ ସାମିଲ ହେବାକୁ ତରତର ଥିବା ବିଧାୟିକା କୁସୁମ ଘଣ୍ଟାଏ ରାସ୍ତାରେ ଅଟକି ୨ ମହିଳାଙ୍କୁ ଉଦ୍ଧାର କରି ବେଶ୍ ପ୍ରଶଂସିତ ହୋଇଛନ୍ତି।