ମୃତ୍ୟୁର ଉପତ୍ୟକା ପାଲଟିଛି ରା.ଉଦୟଗିରି ଓ ନୂଆଗଡ଼ ବ୍ଲକ୍‌ : ୧୨ ଦିନରେ ୩୩ ମଲେଣି, ଦିନକରେ ୪

ଅଧିକାଂଶ ମୃତକଙ୍କ କୋଭିଡ୍‌ ପରୀକ୍ଷା ହୋଇନି

ରା.ଉଦୟଗିରି : ଗଜପତି ଜିଲ୍ଲା ରା.ଉଦୟଗିରି ଓ ନୂଆଗଡ଼ ବ୍ଲକ୍‌ରେ ମାତ୍ର ୧୨ଦିନ ଭିତରେ ୩୩ରୁ ଅଧିକ ପ୍ରାଣ ହରାଇଲେଣି। ରା.ଉଦୟଗିରିରେ ଗତକାଲି ଦିନକରେ ୩ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ସମସ୍ତଙ୍କ ଭିତରୁ ଅନେକଙ୍କର ମଧୁମେହ, ଉଚ୍ଚ ରକ୍ତଚାପ ଭଳି ପୁରୁଣା ରୋଗ ସହିତ ଜ୍ବର ଓ ଥଣ୍ତାକାଶ ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଇଛି। ଏଥିରୁ ଅଧିକା˚ଶ ନିଜ ସ୍ତରରେ କିମ୍ବା କ୍ବାକ୍‌ ନିକଟରେ ଚିକତ୍ସିତ ହୋଇ ପ୍ରାଣ ହରାଇଛନ୍ତି। କିନ୍ତୁ ମୃତକଙ୍କ ମଧୢରୁ ଅଧିକା˚ଶ ଡାକ୍ତରଖାନା ଯିବାକୁ ଉଚିତ୍‌ ମଣିନାହାନ୍ତି। ତେବେ ଏହି ସମୟରେ ଅସ୍ବାଭାବିକ ଭାବେ ପ୍ରାଣ ହରାଇବା କାରଣରୁ ସମସ୍ତଙ୍କ ମନରେ କାଳେ କରୋନା ଜନିତ ମୃତ୍ୟୁ ହୋଇଥିବ ବୋଲି ଭୟ ବସା ବାନ୍ଧିଛି। ଏସବୁ ମୃତ୍ୟୁର ହିସାବ ପ୍ରଶାସନ ପାଖରେ ମଧ୍ୟ ନାହିଁ।

କରୋନା ଜନିତ ଭୟ ଗାଁ ଗହଳିରେ ଲୋକଙ୍କୁ ଏମିତି ଗ୍ରାସିଛି ଯେ, କାଳେ ପଜିଟିଭ୍‌ ବାହାରି ପଡ଼ିବ ଏଇ ଆଶଙ୍କାରେ ଅଧିକାଂଶ ଡାକ୍ତରଖାନା ଯିବାକୁ ଭୟ କରୁଛନ୍ତି। ଏତଦ୍‌ବ୍ୟତୀତ ନୂଆଗଡ଼ ଓ ରା.ଉଦୟଗିରି ବ୍ଲକ୍‌ରେ କରୋନା ଆକ୍ରାନ୍ତଙ୍କ ସ˚ଖ୍ୟା ଦିନକୁ ଦିନ ବଢୁଥିବାରୁ ଖଜୁରୀପଦା ଓ ରା.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ପାଖକୁ ଡାକ୍ତରମାନେ ଆସୁନାହାନ୍ତି। ଦୂରରୁ ଦେଖି, ସମସ୍ୟା ଶୁଣି ଚିଠା ଲେଖୁଛନ୍ତି। ଡାକ୍ତରମାନେ କବାଟ କିଳି ଭିତରେ ବସୁଛନ୍ତି। ୬ଫୁଟ୍‌ ଦୂରରୁ ଝରକା ପଟୁ ରୋଗୀଙ୍କୁ ପରାମର୍ଶ ଦେଉଛନ୍ତି। ଡାକ୍ତରଙ୍କ ଏଭଳି ଚିକିତ୍ସା ପଦ୍ଧତିରେ ଅଧିକା˚ଶ ରୋଗୀ ଡାକ୍ତରଖାନା ଯିବାକୁ ପସନ୍ଦ କରୁନାହାନ୍ତି। ଚଳିତ ମାସ ୧୨ ତାରିଖରେ ରା.ଉଦୟଗିରି କଳମ୍ବାସି˚ର ଜଣେ ଡ୍ରାଇଭର, ଜଣେ କୋର୍ଟ କର୍ମଚାରୀ, ଜଣେ ବ୍ଲକ୍‌ କ˚ଗ୍ରେସ୍‌ ସଭାପତିଙ୍କ ସମେତ ଖ୍ରୀଷ୍ଟିଆନ୍‌ ସାହିର ୩ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଛେଳିଗଡ଼ ଖ୍ରୀଷ୍ଟିଆନ୍‌ ସାହିର ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମହେନ୍ଦ୍ରଗଡ଼ର ଜଣେ ଔଷଧ ଦୋକାନୀ ଅକାଳରେ ପ୍ରାଣ ହରାଇଥି‌ଲେ। ଟିକାମାଳ ଗ୍ରାମରେ ମଧୢ ସମାନ ସ୍ଥିତି।

ନୂଆଗଡ଼ ବ୍ଲକ୍‌ ବଡ଼ପଦାମୁଠାର ମାଣିକ ଚନ୍ଦ୍ର ପାତ୍ରଙ୍କ ସମେତ ଜଣେ ପୁଲିସ୍‌ କର୍ମଚାରୀଙ୍କୁ ମିଶାଇ ୫ଜଣ, ଖଜୁରୀପଦାର ମହିଳା ସ୍ବାସ୍ଥ୍ୟକର୍ମୀ ବି.ଭାଗ୍ୟବତୀ ପାତ୍ରଙ୍କ ସମେତ ୨ଜଣ ଓ କେ.ଝାଲରସି˚ ଗ୍ରାମର ୯ଜଣ ପ୍ରାଣ ହରାଇଲେଣି। ଅବଶ୍ୟ ଏମାନଙ୍କ ମଧୢରୁ କିଛି ବୟସ୍କ ଓ ପୁରୁଣା ରୋଗୀ ମଧୢ ଅଛନ୍ତି।

ସମ୍ବନ୍ଧିତ ଖବର