ଶିକ୍ଷା ବ୍ୟବସ୍ଥାରେ ସାଂଘାତିକ କେଳେଙ୍କାରୀ : ବଢ଼ାଚଢ଼ା ବଜେଟ୍ ହେଉଛି, ଖର୍ଚ୍ଚ ହୋଇପାରୁନି

୬ଟି ବିଶ୍ବବିଦ୍ୟାଳୟରେ ପଡ଼ିଛି କୋଟି କୋଟି ଟଙ୍କା
ମାଧ୍ୟମିକ ଶିକ୍ଷା ପରିଷଦରେ ୩୭କୋଟିର ଆପତ୍ତି

ଭୁବନେଶ୍ୱର : ଏଥର ବଜେଟ୍‌ ପରିମାଣ ଲକ୍ଷେ କୋଟି ଡେଇଁଲା। ଦେଢ଼ ଲକ୍ଷ କୋଟି ଛୁଇଁଲା। ଏହା ଇତିହାସରେ ରେକର୍ଡ। ବିଧାନସଭାରେ ବଜେଟ୍ ଉପସ୍ଥାପନ ପରିସଂଖ୍ୟାନକୁ ଦେଖି ରାଜ୍ୟ ସରକାର, ଅର୍ଥ ବିଭାଗ ଓ ସରକାରୀ ବାବୁମାନେ ଏମିତି ଛାତି ପିଟନ୍ତି, ଯେମିତି ଓଡ଼ିଶାର ସ୍ବାସ୍ଥ୍ୟ ପୂରା ବଦଳିଯିବ। ହେଲେ ବଜେଟ୍ ଅର୍ଥ କିଭଳି ଖର୍ଚ୍ଚ ହେଉଛି, କେନ୍ଦ୍ରୀୟ ଅନୁଦାନ ବିନିଯୋଗ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପାରଦର୍ଶିତା କେତେ, ତାହା ସ୍ଥାନୀୟ ପାଣ୍ଠି ସମୀକ୍ଷା ନିର୍ଦେଶାଳୟ ୨୦୧୮-୧୯ ବର୍ଷ ପାଇଁ ପ୍ରସ୍ତୁତ କରିଥିବା ରିପୋର୍ଟ ବୟାନ କରୁଛି। ନଗର ଉନ୍ନୟନ ବିଭାଗଠାରୁ ଆରମ୍ଭ କରି ପଞ୍ଚାୟତିରାଜ ସଂସ୍ଥାରେ ସବୁଠି ଅର୍ଥ ଖର୍ଚ୍ଚରେ ଯେଭଳି ବିଫଳତା ରହିଛି, ବିନିଯୋଗ ପ୍ରମାଣପତ୍ର ଓ ଦୁର୍ନୀତିରେ ବି ସେମିତି ରେକର୍ଡ ଛୁଇଁଛି। ଓଡ଼ିଶାର ଭବିଷ୍ୟତ ଗଢ଼ିବା ଲାଗି ରହିଥିବା ବିଭିନ୍ନ ବିଶ୍ବବିଦ୍ୟାଳୟ, ମାଧ୍ୟମିକ ଶିକ୍ଷା ପରିଷଦ, ମହାବିଦ୍ୟାଳୟ ଭଳି ଅନୁଷ୍ଠାନରେ ମଧ୍ୟ ଏସବୁ କେଳେଙ୍କାରୀର ପ୍ରତିଛବି ଦେଖିବାକୁ ମିଳିଛି।

ଅଡିଟ୍ ରିପୋର୍ଟ ଦର୍ଶାଉଛି ଯେ ୨୦୧୭-୧୮ ଆର୍ଥିକ ବର୍ଷରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ୫୫କୋଟି ୪୬ ଲକ୍ଷ ଟଙ୍କା ବିନିଯୋଗ ଲାଗି ସୁଯୋଗ ରହିଥିଲା। କିନ୍ତୁ କର୍ତ୍ତୃପକ୍ଷ ଏତେ ପାରିବାର ଯେ ୨୦୧୮ ମାର୍ଚ୍ଚ ୩୧ ତାରିଖରେ ଦେଖାଗଲା ୩୨ କୋଟି ୫୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରି ନାହିଁ। କେବଳ ରେଭେନ୍ସା ନୁହେଁ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ୨୧ କୋଟି ୩୨ଲକ୍ଷ, ବାଲେଶ୍ବରର ଫକୀର ମୋହନ ବିଶ୍ବବିଦ୍ୟାଳୟ ୭୬ କୋଟି ୯୮ଲକ୍ଷ, ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ୭୧ କୋଟି ୬ଲକ୍ଷ, ସମ୍ବଲପୁର ବିଶ୍ବବିଦ୍ୟାଳୟ ୬୧କୋଟି ୭୬ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିନଥିଲେ। ସ୍ଥାନୀୟ ପାଣ୍ଠି ସମୀକ୍ଷା ନିର୍ଦେଶାଳୟ ୨୦୧୮-୧୯ ବର୍ଷ ପାଇଁ ଯେଉଁ ଅଡିଟ୍ ରିପୋର୍ଟ ଦେଇଛନ୍ତି, ତାହା ସୂଚାଉଛି ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ୬ଟି ବିଶ୍ବବିଦ୍ୟାଳୟ ପାଖରେ ଖର୍ଚ୍ଚ ଲାଗି ମୋଟ ୭୨୬ କୋଟି ୭୪ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ଉପଲବ୍ଧ ଥିଲେ ହେଁ, ସେମାନେ ମାତ୍ର ୩୬୬ କୋଟି ୮୧ଲକ୍ଷ ଖର୍ଚ୍ଚ କରିପାରିଥିଲେ। ଏ ମଧ୍ୟରୁ ସରକାରୀ ଅନୁଦାନ, କେନ୍ଦ୍ରୀୟ ଆୟୋଗ ଅନୁଦାନ ଓ ଅନ୍ୟ ସଂସ୍ଥାମାନଙ୍କର ଅନୁଦାନ ବାବଦ ୨୦୪ କୋଟି ୩୭ଲକ୍ଷ ଟଙ୍କା ରହିଥିଲା।

Shiksha.com

ଏହି ୬ଟି ବିଶ୍ବବିଦ୍ୟାଳୟ ୩୯୪ କୋଟି ୧୯ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ମଧ୍ୟ ଦାଖଲ କରିପାରିନଥିଲେ। ହିସାବ ଯାଞ୍ଚ ବେଳେ ଦେଖାଯାଇଥିଲା, ଅନୁଦାନ ଠିକ୍ ସମୟରେ ଉପଯୋଗ କରାଯାଇନାହିଁ କିମ୍ବା ପ୍ରଶାସନକୁ ମଧ୍ୟ ଠିକଣା ସମୟରେ ଅନୁଦାନର ଖର୍ଚ୍ଚ ସଂକ୍ରାନ୍ତ ପ୍ରମାଣପତ୍ର ପ୍ରଦାନ କରିନାହାନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଲା, ପେନସନ୍ ଗଣତିରେ ଭୁଲ କରି ପାଖାପାଖି ୨୦ଜଣ କର୍ମଚାରୀଙ୍କୁ ଅବସର ସମୟରେ ପ୍ରାପ୍ୟଠାରୁ ଅଧିକ ୧୫ଲକ୍ଷ ୫୪ ହଜାର ୧୬୩ ଟଙ୍କା ଦିଆଯାଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର ୩ଟି ବସ୍ ମଧ୍ୟରୁ ଦୈନିକ ଜ୍ୟୋତିବିହାର ଓ ସମ୍ବଲପୁର ମଧ୍ୟରେ ବିଦ୍ୟାର୍ଥୀ ଏବଂ କାର୍ଯ୍ୟାଳୟ କର୍ମଚାରୀଙ୍କୁ ନେବା ଆଣିବାରେ ୨୦୧୭-୧୮ରେ ୨ଟି ବସ୍ ନିୟୋଜିତ ଥିଲା। ଯଦିଓ ବସଚଳାଚଳ ବାବଦରେ ୨୭ଲକ୍ଷ ୯୯ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା, କିନ୍ତୁ ଭଡ଼ା ବାବଦରେ ମାତ୍ର ୯ଲକ୍ଷ ୧୫ ହଜାର ଟଙ୍କା ଆଦାୟ ହୋଇଥିଲା। ପ୍ରତିବର୍ଷ ସମୀକ୍ଷା ବେଳେ ଅଡିଟ୍ ଟିମ୍ ଏ ସଂପର୍କରେ ସୂଚନା ଦେଉଥିଲେ ହେଁ, କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିଲେ। ସେହିଭଳି ସମ୍ବଲପୁର ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ଛାତ୍ରାବାସଗୁଡ଼ିକରେ ବିଦ୍ୟୁତ ଦେୟ ବାବଦକୁ ୮ଲକ୍ଷ ୮୭ ହଜାର ଟଙ୍କା ଆଦାୟ ହୋଇଥିଲା, ଅଥଚ ୱେସ୍କୋ ନେଇଥିଲା ୨୪ଲକ୍ଷ ୪୯ ହଜାର ଟଙ୍କା। ବିଭିନ୍ନ ବିଶ୍ବବିଦ୍ୟାଳୟ ଅଡିଟ୍ କରି ୪୦ କୋଟି ୯୬ ଲକ୍ଷ ଟଙ୍କା ବିଭିନ୍ନ ଆଦାୟ ପାଇଁ ଅଡିଟ୍ ସୁପାରିସ କରିଛନ୍ତି।

ଅଡିଟ୍ ଟିମ୍ ୪୫୫ଟି ମହାବିଦ୍ୟାଳୟର ଆର୍ଥିକ ସ୍ଥିତିକୁ ସମୀକ୍ଷା କରିବା ପରେ ଦେଖିଥିଲେ ଯେ ୩୫ କୋଟି ୫ଲକ୍ଷ ଟଙ୍କାର ଆପତ୍ତିଜନକ ଖର୍ଚ୍ଚ ହୋଇଥିଲା। ୫ କୋଟି ୪୧ଲକ୍ଷ ଟଙ୍କାର ଆତ୍ମସାତ୍ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଠାରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ୩ କୋଟି ୮୯ ଲକ୍ଷ ଟଙ୍କା ଆଦାୟ କରିଥିଲେ, ଅଥଚ ଏହାକୁ ସରକାରୀ ତହବିଲ୍‌ରେ ଜମା କରାଯାଇନଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ସ୍ଥିତି ବି ତଦ୍ରୁପ। ପାଠ୍ୟ ପୁସ୍ତକ ଷ୍ଟକ୍ ଆକାଉଣ୍ଟରେ ୫ଲକ୍ଷ ୫୨ହଜାର ଟଙ୍କାର କ୍ଷତି ହୋଇଥିବା ଜଣାପଡିଥିଲା। ୨୫ ହଜାର ୫୯୨ ବହି ସଂପର୍କରେ ଖବର ନଥିଲା। ୩୭ କୋଟି ୪୫ଲକ୍ଷ ଟଙ୍କାର ଆପତ୍ତିଜନକ ଖର୍ଚ୍ଚ ଅଡିଟ୍ ବେଳେ ନଜରକୁ ଆସିଥିଲା। ୨୭ କୋଟି ୬୬ଲକ୍ଷ ଟଙ୍କାର ଭାଉଚର୍ ଅଧିକାରୀମାନେ ଦେଇପାରିନଥିଲେ। ବଜେଟ୍ ବାହାରେ ପାଖାପାଖି ୯ କୋଟି ୭୯ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ୩କୋଟି ଟଙ୍କା ଆପତ୍ତିଜନକ ଖର୍ଚ୍ଚ ହୋଇଥିବା ଅଡିଟ୍ ବେଳେ ଧରା ପଡ଼ିଥିଲା।

ସମ୍ବନ୍ଧିତ ଖବର