ପୁଣ୍ୟତିଥିରେ ଝୁରିଲା ଜନ୍ମମାଟି

କରଞ୍ଜିଆ/କରଞ୍ଜିଆ ଗୋଲେଇ: ଓଡ଼ିଆ ଚଳଚ୍ଚିତ୍ର ଜଗତର ହାକିମ ବାବୁ ଅଜିତ ଦାସଙ୍କ ଦ୍ବିତୀୟ ପୁଣ୍ୟତିଥିରେ କରଞ୍ଜିଆବାସୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କରଞ୍ଜିଆର କଳା ଓ କ୍ରୀଡ଼ା କ୍ଷେତ୍ରରେ ଯେଉଁମାନଙ୍କ ଅବଦାନ ରହିଛି ସେଥିମଧ୍ୟରୁ ଅଭିନେତା ନିର୍ଦ୍ଦେଶକ ଅଜିତ ଦାସ ଅନ୍ୟତମ। ପିଲାଦିନରୁ ମଞ୍ଚ ନାଟକ ପ୍ରତି ଆଗ୍ରହୀ ଥିବା ଅଜିତ ତାଙ୍କ ବଡ଼ବାପାଙ୍କ ପ୍ରେରଣାରେ ଅନେକ ନାଟକରେ ଅଭିନୟ କରିଛନ୍ତି। ଏଥିପାଇଁ ବାପା ଶୈଳେଶ ଚନ୍ଦ୍ର ଦାସଙ୍କଠାରୁ ବହୁତ ଗାଳି ଶୁଣିବାକୁ ପଡୁଥିଲା। କରଞ୍ଜିଆ ଉଚ୍ଚବିଦ୍ୟାଳୟ, କରଞ୍ଜିଆ କଲେଜରେ ସ୍ନାତକ ଡିଗ୍ରି ଅଧ୍ୟୟନ ସମୟରେ କରଞ୍ଜିଆ ଟାଉନ୍‌ କ୍ଲବ୍‌ ମଞ୍ଚରେ ଡ୍ରାମା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିନୟ ପ୍ରତି ଦୁର୍ବଳତା ଥିବା ଅଜିତଙ୍କୁ ଦିଲ୍ଲୀ ଏନ୍ଏସ୍‌ଡିରେ ପଢ଼ିବାର ସୁଯୋଗ ମିଳିଥିଲା ଏବଂ ସେ ଦିଲ୍ଲୀ ଯାଇ ଅଭିନୟ ପାଇଁ ପ୍ରଶିକ୍ଷଣ ନେଇଥିଲେ। ଜ଼ିଲ୍ଲାର ବିଜୟ ମହାନ୍ତି ମଧ୍ୟ ତାଙ୍କ ସହିତ ଏହି ଅଭିନୟ ଶିକ୍ଷା ପାଇଁ ଦିଲ୍ଲୀ ଯାଇଥିଲେ। ହିନ୍ଦୀ ଫିଲ୍ମର ସୁନାମ ଅଭିନେତା ରାଜ ବବର, ନାସିରୁଦ୍ଦିନ ସାହା ମଧ୍ୟ ସେଠାରେ ଶିକ୍ଷାଲାଭ କରୁଥିଲେ।

ଦିଲ୍ଲୀରେ ଶିକ୍ଷା ଶେଷ କରି ଓଡ଼ିଶା ଫେରିଥିଲେ। ବମ୍ବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁ ସୁଯୋଗ ମିଳିଥିଲେ ବି ସେ ଓଡ଼ିଶା ମାଟିକୁ ଛାଡ଼ି ପାରିନଥିଲେ। ସେହି ସମୟରେ ଭୁବନେଶ୍ୱରରେ ସଙ୍ଗୀତ ନାଟକ ମହାବିଦ୍ୟାଳୟରେ ଦୁଇଟି ପଦବି ଖାଲିଥିଲା। ସେ ଆବେଦନ କରିବାରୁ ସେଠାରେ ବିଜୟ ମହାନ୍ତିଙ୍କ ସହିତ ଅଧ୍ୟାପନା କରିବାର ସୁଯୋଗ ମିଳିଥିଲା। ଓଡ଼ିଆ ଫିଲ୍ମ ସିନ୍ଦୂର ବିନ୍ଦୁରେ ପ୍ରଥମେ ଅଜିତ ଦାସଙ୍କୁ ଖଳନାୟକ ଭୂମିକାରେ ସୁଯୋଗ ମିଳିଥିଲା। ସେଥିରେ ତାଙ୍କ ନିଖୁଣ ଅଭିନୟକୁ ଢେର ପ୍ରଶଂସା ମିଳିଥିଲା। ତା ପରେ ସେ ଆଉ ଅଭିନୟରେ ପଛକୁ ଫେରିନାହାନ୍ତି। ତୁଣ୍ଡବାଇଦ, ଅଭିମାନ, ପିପାସା, ଶେଷ ଶ୍ରାବଣ, ଗୋଲାମ ଗିରି, ଝିଅଟି ସୀତାପରି, ହାକିମ୍‌ ବାବୁ ପରି ୬୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ଚମତ୍କାର  ଅଭିନୟ କରି ଦର୍ଶକଙ୍କ ହୃଦୟ ଛୁଇଁ ପାରିଥିଲେ। ହାକିମ ବାବୁ ଚଳଚ୍ଚିତ୍ରରେ ଶ୍ରେଷ୍ଠ ଅଭିନୟ ପାଇଁ ରାଜ୍ୟ ସରକାରଙ୍କଠାରୁ ପୁରସ୍କୃତ ହୋଇଥିଲେ।

ଅଭିନୟ ଜଗତରେ ସ୍ବର୍ଗତ ଦାସ ସଫଳତା ଯେଉଁ ପାଦଚି଼ହ୍ନ ଛାଡ଼ି ଯାଇଛନ୍ତି ତାହା ଚିରକାଳ ସ୍ମୃତିଚି଼ହ୍ନ ହୋଇ ରହିବ ଏଥିରେ ତିଳେ ହେଁ ସନ୍ଦେହ ନାହିଁ। ଅଭିନୟ ବ୍ୟତୀତ ସେ ୧୦୦ରୁ ଊର୍ଦ୍ଧ୍ବ ନାଟକରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ତାଙ୍କ ଶେଷ ନିର୍ଦ୍ଦେଶନା ଥିଲା ୨୦୧୯ର ନାଟକ ପର୍ଶୁରାମ।  ଦିଲ୍ଲୀରେ ଅଭିନୟ ଶିକ୍ଷା ନେଉଥିବାବେଳେ ମାୟା ଦାସଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ପରେ ସେ ତାଙ୍କୁ ବିବାହ କରିଥିଲେ। ତାଙ୍କର ୩ ଝିଅ  ସମସ୍ତେ ପ୍ରତିଷ୍ଠିତ। ଗତ ଦୁଇବର୍ଷ ତଳେ ସମଗ୍ର ବିଶ୍ୱରେ କରୋନାର ପ୍ରକୋପ ଦେଖାଦେଇଥିଲା। ସେ ଓ ତାଙ୍କ ସ୍ତ୍ରୀ ମାୟା ଦାସ କରୋନା ଆକ୍ରାନ୍ତ ହୋଇଥିଲେ। ମାୟା ଦାସ ଆରୋଗ୍ୟ ହୋଇଥିବାବେଳେ ଅଜିତ ଦାସ ସମସ୍ତ ଚେଷ୍ଟା ସ‌ତ୍ତ୍ବେ ଆରପାରିକୁ ଚାଲିଗଲେ। ତାଙ୍କ ବିୟୋଗରେ ଜଳା ଜଗତ ସ୍ତମ୍ଭୀଭୂତ ହୋଇ ଯାଇଥିଲା।

ତାଙ୍କର ଭୁବନେଶ୍ବରସ୍ଥିତ ବାସଭବନରେ ଅଜିତ ନାମରେ ଏକ ନାଟ୍ୟ ପ୍ରଶିକ୍ଷଣ ସଂସ୍ଥା ଅଛି। ତାଙ୍କ ସାନଭାଇ  ମୋହିତନାରାୟଣ ଦାସଙ୍କ କହିବା ଅନୁଯାୟୀ,  ଭାଇ ଅଜିତ ପିଲାବେଳୁ ନାଟୁଆ ଥିଲେ, ବଡ଼ବାପା ସୁଧୀର ଦାସଙ୍କ ଏକ ନାଟକ ସଂସ୍ଥା ଥିଲା। ତାଙ୍କ ନିର୍ଦ୍ଦେଶନାରେ ହିରୋ ଓ ହିରୋଇନ ଭୂମିକାରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ ଅଜିତ ଭାଇ। ତାଙ୍କର ଅଭିନୟ ତାଙ୍କୁ ଅମର କରି ରଖିଛି। ସେ ଏକ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବନାହିଁ। ସେ ମରି ମଧ୍ୟ ଅମର ଅଛନ୍ତି। ଆଜି ବି କରଞ୍ଜିଆ ମାଟିର ଯୋଗ୍ୟ ସନ୍ତାନ ଅଜିତଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ତିଥିରେ କରଞ୍ଜିଆବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କୁ ଜନ୍ମମାଟି କରଞ୍ଜିଆ ମାଟି ଝୁରୁଛି ଓ ଝୁରୁଥିବ ମଧ୍ୟ।

ସମ୍ବନ୍ଧିତ ଖବର