ଧାନକିଣା ବ୍ୟବସ୍ଥାରେ ଆସିଲା ସାଂଘାତିକ ଚିତ୍ର : ଚାଷୀଙ୍କୁ ଅଧାରାସ୍ତାରେ ଛାଡ଼ିଦେଲେ!
ସମ୍ବଲପୁରରେ ପଡ଼ିଛି ଦେଢ଼ଲକ୍ଷ ପ୍ୟାକେଟ୍
ଧାନ ବିକ୍ରି ହେଉନି, ଟୋକନ ସମୟ ସୀମା ସରିଗଲାଣି
ବରଗଡ଼ରେ ପଡ଼ିଛି ୧୮ ଲକ୍ଷ ବସ୍ତା ଧାନ
୨୯ ହଜାର ଚାଷୀ କାହାକୁ ଧାନ ବିକିବେ?
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ବଲପୁର/ ବରଗଡ଼ : ସମ୍ବଲପୁର ଜିଲ୍ଲାରେ ଅନିଶ୍ଚିତତାରେ ୪ ହଜାର ଚାଷୀ। ଶୀତୁଆ ରାତିରେ କୁଚିଣ୍ଡା ଉପଖଣ୍ଡରେ ଖୋଲା ଆକାଶ ତଳେ ପଡ଼ିଛି ଦେଢ ଲକ୍ଷ ପ୍ୟାକେଟ୍ ଧାନ। ହାତୀ ଉପଦ୍ରବ, ସୁରକ୍ଷା ଜନିତ କାରଣ ପାଇଁ ଉପଖଣ୍ଡର ଅଧିକାଂଶ ମଣ୍ଡିରେ ପ୍ରତିଦିନ ଧାନ ଜଗି ରହୁଛନ୍ତି ଚାଷୀ। ଚଳିତବର୍ଷ ଖରିଫରେ ୫୨ ହଜାର ୯୦୦ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ, ବର୍ତ୍ତମାନ ପର୍ଯ୍ୟନ୍ତ ୪୮ ହଜାର ଚାଷୀ ଧାନ ବିକ୍ରି କରିଛନ୍ତି। ଏଣେ ମଣ୍ଡିଗୁଡ଼ିକରେ ଟାର୍ଗେଟ୍ ସରିଗଲାଣି, ଟୋକନ୍ ସମୟ ସୀମା ବି ଶେଷ ହୋଇଗଲାଣି। ସୋମବାର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ୨୯ ହଜାର ୪୦୦ ମେଟ୍ରିକ ଟନ ଧାନ(୨୦ ହଜାର ମେଟ୍ରିକ୍ ଟନ ଚାଉଳ) ପାଇଁ ଟାର୍ଗେଟ୍ ମଗାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ମାତ୍ର ୪୪୫୨ ମେଟ୍ରିକ ଟନ(୩ ହଜାର ମେଟ୍ରିକ ଟନ ଚାଉଳ) ଦିଆଯାଇଛି। ଏଭଳି ସ୍ଥିତିରେ ଅବସ୍ଥା କଣ ହେବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆମ ସମ୍ବଲପୁର ପ୍ରତିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କୁଚିଣ୍ଡା ଉପଖଣ୍ଡର ୭୦ରୁ ଅଧିକ ଚାଷୀଙ୍କ ପ୍ରାୟ ୪୦ ହଜାର କ୍ବିଣ୍ଟାଲ ଧାନର ଟୋକନ ସୀମା ଅତିକ୍ରମ କରିଯାଇଛି।
ସମ୍ବଲପୁର, ରେଢାଖୋଲ ଉପଖଣ୍ଡରେ ବି ସେହି ସ୍ଥିତି। ଯୁଯୁମୁରା ବ୍ଲକ କୟାକୁଦ ୩୦ ଚାଷୀଙ୍କ ଅବସ୍ଥା ଆହୁରି ଜଟିଳ ହେଲାଣି। ଏଠାରେ ଧାନ ସଂଗ୍ରହ ଦାୟିତ୍ବରେ ଥିବା ଏସ୍ଏଚ୍ଜି ଟାର୍ଗେଟ ନଥାଇ ମଧ୍ୟ ୧୪ ଶହ କ୍ବିଣ୍ଟାଲ ଧାନ ସଂଗ୍ରହ କରିସାରିଛନ୍ତି। ଏପରିକି ମଣ୍ଡି ସହିତ ଟ୍ୟାଗ୍ ହୋଇଥିବା ଶାକମ୍ଭରି ରାଇସ୍ ମିଲ ମଧ୍ୟ ଏହି ଧାନ ନେଇ ସାରିଛି। କିନ୍ତୁ ଆଇରିସ୍ ସ୍କାନିଂ ବେଳକୁ ପେକ୍ସ ପକ୍ଷରୁ ଟାର୍ଗେଟ୍ ନଥିବା ନେଇ ଚାଷୀମାନଙ୍କୁ ସୂଚନା ଦିଆଯାଇଥିଲା। ଏଥିଯୋଗୁଁ ସେମାନଙ୍କୁ ପ୍ରାପ୍ୟ ମଧ୍ୟ ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି।
ଭୁବନେଶ୍ବରରୁ ଟୋକନ୍ ଜାରି ହେଉଥିବାରୁ ସ୍ଥାନୀୟ ସ୍ତରରେ ପ୍ରଶାସନ ମଧ୍ୟ ସମସ୍ୟା ସମାଧାନରେ ହାତବନ୍ଧା ହୋଇ ପଡ଼ୁଥିବା ନେଇ ଅଭିଯୋଗ ହେଉଛି।
ସିଏସଓ ରାମଚନ୍ଦ୍ର ଟୁଡୁ କହିଛନ୍ତି, ଚଳିତ ବର୍ଷ ସମ୍ବଲପୁର ଉପଖଣ୍ଡରେ ୯୬ ପ୍ରତିଶତ, କୁଚିଣ୍ଡା, ରେଢାଖୋଲ ଉପଖଣ୍ଡରେ ୮୫ରୁ୯୦ ପ୍ରତିଶତ ଧାନ ସଂଗ୍ରହ ହୋଇ ସାରିଛି। ଗତବର୍ଷ ଜିଲ୍ଲାରେ ୨୯ ଲକ୍ଷ ୬୪ ହଜାର କ୍ବିଣ୍ଚାଲ ଧାନ ସଂଗ୍ରହ ହୋଇଥିଲା। ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୩ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇ ସାରିଛି। ଯାହାକି ଗତବର୍ଷ ଠାରୁ ଅନେକ ଅଧିକ।
ଆମ ବରଗଡ଼ ଜିଲ୍ଲା ପ୍ରତିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜିଲ୍ଲାକୁ ତିନୋଟି ପର୍ଯ୍ୟାୟରେ ୬୭,୫୪,୪୧୧ କ୍ବିଣ୍ଟାଲ ଧାନ କିିଣିବାକୁ ଟାର୍ଗେଟ ମିଳିଛି। ଇତିମଧ୍ୟରେ ୬୪,୨୯,୪୦୭ କ୍ବିଣ୍ଟାଲ ଧାନ କିଣା ସରିଲାଣି। ଖରିଫ ଧାନ କିଣିବାକୁ ଏଥର ୧,୩୨,୧୧୬ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ। େହଲେ ଏଯାଏ ମାତ୍ର ୧,୦୪,୬୩୭ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ଅର୍ଥାତ ୨୯ହଜାର ଜଣ ଚାଷୀଙ୍କ ଧାନ ଏଯାଏ ପଡ଼ି ରହିଛି। ସୂଚନା ମୁତାବକ, ଖୋଲା ଆକାଶରେ ୧୮ଲକ୍ଷରୁ ଅଧିକ ବସ୍ତା ଧାନ ପଡ଼ି ରହିଛି।
ଗୁରୁବାର ଠାରୁ ଜିଲ୍ଲାର ୩୯ଟି ଧାନ କ୍ରୟ କେନ୍ଦ୍ର ବନ୍ଦ ହୋଇଛି। ପୂର୍ବରୁ ୧୪ଟି ବନ୍ଦ ହୋଇ ସାରିଥିଲା। ବଳକା କେନ୍ଦ୍ର ଗୁଡ଼ିକ ମଧ୍ୟ ଅଳ୍ପ ଦିନ ଭିତରେ ସଂପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ସୂଚନା ମିଳିଲାଣି। ନିକଟସ୍ଥ ମଣ୍ଡିଗୁଡ଼ିକୁ ଧାନ ବୋହିବାକୁ ଚାଷୀମାନଙ୍କୁ କୁହାଯାଉଛି। କିନ୍ତୁ ସେଠାରେ ଧାନ କିଣା ହେବ କି ନାହିଁ, ତାହା ବି ଅନିଶ୍ଚିତତା ମଧ୍ୟରେ।
ଇତିମଧ୍ୟରେ ଟୋକନ୍ ପାଇଥିଲେ, ତାହାର ଅବଧି ସରିବାକୁ ବସିଛି। କାରଣ ମିଲର୍ସ ଟେଗ୍ ପାଇନଥିବା ଆଳ ଦେଖାଉଛନ୍ତି। ମଣ୍ଡିଗୁଡ଼ିକ ମାର୍ଚ୍ଚ ୩୧ ତାରିଖ ଯାଏ ଖୋଲା ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ବିନା ଟୋକନ୍ରେ ଚାଷୀ ଧାନ ବିକିବେ କେମିତି? ଅଣପଞ୍ଜୀକୃତ ଚାଷୀଙ୍କ ଧାନ କୁଆଡ଼େ ଯିବ? ଚାଷୀମାନଙ୍କ ଆଶଂକା ହେଲା ଏଥର ୧୫ ଲକ୍ଷ କ୍ବିଣ୍ଟାଲ ଯାଏଁ ଧାନ ଅବିକ୍ରି ରହିଯିବ। ଏଭଳି ସ୍ଥିତିରେ ଚାଷୀଙ୍କ ଧାନ ସରକାର କେଉଁଠି ବିକିବେ, ଏହାର ଉତ୍ତର କାହାରି ପାଖରେ ନାହିଁ।