ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଟାଙ୍ଗୀ ଏବଂ ଖୋର୍ଦ୍ଧା ସଦର ବ୍ଲକ୍‌ରେ ଆଖିବୁଜା ଲଘୁ ଖଣିଜ ଲୁଟ୍‌ ଚାଲିଛି। ସରକାରୀ ଜମି ହେଉ ଅବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର, ଯେଉଁଠି ବି ପଥର ବାହାରିବାର ସୁଯୋଗ ଅଛି; ସେଠି ତଡ଼ାଚାଲିଛି। ନେତା, ମାଫିଆଙ୍କ ସଲାସୁତରାରେ ଏଭଳି ବେଆଇନ୍‌ କାରବାର ବର୍ଷ ବର୍ଷ ଧରି ଚାଲିଛି। ଜିଲ୍ଲାରେ ପ୍ରାୟ ୨୫୦ରୁ ଅଧିକ ଖଣିରୁ ଚୋରା ଖଣିଜ ପରିବହନ ହେଉଥିବା ବେଳେ ସରକାରଙ୍କୁ ମାତ୍ର ୮୦ଟି ଖଣିରୁ ରାଜସ୍ବ ମିଳୁଛି। ଏହି ଚୋରାଖଣି ଭିତରେ ରହିଛି ମାଙ୍କଡ଼ା, ମୋରମ୍‌ ଓ କଳା ମୁଗୁନି ପଥର। ଜିଲ୍ଲାରେ ଖଣିର ମାଲିକାନା ଦୁଇ ପ୍ରକାରର। ଗୋଟିଏର ମାଲିକ ରାଜ୍ୟ ସରକାରଙ୍କ ଖଣି ବିଭାଗ ଅଧୀନରେ ଥିବାବେଳେ ଦ୍ବିତୀୟ ମାଲିକ ହେଉଛନ୍ତି ଖୋଦ୍‌ ମହାପ୍ରଭୁ ଶ୍ରୀଜଗନ୍ନାଥ।

Advertisment

ମହାପ୍ରଭୁଙ୍କର ୯୫, ଖଣି ବିଭାଗର ୧୨୫ ଖଣି ମୁକୁଳା 

ଖୋର୍ଦ୍ଧା ଖଣି ଉପନିର୍ଦ୍ଦେଶାଳୟର ତଥ୍ୟ ମୁତାବକ, ସରକାରୀ ଖାତା ଖତିୟାନରେ ଜିଲ୍ଲାରେ ଖଣି ସଂଖ୍ୟା ପ୍ରାୟ ୩୦୦ ରହିଛି। ସେଥିରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ରହିଛି ୧୪୦ଟି ଖଣି ଓ ରାଜ୍ୟ ସରକାରଙ୍କ ଖଣି ନିର୍ଦ୍ଦେଶାଳୟ ନାଁରେ ରହିଛି ୧୬୦ଟି ଖଣି। ଏହି ୩୦୦ ଖଣି ମଧ୍ୟରୁ ମାତ୍ର ୮୦ଟିକୁ ନିଲାମ କରାଯାଇଛି। ତନ୍ମଧ୍ୟରୁ ୪୫ଟି ଖଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନିଲାମ ହୋଇଥିବା ବେଳେ ଖଣି ବିଭାଗର ମାତ୍ର ୩୫ଟି ଖଣି ନିଲାମ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆହୁରି ୯୫ଟି ଖଣି ନିଲାମ ହୋଇ ପାରିନଥିବା ବେଳେ ଖଣି ନିର୍ଦ୍ଦେଶାଳୟର ୧୨୫ଟି ନିଲାମ ଅପେକ୍ଷାରେ ରହିଛି। ଏହି ୩୦୦ ସରକାରୀ ରେକର୍ଡଭୁକ୍ତ ଖଣିରୁ ୮୦ଟି ନିଲାମ ଖଣିକୁ ଛାଡ଼ିଦେଲେ ଅନ୍ୟଗୁଡ଼ିକରୁ ବିନା ନିଲାମରେ ଚୋରା ଚାଲାଣ ଚାଲିଛି। ଏତଦ୍‌ବ୍ୟତୀତ ଅଣରେକର୍ଡଭୁକ୍ତ ଆହୁରି ୧୦୦ରୁ ଅଧିକ ଚୋରାଖଣିରୁ ପଥର, ମୋରମ୍‌ ତଡ଼ା ଚାଲିଛି। ମୋଟ ଉପରେ କହିବାକୁ ଗଲେ, ସରକାରୀ ରେକର୍ଡଭୁକ୍ତ ଓ ଚୋରାରେ ଖନନ ଖଣିକୁ ମିଶାଇ ଶହଶହ ଖଣିରୁ ରୀତିମତ ଚୋରା କାରବାର ଚାଲିଛି। ଗତ ଆର୍ଥିକ ବର୍ଷରେ ଖଣି ବିଭାଗର ନିଲାମପ୍ରାପ୍ତ ୩୫ଟି ଖଣିରୁ ୫ କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଛି। ଅବଶିଷ୍ଟ ଚୋରା ଖଣି ଉପରେ ଯଦି ଅଙ୍କୁଶ ଲାଗିପାରନ୍ତା ତେବେ ପ୍ରାୟ ୫୦ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇପାରନ୍ତା ବୋଲି କୁହାଯାଉଛି।