ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଜାଲ୍‌ ସାର୍ଟିଫିକେଟ୍‌ କାରବାର ବଢ଼ିବାରେ ଲାଗିଛି। ବହୁ ଶିକ୍ଷକଶିକ୍ଷୟିତ୍ରୀ ନକଲି ପ୍ରମାଣପତ୍ର ଦେଇ ଚାକିରି କରି ଧରାପଡ଼ିଛନ୍ତି। ଏଭଳି ସ୍ଥିତିରେ ଗତ ପ୍ରାୟ ଦେଢ଼ମାସ ତଳେ ବ୍ରହ୍ମପୁର ପୁଲିସ ଗଞ୍ଜାମ ଜିଲ୍ଲାରେ ଅପରେଟ୍‌ କରୁଥିବା ଏକ ନକଲି ଜାଲ୍‌ ସାର୍ଟିଫିକେଟ୍‌ ରାକେଟ୍‌କୁ ଠାବ କରିଥିଲା। ରାକେଟ୍‌ର ମାଷ୍ଟର୍‌ମାଇଣ୍ଡ୍‌ ଥିବା ଶିକ୍ଷକ ଦୈତାରୀ ବେହେରା, ପୁଅ ଅମୃତ ପ୍ରସାଦ ବେହେରାଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲା। ଗୋସାଇଁ ନୂଆଗାଁ ଥାନା ପୁଲିସ ଏହି ମାମଲାର ତଦନ୍ତ କରୁଛି। ହେଲେ, ବର୍ତ୍ତମାନ ସୁଦ୍ଧା ଏହି ରାକେଟ୍‌ର ଚେର ଖୋଜି ପାଉନି ପୁଲିସ। କାହାର ଛତ୍ରଛାୟା ତଳେ ରହି ଶିକ୍ଷକ ଦୈତାରୀ ଏହି ରାକେଟ୍‌ ଚଳାଉଥିଲେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ଶିକ୍ଷକ ଦୈତାରୀ ବର୍ତ୍ତମାନ ନିଲମ୍ବନରେ ଥିବାବେଳେ ତାଙ୍କର ସମସ୍ତ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି କହିଛନ୍ତି। ଯାଞ୍ଚ ପରେ ତାଙ୍କର ଶିକ୍ଷା ପ୍ରମାଣପତ୍ର ଅସଲି କି ନକିଲ ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

Advertisment

ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୪୧ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ନାମରେ ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗର ତଦନ୍ତ କରୁଛି ଜିଲ୍ଲା ଶିକ୍ଷା ବିଭାଗ। ଯାଞ୍ଚ ପରେ ଜାଲ୍‌ ଚିହ୍ନଟ ହୋଇଥିବା ୯୬ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିବା ବେଳେ ୪୭ଜଣ ଚାକିରିରୁ ବିଦାହୋଇ ସାରିଲେଣି। ଅନ୍ୟପଟେ ବାହାର ରାଜ୍ୟର ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇ ଗଞ୍ଜାମ ଜିଲ୍ଲାରେ ବହୁ ଶିକ୍ଷକଶିକ୍ଷୟିତ୍ରୀ ଚାକିରି କରୁଛନ୍ତି। ଗଞ୍ଜାମ ଜିଲ୍ଲାରେ ସେଭଳି ପ୍ରାୟ ୨ଶହ ଶିକ୍ଷକଶିକ୍ଷୟିତ୍ରୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ମଧ୍ୟ ଶିକ୍ଷା ବିଭାଗ ନିକଟରେ ଦାବି କରାଯାଇଛି।

publive-image
ଗତ ଏପ୍ରିଲ୍‌ ୨୪ତାରିଖରେ ଗୋସାଇଁ ନୂଆଗାଁ ଥାନା ପୁଲିସ ଆନ୍ଧ୍ରପ୍ରଦେଶର ଗୁଣ୍ଠୁର ସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟର ଏକ ନକଲି ବିଇଡି ସାର୍ଟିଫିକେଟ୍‌ ପାଇଥିବା ଅଭିଯୋଗକାରୀଙ୍କ ଅଭିଯୋଗ ଉପରେ ତଦନ୍ତ କରି ଜାଲ୍‌ ସାର୍ଟିଫିକେଟ୍‌ ରାକେଟ୍‌ ଠାବ କରିଥିଲା। ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ବର ଗ୍ରାମର ଦୈତାରୀ ହିଁ ଏହି କାରବାରର ମାଷ୍ଟର୍‌ମାଇଣ୍ଡ୍‌ ବୋଲି ପୁଲିସ ଜାଣିବାକୁ ପାଇଥିଲା। ସେ ତାଙ୍କ ପୁଅ ସହୟତାରେ ଅନ୍ୟ ଦୁଇଜଣଙ୍କୁ ନେଇ ନକଲି ସାର୍ଟିଫିକେଟ୍‌ ବେପାର କରୁଥିଲେ। ସେମାନେ ହେଲେ, ଢେଙ୍କାନାଳର ପ୍ରଶାନ୍ତ ସାହୁ ଓ କଟକର କିଶୋର ବେହେରା।

ପ୍ରଶାନ୍ତଙ୍କ ଘର ଓ ଦୋକାନରୁ ପୁଲିସ ମାଟ୍ରିକଠାରୁ ଆରମ୍ଭ କରି +୨ ସାର୍ଟିଫିକେଟ୍, ଧନ୍ଦାମୂଳକ ଶିକ୍ଷା, ଇଞ୍ଜିନିୟର୍, ହୋମିଓପାଥି ଡାକ୍ତର ସାର୍ଟିଫିକେଟ୍‌ ସହିତ ଆନ୍ଧ୍ରର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ କଲେଜର ସାର୍ଟିଫିକେଟ୍, ଛତିଶଗଡ଼ର ମାଟ୍ରିକ୍‌ ସାର୍ଟିଫିକେଟ୍ ଜବତ କରିଥିଲା। ତେବେ ଏହି କାରବାରର ଚେର ବାହାର ରାଜ୍ୟକୁ ଲମ୍ବିଥିବା ନେଇ ପୁଲିସ ସୁରାକ୍ ପାଇଥିଲା। ଏଣୁ ବ୍ରହ୍ମପୁର ପୁଲିସ ତଦନ୍ତ ପାଇଁ ବାହାର ରାଜ୍ୟକୁ ମଧ୍ୟ ଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତଦନ୍ତରେ ସେଭଳି କିଛି ଅଗ୍ରଗତି ଦେଖିବାକୁ ମିଳିନାହିଁ। ଏତେ ବଡ଼ ରାକେଟ୍‌ କେତେଦିନ ଧରି ଚାଲିଥିଲା ଓ କେତେ ପିଲାଙ୍କୁ ନକଲି ସାର୍ଟିଫିକେଟ୍‌ ବିକ୍ରି ହୋଇଛି, ତାହା ଉପରୁ ପୁଲିସ ପରଦା ଉଠାଇପାରି ନାହିଁ। ଦୀର୍ଘଦିନ ଧରି ଏହି କାରବାର ଚାଲିଥିବା ଯୋଗୁଁ ଯାଞ୍ଚ ହେଲେ ବହୁସଂଖ୍ୟାରେ ନକଲି ଶିକ୍ଷକ ଓ କର୍ମଚାରୀ ବାହାରିବେ ବୋଲି କୁହାଯାଉଛି।