ରାଜନଗର: ‘ଲକ୍ଷ୍ମୀଧର ବାବୁଙ୍କୁ ରାଜନୀତି ଭିତରେ ସୀମିତ କରି ଉପସ୍ଥାପନ କଲେ ତାଙ୍କର ବ୍ୟକ୍ତିତ୍ୱ ଓ ଗୁଣକୁ ଉପଯୁକ୍ତ ଭାବେ ବିଚାର କରାଯାଇ ପାରିବ ନାହିଁ। ସେ ଆତ୍ମପ୍ରଚାର ବିରୋଧୀ ଥିଲେ। ସେ ଶିକ୍ଷକ ଥିଲେ, ସ୍ୱାଭିମାନୀ ଥିଲେ। ଅନେକ ଲୋକ ସ୍ୱାଭିମାନକୁ ଅହଙ୍କାର ଭାବେ ଉପସ୍ଥାପନ କରନ୍ତି। ସେ ଅସ୍ମିତାର ପୂଜାରୀ ଥିଲେ, ଅହଙ୍କାରର ବିରୋଧୀ ଥିଲେ ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ। ରାଜନଗରସ୍ଥିତ କେସି ମଣ୍ଡପରେ ଲକ୍ଷ୍ମୀଧର ଲେଙ୍କା ସ୍ମୃତି ପରିଷଦ ପକ୍ଷରୁ ସ୍ବର୍ଗତ ଲେଙ୍କାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଅହଙ୍କାରର ଏକମାତ୍ର ଔଷଧ ହେଲା କୃତଜ୍ଞ ରହିବା।

Advertisment

ରାଜନୈତିକ ଜୀବନରେ ପ୍ରବେଶ କରିବା ପରେ ସେ ଭୁବନେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିଲେ। ଦଳ ତରଫରୁ ଲକ୍ଷ୍ମୀଧର ଲେଙ୍କାଙ୍କୁ ନିର୍ବାଚନ କାର୍ଯ୍ୟ ବୁଝିବା ପାଇଁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ଭଳି ଜଣେ ନିର୍ବାଚନ ପ୍ରଭାରୀ ବିରଳ। ନିର୍ବାଚନ କେମିତି ହେଲା, ସେ କେମିତି ଜିତିଲେ, ବୁଥ୍‌ ମ୍ୟାନେଜ୍‌ମେଣ୍ଟ କେମିତି ହେ‌ଲା,‌ ସେ ସଂପର୍କରେ ନିଜେ ଶେଷ ପର୍ଯ୍ୟନ୍ତ ଜାଣି ପାରି ନଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିବା ସହିତ ଲକ୍ଷ୍ମୀଧର ବାବୁ ନ ଥିଲେ ହୁଏତ ସେ ନିର୍ବାଚନ ଜିତିପାରି ନ ଥା’ନ୍ତେ ବୋଲି କହିଛନ୍ତି। ନିର୍ବାଚନ ପରିଚାଳନାରେ ଲକ୍ଷ୍ମୀଧର ବାବୁ କେବେ ବଡ଼ଭାଇ ପଣିଆ ଜାହିର କରିନାହାନ୍ତି। ବରିଷ୍ଠ କଂଗ୍ରେସ ନେତା ହିସାବରେ ନାଲି ଆଖି ଦେଖାଇ ନାହାନ୍ତି। ତେଣୁ ତାଙ୍କୁ କୃତଜ୍ଞତା ଜଣାଇବାକୁ ସେ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଆସିଛନ୍ତି। ଆମର ଉଚ୍ଚାରଣ ଓ ଆଚରଣରେ ଲକ୍ଷ୍ମୀଧର ବାବୁଙ୍କର କିଛି କିଛି ଗୁଣ ଯଦି ପ୍ରତିଫଳିତ ନ ହୁଏ, ତେବେ ତାଙ୍କର ଶ୍ରାଦ୍ଧବାର୍ଷିକୀ ପାଳନ କରି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେ‌ଇପାରିବା ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପଣ୍ଡିତ ଶରତଚନ୍ଦ୍ର ମହାପାତ୍ରଙ୍କ ପୌରୋହିତ୍ୟ ତଥା ସ୍ମୃତି ପରିଷଦର ସମ୍ପାଦକ ପ୍ରଫେସର ସତ୍ୟବାଦୀ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଲକ୍ଷ୍ମୀଧର ଲେଙ୍କାଙ୍କ ପୁଅ ଲଳିତମୋହନ ଲେଙ୍କା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।