ମୃତ ଘୋଷିତ ଯୁବକ ୧୯ ମାସ ପରେ ଫେରିଥିଲେ

ହତ୍ୟା ଅଭିଯୋଗରେ ୨ ଯୁବକଙ୍କୁ ଗିରଫ କରିଥିଲା ପୁଲିସ

ବରଗଡ଼ : ପୁଲିସ କିପରି ଉପରଠାଉରିଆ ଭାବେ ତଦନ୍ତ କରୁଛି ଏବଂ ଜୀବିତ ଥିବା ଜଣେ ଯୁବକଙ୍କ ହତ୍ୟା ଅଭିଯୋଗ‌େର ନିର୍ଦ୍ଦୋଷଙ୍କୁ ଗିରଫ କରି ଜେଲ ପଠା‌ଉଛି ତାହାର ଏକ ନଗ୍ନ ନମୁନା ବରଗଡ଼ ଜିଲ୍ଲାରେ ମଧ୍ୟରେ ଦେଖିବାକୁ ମିଳିଥିଲା। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବୁଧବାର ଆଲୋଚନା ବେଳେ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ପଦ୍ମପୁରର ମୃତ ଘୋଷିତ ଜଣେ ଯୁବକ ଜୀବିତ ହୋଇ ଫେରିଥିବା ବିଷୟରେ ଉଲ୍ଲେଖ କରିଥିଲେ। ତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୁଇ ଜଣ ଯୁବକ ଏବେ ବି ଜେଲ୍‌ରେ ଅଛନ୍ତି ବୋଲି ଶ୍ରୀ ନାଏକ ଦର୍ଶାଇଥିଲେ। ତେବେ ସୂଚନାରୁ ଜଣାପଡ଼ିଛି ଯେ ପ୍ରାୟ ଅଢ଼େଇ ବର୍ଷ ତଳେ ଯୁବକ ଜଣକ ନିଖୋଜ ହୋଇଯିବାରୁ ପୁଲିସ ତଦନ୍ତ କରି ହତ୍ୟା ମାମଲା ରୁଜୁ କରିଥି‌ଲା। ଆଉ ଏହାର ୧୯ ମାସ ପରେ ଯୁବକ ଜଣକ ଜୀବିତ ଥିବା ଜଣା ପଡ଼ିଥିଲା।

ଘଟଣାଟି ଥିଲା ଏହିପରି। ପାଇକମାଲ ଥାନା ମାଝିପାଲି ଗ୍ରାମର ମନୋର˚ଜନ ଡନସନାଙ୍କ ପୁଅ ଜିତୁ ପଦ୍ମପୁରସ୍ଥିତ ତ୍ରିପାଠୀ ଚାମ୍ବରରେ ରହି ଯୁକ୍ତ୨ ପାଠ ପଢୁଥିଲେ। ଅସୁସ୍ଥତା ଯୋଗୁଁ ୨୦୧୬ ଡିସେମ୍ବର ୭ ତାରିଖ ଦିନ ଚିକିତ୍ସା ପାଇଁ ବରଗଡ଼ ଆସିଥିଲେ। ସେ ଫେରୁଥିବା ବେଳେ ଜିରା ନଦୀ ନିକଟରେ ୨ଜଣ ଯୁବକ ତାଙ୍କୁ ମାରପିଟ୍‌ କରି ୨ଟି ମୋବାଇଲ ଓ ୨୦୦୦ଟଙ୍କା ଲୁଟି ନେଇଥିଲେ। ମାଡ଼ରେ ଅଚେତ ହୋଇପଡ଼ିଥିବା ଜିତୁଙ୍କୁ ମୃତ ବୋଲି ଭାବି ଜିରା ନଦୀ ବାଲିପଠାରେ ପକାଇ ଦେଇଥିଲେ। ସେହି ଦିନଠାରୁ ଜିତୁ ନିଖୋଜ ଥିଲେ।

ଜିତୁଙ୍କ ବାପା ମନୋର˚ଜନ ସେହି ମାସ ୨୫ ତାରିଖ ପାଇକମାଳ ଥାନାରେ ପୁଅର ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତନାଘନା ପରେ ବି ଜିତୁଙ୍କ କୌଣସି ଖୋଜଖବର ମିଳିନଥିଲା। ବହୁଦିନ ଯାଏ ପୁଅ ନମିଳିବାରୁ ଜିତୁଙ୍କ ବାପା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ ବରଗଡ଼ ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ତନାଘନା କରିବା ସହ ୨୦୧୭ ମସିହା ଅକ୍ଟୋବର ୨୨ ତାରିଖରେ ହଲୁ ଗୁଲା (୨୨) ଓ ରାଘବ ନାୟକ (୨୨) ନାମକ ଦୁଇ ଯୁବକଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଜିତୁଙ୍କ ଲୁଟ୍‌ ମୋବାଇଲ୍‌ ଜବତ କରିଥିଲା। ଦୁଇ ଯୁବକ ଜିତୁଙ୍କୁ ହତ୍ୟା କରିଥିବା ମଧୢ ସ୍ବୀକାର କରିଥିଲେ। ଆଇପିସିର ୩୦୨, ୨୦୧, ୩୪୧ ଭଳି ସଂଗିନ ଧାରାରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କିଛି ଦିନ ପରେ ସେମାନେ ଜାମିନରେ ମୁକୁଳିଥିଲେ। କିନ୍ତୁ ଜିତୁଙ୍କ ଶବ ମିଳିନଥିବାରୁ ସେ ଜୀବିତ ଥାଇପାରନ୍ତି ବୋଲି ପରିବାର ବର୍ଗ ଭାବୁଥିଲେ। ସେମାନେ କୌଣସି ଅନ୍ତ୍ୟେଷ୍ଟି କ୍ରିୟା ନକରି ଜିତୁଙ୍କ ଫେରିବା ବାଟକୁ ଅନାଇ ବସିଥିଲେ। ଶେଷରେ ଦୀର୍ଘ ୧୯ ମାସ ପରେ ଅର୍ଥାତ ୨୦୧୮ ଜୁଲାଇ ଦ୍ବିତୀୟ ସନ୍ତାହରେ ଜିତୁ ଘରକୁ ଫେରି ଆସିଥିଲେ। ।

ଅନ୍ୟପକ୍ଷରେ ପାଇକମାଳ ଥାନାଧିକାରୀ ବିଶ୍ବଜିତ ମନବୋଧ କହିଥିଲେ, ପାରିପାର୍ଶ୍ବିକ ସ୍ଥିତି ଏବ˚ ଅଭିଯୁକ୍ତଙ୍କ ବୟାନରୁ ସେତେବେଳେ ହତ୍ୟା ମାମଲା ରୁଜୁ ହୋଇଥିଲା। ଜିତୁ ଫେରିବା ପରେ ହତ୍ୟା ମାମଲା ପ୍ରତ୍ୟାହାର କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର