ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାକୁ ୬ କିମି ବେଗରେ ଗତି କରୁଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା ଯଥା-ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ସବୁଠାରୁ ଅଧିକ ପ୍ରଭାବିତ ହେବ। ଏହିସବୁ ଜିଲ୍ଲାଗୁଡ଼ିକୁ ରେଡ୍‌ ଜୋନ୍‌ ଅନ୍ତର୍ଭୁକ୍ତ କରାଯାଇଛି। କାକିନାଡ଼ା ଓ ମଚ୍ଛଲିପଟନମ୍‌ ଯେଉଁଠାରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ମାଲକାନଗିରି ସେଠାରୁ ମାତ୍ର ୨୦୦ କିଲୋମିଟର ଦୂରରେ ଅବସ୍ଥିତ। ତେଣୁ ଏଠାରେ ଅଧିକ ପ୍ରଭାବ ପଡ଼ିବ। ‌୮ଟି ଜିଲ୍ଲାରେ ବର୍ଷା, ପବନ ହେବାକୁ ଥିବାବେଳେ ବାକି ୨୨ଟି ଯାକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହାକୁ ନଜରରେ ରଖି ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୩୦ଟି ଜିଲ୍ଲାପାଳଙ୍କ ସହ ଆଭାସୀ ମାଧ୍ୟମରେ ବାତ୍ୟା ପ୍ରସ୍ତୁତି ଓ ଏହାର ମୁକାବିଲା ନେଇ ସବିଶେଷ ଆଲୋଚନା ହୋଇଛି। 

Advertisment

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ସଂପୃକ୍ତ ବିଭାଗଗୁଡ଼ିକ ସହ ଆଲୋଚନା କରାଯାଇଛି। ଆବଶ୍ୟକ ପଡ଼ିଲେ ପଡ଼ୋଶୀ ଜିଲ୍ଲାକୁ ସହାୟତା କରିବା ପାଇଁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗଜପତି ଜିଲ୍ଲାରେ ସମ୍ଭାବ୍ୟ ଭୂସ୍ଖଳନର ଆଶଙ୍କା ଥିବାରୁ ସେଠାରେ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀଙ୍କୁ ଆଗୁଆ ମୁତୟନ କରାଯାଇଛି।
ସେହିପରି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଶକ୍ତି ବିଭାଗ ସହ ଆଲୋଚନା କରାଯାଇଛି। ଡାକ୍ତରଖାନା, ଜରୁରୀ ସେବା, ପାନୀୟ ଜଳ ଯୋଗାଇଦେବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ବୟସ୍କ, ଶିଶୁମାନଙ୍କୁ ଆଗୁଆ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆସନ୍ନ ପ୍ରସବାମାନଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ରଖାଯିବ। ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଭଳି ଉଚ୍ଚସ୍ଥାନରେ ଥିବା ଲୋକମାନଙ୍କୁ ସମତଳ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରି ଆସିଲେଣି। ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି।

ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାବନ୍ୟା ଆଶ୍ରୟସ୍ଥଳୀ ସହ ସ୍କୁଲ ଘର ଓ ଗୋଷ୍ଠୀ କେନ୍ଦ୍ରଗୁଡ଼ିକୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ କେତେକ ଜିଲ୍ଲାରେ ଧାନ ଅମଳର ସମୟ ହୋଇଥିବାରୁ ଆଗାମୀ ୨୪ଘଣ୍ଟା ମଧ୍ୟରେ ନିଜର ଶସ୍ୟକୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ସହରାଞ୍ଚଳଗୁଡ଼ିକ ଜଳମଗ୍ନ ହେବାର ଆଶଙ୍କା ରହିଥିବାରୁ ଆବଶ୍ୟକସ୍ଥଳେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ପୌରସଂସ୍ଥାଗୁଡ଼ିକୁ କୁହାଯାଇଛି। ଜଳସମ୍ପଦ ବିଭାଗ ସହିତ ମଧ୍ୟ ନଦୀର ଜଳସ୍ତର ନେଇ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। 

ସ୍ୱତନ୍ତ୍ର ରିଲିଫ୍‌ କମିଶନର ଡି.କେ ସିଂହ କହିଛନ୍ତି ଯେ ଆଜି ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଛି। ରେଡ୍‌ ଜୋନ୍‌ରେ ଥିବା ୮ଟି ଜିଲ୍ଲାରେ ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହୋଇଯାଇପାରେ। ୨୮ ଓ ୨୯ ତାରିଖ ବେଳକୁ ବର୍ଷାର ପ୍ରଭାବ ବୃଦ୍ଧି ପାଇବ ଏବଂ ୩୦ ତାରିଖ ବେଳକୁ ପ୍ରଭାବ ହ୍ରାସ ପାଇବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୧୨୮ଟି ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀ ଦଳଙ୍କୁ ୮ଟି ଜିଲ୍ଲାରେ ମୁତୟନ କରାଯାଇଛି। ଜିଲ୍ଲାପାଳମାନଙ୍କୁ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ବିପଦ ଆଶଙ୍କା ଥିବା ସ୍ଥାନମାନଙ୍କରୁ ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।