ଝାରସୁଗୁଡ଼ା : ନକଲି ଔଷଧ କାରବାର କରି ଲୋକଙ୍କ ଜୀବନ ସହିତ ଖେଳୁଥିବା ବେଳେ ଏବେ କିଛି ଔଷଧ ଦୋକାନୀ ଧରାପଡ଼ିଛନ୍ତି। ମାତ୍ର ଏହା ବାହାରେ ଆହୁରି ଅନେକ ଔଷଧ ବ୍ୟବସାୟୀ ବହୁଦିନରୁ ନକଲି ଔଷଧ କାରବାର କରି ଆସୁଥିଲେ ମଧ୍ୟ ସେମାନେ ଧରାପଡ଼ୁନଥିବା କୁହାଯାଉଛି। ଝାରସୁଗୁଡ଼ା ସହରରେ କେବଳ ଅମିତ ମେଡିକାଲ ଏଜେନ୍ସି ନୁହେଁ ଆହୁରି ଅନେକ ଔଷଧ ବ୍ୟବସାୟୀ ନକଲି ଔଷଧ ଭଳି ଘୃଣ୍ୟ କାର୍ଯ୍ୟରେ ସଂଶ୍ଳିଷ୍ଟ ବୋଲି ଅଭିଯୋଗ ହେଉଛି।
ଗତକାଲି ଝାରସୁଗୁଡ଼ା ରେଞ୍ଜ ଡ୍ରଗ୍ସ ଇନ୍ସପେକ୍ଟର ସୁନିତା ଦେହୁରୀଙ୍କ ଏତଲାକ୍ରମେ ପୁଲିସ କେସ ନମ୍ବର ୫୨/୨୩ରେ ଏକ ମାମଲାର ରୁଜୁ କରିଛି। ଏତଲାରେ ୪ ଜଣଙ୍କ ନାମ ଉଲ୍ଲେଖ ରହିଛି। ଏଥିରେ ଝାରସୁଗୁଡ଼ା ଅମିତ ମେଡିକାଲ ଏଜେନ୍ସିର ମାଲିକ ଅମିତ ସରାୱଗି (୪୩), ପରିଚାଳକ ଅଜୟ ସରାୱଗି (୪୧), ଔଷଧ ଯୋଗାଣକାରୀ ସଂସ୍ଥା ଉତ୍ତରପ୍ରଦେଶ ବାରାଣାସୀ ସୋନାପୁରର ବେବି ଏଣ୍ଟରପ୍ରାଇଜେସ୍ର ମାଲିକ ଶୁଭମ ଜୟସ୍ବାଲ(୩୦) ଏବଂ ଚ୍ୟୋବେପୁର ବାରାଣାସୀର ଜେପି ମେଡିକାଲସ୍ର ମାଲିକାଣୀ ଜ୍ୟୋତି ଜ୍ୟୋତି (୨୮)ଙ୍କ ନାମରେ ଭାରତୀୟ ଦଣ୍ଡବିଧି ଆଇନର ୨୭୪, ୨୭୫, ୨୭୬, ୪୨୦, ୪୬୮, ୪୬୫, ୪୬୯, ୪୭୧, ୪୮୩, ୪୮୬, ୪୮୯, ୧୨୦-ବି ଦଫା ସହିତ ୧୦୩, ୧୦୪, ୧୦୭ ଟ୍ରେଡମାର୍କ ଆକ୍ଟ ୧୯୯୯/୬୩ ଏବଂ କପିରାଇଟ ଆକ୍ଟ ୧୯୫୭ ରୁଜୁ କରାଯାଇଛି। ପୁଲିସ ଝାରସୁଗୁଡ଼ାର ଦୁଇଭାଇ ଅମିତ ଓ ଅଜୟଙ୍କୁ ଗିରଫ କରିଥିବା ବେଳେ ଏକ ଟିମ୍ ଉତ୍ତରପ୍ରଦେଶର ବାରାଣାସୀ ଅଭିମୁଖେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଯାଇଥିବା ଜଣାଯାଇଛି।
ରାଜ୍ୟରେ ନକଲି ଔଷଧ କାରବାର ନେଇ ଅଭିଯୋଗ ହେବା ପରେ ରାଜ୍ୟ ଡ୍ରଗ୍ସ ବିଭାଗର ସ୍ବତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସନ୍ଦିଗ୍ଧ ଔଷଧର ନମୁନା ସଂଗ୍ରହ କରି ପରୀକ୍ଷାଗାରରେ ପରୀକ୍ଷା ପରେ ଏହା ନକଲି ବୋଲି ଜଣାପଡ଼ିଥିଲା। ଗତ ବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ବିଭିନ୍ନ ଦିନ ରାଉରକେଲା ସହକାରୀ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନେତୃତ୍ବରେ ଝାରସୁଗୁଡ଼ା ଠାରେ ଅବିଭିନ୍ନ ଔଷଧ ଦୋକାନରେ ଚଢ଼ାଉ କରାଯାଇ ସେମ୍ପୁଲ ସଂଗ୍ରହ କରାଯାଇଥିଲା ଓ ସଂଦେହରେ ଅମିତ ମେଡିକାଲ ଏଜେନ୍ସିରେ ଥିବା ସନ୍ଧିଗ୍ଧ ଔଷଧର ଷ୍ଟକ ଓ ବିଲ ଯାଞ୍ଚ କରି ଜବତ କରାଯାଇଥିଲା। ଅନୁସନ୍ଧାନ ପରେ ଗତକାଲି ଭୁବନେଶ୍ବରରୁ ଆସିଥିବା ରାଜ୍ୟ ଔଷଧ ନିୟନ୍ତ୍ରଣ ବିଭାଗର ଟିମ୍ଙ୍କ ଉପସ୍ଥିତିରେ ଏତଲା ଦାଖଲ କରାଯାଇଥିଲା।
ଝାରସୁଗୁଡ଼ା ଠାରେ ଡ୍ରଗ୍ସ କାରବାରରେ ବହୁ ଲୋକ ସଂପୃକ୍ତ ଥିବା ବେଳେ ସହରର ମଙ୍ଗଲବଜାର, ରେଳଷ୍ଟେସନ ଅଞ୍ଚଳ ଡ୍ରଗ୍ସ କାରବାରର ପେଣ୍ଠ ପାଲଟିଛି। ବହୁ ଯୁବକ, ଶିଶୁ ଓ ମହିଳା କଫ୍ସିରପ, ସଲ୍ୟୁସନ ଭଳି ନିଶା ବ୍ୟବହାର କରୁଥିବାରୁ ବହୁ ଚା’ ଦୋକାନ ଓ ପାନ ଦୋକାନରେ ମଧ୍ୟ ଏହା ବିକ୍ରି ହେଉଥିବା ଜଣାଯାଇଛି। ଏହି ପାନ ଦୋକାନ ଚା’ ଦୋକାନମାନଙ୍କୁ ବହୁ ଔଷଧ ଦୋକାନୀ କଫ୍ସିରପ୍ ଯୋଗଇ ଦେଉଥିବା ଅଭିଯୋଗ ହୋଇଛି।