ସୂଚନା ଅଧିକାରୀ କର୍ମୀ ରଂଜନ ଦାସଙ୍କ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ/କେନ୍ଦ୍ରାପଡ଼ା : ବହୁ ଚର୍ଚ୍ଚିତ ପାଟକୁରା ଥାନା ମାଣିକପୁର ଗ୍ରାମର ସୂଚନା ଅଧିକାର କର୍ମୀ ରଂଜନ କୁମାର ଦାସଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସର ତଦନ୍ତ ପ୍ରକ୍ରିୟାରେ ଅସେନ୍ତାଷ ବ୍ୟକ୍ତ କରି ରଂଜନଙ୍କ ବାପା ଲକ୍ଷ୍ମୀଧର ଦାସ ଓ ଅନ୍ୟ ଜଣେ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ରଂଜନଙ୍କ ମୃତ୍ୟୁ ଘଟଣା ସଂପର୍କିତ ଭିଡିଓ କ୍ଲିପରୁ ପୁଲିସ ତଦନ୍ତ ଠିକ୍ ଭାବେ କରି ନଥିବା ସ୍ପଷ୍ଟ ହୋଇଥିଲା। ରଂଜନଙ୍କ ମୃତ୍ୟୁ ଘଟଣାର ତଦନ୍ତ ଗୋପନୀୟ ଢଙ୍ଗରେ ତଥା ସମସ୍ତ ଦିଗକୁ ପରିସରଭୁକ୍ତ ନ କରି ପୁଲିସ ସଂପୂର୍ଣ୍ଣ କରି ଥିବା ସ୍ପଷ୍ଟ ହୋଇଥିଲା। ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ପୁଲିସର ତଦନ୍ତ ଠିକ୍ ହୋଇନଥିବା ହାଇକୋର୍ଟ ଅନୁଭବ କରିବା ପରେ କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ପାଇଁ ବର୍ତ୍ତମାନର ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ କୁହାଯିବା ସହିତ ଦାୟିତ୍ବ ନେବାର ତିନି ମାସ ଭିତରେ ତଦନ୍ତ ଶେଷ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

୨୦୨୦ ଫେବ୍ରୁଆରି ୧ରେ ରଂଜନଙ୍କ ମୃତଦେହ ମାର୍ଶାଘାଇ ଥାନା ହଳଦିଆ–ପୋତାରୀ ରାସ୍ତା ବେରୁହାଁ ଗ୍ରାମ ନିକଟ ରାସ୍ତା କଡ଼ରୁ ମିଳିଥିଲା। ପୁଲିସ ତାଙ୍କ ଶବ ସହିତ ବାଇକକୁ ଜବତ୍ କରିଥିଲା। ଜଣେ ସୂଚନା ଅଧିକାର କର୍ମୀ ହିସାବରେ ବିଭିନ୍ନ ସମୟରେ ଦୁର୍ନୀତିର ପର୍ଦ୍ଦାଫାସ କରିଥିବାରୁ ସେ ଠିକାଦାର, ଲୋକ ପ୍ରତିନିଧି, ମାଫିଆ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଟାର୍ଗେଟ୍‌ରେ ରହୁଥିଲେ। ଏଭଳି ସ୍ଥିତିରେ ତାଙ୍କର ସନ୍ଦେହଜନକ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରନଥିଲେ। ଯୋଜନାବଦ୍ଧ ଭାବେ ରଂଜନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଅାଣି ପରିବାର ଲୋକ ମାର୍ଶାଘାଇ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। କିନ୍ତୁ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ପରିବାର ଲୋକ। ତଦନ୍ତ ଆଳରେ ପୁଲିସ ସମୟ ଗଡ଼ାଇ ଚାଲିଥିବା ପରିବାର ଲୋକ ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ରଂଜନଙ୍କ ବାପା ଲକ୍ଷ୍ମୀଧର ଦାସ ଓ ଅନ୍ୟ ଜଣେ ଆବେଦନରେ ରଂଜନଙ୍କ ମୃତ୍ୟୁ ଘଟଣାର ତଦନ୍ତ ଏସଆଇଟି (ସ୍ବାଧୀନ ଏଜେନ୍ସି ବା ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଦ୍ବାରା କରିବାକୁ ପ୍ରାର୍ଥନ କରିଥିଲେ। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ତଦନ୍ତ ଶେଷ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର