କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ପଏର ପଞ୍ଚାୟତର ବିଭିନ୍ନ ଗାଁରେ ଧାନ ଫସଲରେ ମାଟିଆଗଣ୍ତି ଓ ଗଣ୍ଠିପୋକ ବ୍ୟାପିବାରେ ଲାଗିଛି। ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। କୃଷି ବିଭାଗର ପରାମର୍ଶ ଅନୁସାରେ ଚାଷୀମାନେ ସରକାରୀ ବିହନ ଆଣି ଚାଷ କରିଥିଲେ। ଆବଶ୍ୟକତା ଅନୁଯାୟୀ ଔଷଧ ପ୍ରୟୋଗ କରିଥିଲେ ସୁଦ୍ଧା ବର୍ତ୍ତମାନ ଫସଲରେ ରୋଗପୋକ ଦେଖା ଦେଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।
ପଏର ପଞ୍ଚାୟତ ମହୁଲଭଟା ଗାଁର କୈଳାସ ଭୋଇ, ନନ୍ଦିଘୋଷ ଖମାରୀ, ଯୁଗଲେଶ୍ବର ଭୋଇ, କୃଷ୍ଣଚନ୍ଦ୍ର ଖମାରୀ, ଧବଳେଶ୍ବର ଭୋଇ, ସାରଦା ଖମାରୀ, ଅଭୟ ଭୋଇ, ମଦନ ଶବର ପ୍ରମୁଖ ବହୁ ଚାଷୀଙ୍କ ଧାନ ଫସଲରେ ଏହି ରୋଗ ଦେଖା ଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କ ଅଭିଯୋଗ ପରେ ବୁଧବାର ନୂଆପଡ଼ା କୃଷି ବୈଜ୍ଞାନିକ ଶ୍ରୀ ମୀନା, କୋମନା କୃଷି ଅଧିକାରୀ ଆଶିଷ ମେହେର ପ୍ରମୁଖ ଚାଷ ଜମି ପରିଦର୍ଶନ କରିବା ସହ ଚାଷୀଙ୍କ ସହ ଆଲୋଚନା କରି ଫେରି ଯାଇଛନ୍ତି।