କଟକ : ବଢ଼ି ବଢ଼ି ଚାଲିଛି ମୃତକଙ୍କ ସଂଖ୍ୟା। ସରକାରୀ ଭାବେ ମୃତ୍ୟୁ କାରଣ କରୋନା ବୋଲି ଘୋଷଣା କରାଯାଉନି। ‘ନନ୍କୋଭିଡ୍ ଡେଥ୍’ କହି ସରକାର ଚୁପ୍। ଏସ୍ସିବି ଆଇସୋଲେସନ ୱାର୍ଡର ଯଦି ଗତ ୫ଦିନର ତଥ୍ୟ ଦେଖାଯାଏ, ତେବେ ୫୦ରୁ ଅଧିକ ହେଲାଣି ମୃତ୍ୟୁ ସଂଖ୍ୟା। କିନ୍ତୁ ତଥ୍ୟକୁ ଅତି ଗୋପନୀୟ ରଖୁଛନ୍ତି ଉଭୟ ଏସ୍ସିବି ଓ ସିଏମ୍ସି କର୍ତ୍ତୃପକ୍ଷ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ୧୦ଟାରୁ ଆଜି ଦିନ ୨ଟା ସୁଦ୍ଧା ଆଇସୋଲେସନ୍ ୱାର୍ଡରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଏସ୍ସିବି ପକ୍ଷରୁ ସିଏମ୍ସିକୁ ସଂଧ୍ୟା ସୁଦ୍ଧା ୧୫ଜଣଙ୍କ ମୃତ୍ୟୁ ଘଟିଥିବା ତଥ୍ୟ ଦିଆଯାଇଛି। କେବଳ ସେତିକି ନୁହେଁ କଟକର ବିଭିନ୍ନ କୋଭିଡ୍ ହସ୍ପିଟାଲ ଓ ଶିଶୁଭବନରୁ ଆଜି ଗୋଟିଏ ଦିନରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ, ଗୋଟିଏ ଦିନରେ ପାଖାପାଖି ୨୭ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି। ଏସ୍ସିବି ଆଇସୋଲେସନ୍ ୱାର୍ଡରେ ଅଢେଇ ଶହ ଉପରେ ମୃତ୍ୟୁ ଘଟିଥିବାବେଳେ ଗତ ୩ଦିନ ହେଲା ମୃତ୍ୟୁହାର ଅଧିକ ବଢିଛି। ଏସ୍ସିବି କର୍ତ୍ତୃପକ୍ଷ ଯଦିଓ ଏହା ଉପରେ ମତ ରଖୁ ନାହାନ୍ତି, ତଥାପି ପ୍ରତିଦିନ ୧୨, ୧୫, ୧୭ ଉପରେ ରହୁଛି ମୃତ୍ୟୁ ସଂଖ୍ୟା। ମୃତ୍ୟୁ ସଂଖ୍ୟା ଯେପରି ସାଧାରଣରେ ପ୍ରଘଟ ନହେବ, ସେ ସଂପର୍କରେ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ ପର୍ଯ୍ୟନ୍ତ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ହେଲେ ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ତଥ୍ୟ ସମସ୍ତଙ୍କୁ ଚକିତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/debasi-cartoon-f.jpg)