ଚିହ୍ନଟ ପରେ ମୃତ୍ୟୁ ପ୍ରମାଣପତ୍ର: ମୁଖ୍ୟ ସଚିବ

ଭୁବନେଶ୍ବର :ବାହାନଗା ରେଳ ଦୁର୍ଘଟଣାରେ ମୋଟ୍ ୨୭୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ୧୭୬ଜଣଙ୍କର ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଏଥିରେ ପୂର୍ବରୁ ବାଲେଶ୍ବରରେ ୮୫ଟି ମୃତଦେହ ଚିହ୍ନଟ କରାଯାଇଥିବାବେଳେ ଭୁବନେଶ୍ବର ଆସିଥିବା ୧୯୩ଟି ମୃତଦେହ ମଧ୍ୟରୁ ୯୧ଟି ଚିହ୍ନଟ ହୋଇଛି ବୋଲି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ମୁଖ୍ୟ ସଚିବ କହିଛନ୍ତି ଯେ, ମୃତକଙ୍କ ପରିଜନମାନେ ମାନସିକ ଦୁଃଖଦ ସ୍ଥିତି ନେଇ ଓଡ଼ିଶାରେ ପହଞ୍ଚୁଛନ୍ତି। ଏଠାରେ ଯେପରି ସେମାନଙ୍କର କୌଣସି ଅସୁବିଧା ନହୁଏ, ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୃତଦେହ ଚିହ୍ନଟ ପରେ ସେସବୁକୁ ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ମୃତକଙ୍କ ଚିହ୍ନଟ ପରେ ମୃତ୍ୟୁ ପ୍ରମାଣପତ୍ର ଯଥାଶୀଘ୍ର ସେମାନଙ୍କ ପରିବାରକୁ ପ୍ରଦାନ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା ଗ୍ରହଣ କରିବେ। ଅନଲାଇନ୍‌ ଏବଂ ଆବଶ୍ୟକସ୍ଥଳେ ସ୍ପିଡ୍‌ ପୋଷ୍ଟ ଜରିଆରେ ସେମାନଙ୍କ ପରିଜନମାନଙ୍କୁ ମୃତ୍ୟୁ ପ୍ରମାଣପତ୍ର ପଠାଇଦିଆଯିବ। ମୃତଦେହ ସବୁର ଚିହ୍ନଟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଃଶୁଳ୍କ ଟେଲିଫୋନ୍‌ ନଂ- ୧୮୦୦୩୪୫୦୦୬୧ ଓ ୧୯୨୯ ନମ୍ବର ଜାରି କରାଯାଇଛି। ଦେଶର ଯେକୌଣସି ସ୍ଥାନରୁ କେହି ବି ଏହି ନମ୍ବରରେ ଫୋନ୍‌ କରି ମୃତକ ଓ ଆହତଙ୍କ ବିଷୟରେ ସୂଚନା ପାଇପାରିବେ।

ସେହିପରି ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତା ପୂରଣ ନିମନ୍ତେ ବାଲେଶ୍ବର, ଭଦ୍ରକ, ସ୍ଥାନୀୟ ଏବଂ ଓଡ଼ିଶାବାସୀ ଯେପରି ଆଗେଇ ଆସିଛନ୍ତି, ଆମର ବିଶ୍ବାସ ଓଡ଼ିଶାରେ ଚିକିତ୍ସା ପାଇଁ ‌େକବେ ରକ୍ତର ଅଭାବ ରହିବ ନାହିଁ।

ସମ୍ବନ୍ଧିତ ଖବର