ଭୁବନେଶ୍ବର : ଦୁଇ ଦୁଇଜଣ ମହିଳାଙ୍କ ଜୀବନ ବରବାଦ୍‌ କରି ଗତ ୫ ବର୍ଷ ହେଲା ସମସ୍ତଙ୍କୁ ଅନ୍ଧାରରେ ରଖିଥିବା ଜଣେ ଧୋକାବାଜ୍‌ ସ୍ବାମୀର ଅସଲ ଖେଳ ପଦାକୁ ଆସିଛି। ପ୍ରଥମ ପତ୍ନୀଙ୍କ ଭରଣପୋଷଣ ବାବଦ ମାମଲା ଏଡ଼ାଇବା ଓ ଦ୍ବିତୀୟ ପତ୍ନୀଠାରୁ ସବୁଦିନ ପାଇଁ ମୁକ୍ତି ପାଇବା ଲକ୍ଷ୍ୟରେ ନିଜ ମୃତ୍ୟୁ ନାଟକ ରଚିଥିବା ଏହି ଯୁବକକୁ କମିସନରେଟ୍‌ ପୁଲିସ୍ ଗିରଫ କରିବା ସହ ସତ ଉପରୁ ପରଦା ହଟାଇଛି। ଧୂର୍ତ୍ତଜଣଙ୍କ ହେଲା, କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ସଂଜୟ ପ୍ରଧାନ। ସହିଦନଗର ଥାନା ପୁଲିସ୍‌ ଓ ଟିମ୍‌-୬୦ ମିଳିତ ଭାବେ ଚଢ଼ଉ କରି ଗତରାତିରେ ସଂଜୟକୁ ତା’ ଭଉଣୀ ଘର ଢେଙ୍କାନାଳ ଜିଲ୍ଲା ଢେଲପୋଷି ଅଞ୍ଚଳରୁ ଗିରଫ କରିଛି।

Advertisment

ସୂଚନା ମୁତାବକ, ୨୦୧୫ ମସିହାରେ ସଂଜୟ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଉମାମଣି ଜେନାଙ୍କୁ ବିବାହ କରିଥିଲା। ବିବାହର ବର୍ଷକ ପରେ ଚାକିରି ବାହାନାରେ ରାଜଧାନୀ ଚାଲି ଆସିଥିଲା। ଏଠାରେ ରହୁଥିବା ବେଳେ ତେଲ୍‌ଗୁ ବସ୍ତିର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା। ପ୍ରଥମ ପତ୍ନୀ ଏ ସଂପର୍କ‌ରେ ଜାଣିବା ପରେ ଫ୍ୟାମିଲି କୋର୍ଟର ଆଶ୍ରୟ ନେଇଥିଲେ। ୨୦୧୭ ମସିହାରେ ସେ ଫ୍ୟାମିଲି କୋର୍ଟରେ ଭରଣପୋଷଣ ମାମଲା ରୁଜୁ କରିଥିଲେ। କିନ୍ତୁ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ଲକ୍ଷ୍ୟରେ ସଂଜୟ ଏକ ଉପାୟ ପାଞ୍ଚିଥିଲା। ଦୁଇ ପତ୍ନୀଙ୍କଠାରୁ ମୁକ୍ତି ପାଇବା ପାଇଁ ନାଟକ ରଚିଥିଲା। ସେହି ବର୍ଷ, ପରିବାରଲୋକଙ୍କ ସହାୟତାରେ ସ୍ଥାନୀୟ ଆଠଗଡ଼ ଥାନାରେ ନିଜର ଏକ ନିଖୋଜ ମାମଲା ରୁଜୁ କରାଇଥିଲା। ପରିବାର ଅଦାଲତରୁ ଭରଣପୋଷଣ ଜନିତ ନୋଟିସ୍‌ ଆସିବାରୁ ସଂଜୟ ନିଖୋଜ ଥିବା ପରିବାରଲୋକ ଦର୍ଶାଇଥିଲେ। ଏମିତିକି, କିଛି ଦିନ ପରେ ପରିବାରଲୋକ ହାଇକୋର୍ଟରେ ଦର୍ଶାଇଥିଲେ ଯେ‌ ପୁଅକୁ ଦ୍ବିତୀୟ ପତ୍ନୀଙ୍କ ଶ୍ବଶୂର ଘର‌‌ ଲୋକ ହତ୍ୟା କରିଛନ୍ତି। ସଂଜୟ ଓ ତା’ ପରିବାରଲୋକଙ୍କ ଏ ନାଟକ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଇଥିଲା।

publive-image Telegraph India

ବାସ୍ତବରେ ସଂଜୟ କୁଆଡ଼େ ଗଲା? ପ୍ରକୃତରେ ସେ ମୃତ ନା ଜୀବିତ? ଯଦି ଜୀବିତ କେଉଁଠି ଅଛନ୍ତି? ଯଦି ମୃତ କେମିତି ମୃତ୍ୟୁ ଘଟିଲା ଓ ଶବ କୁଆଡ଼େ ଗଲା? ଏହାକୁ ନେଇ ବିବାଦ ବଢ଼ିବାରୁ ୧୭ ଅକ୍ଟୋବର ସୁଦ୍ଧା ଏହାର ଏକ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ହାଇକୋର୍ଟ ଗତ ସେପ୍ଟେମ୍ବର ୧୦ ତାରିଖରେ ସହିଦନଗର ଥାନାକୁ ନୋଟିସ୍‌ କରିଥିଲେ। ସଂଜୟକୁ ଖୋଜିବା ପାଇଁ ସହିଦନଗର ପୁଲିସ ଏବଂ ଟିମ୍‌-୬୦ ମିଳିତ ଅପରେସନ୍‌ ଆରମ୍ଭ କରିଥିଲେ। କେତେକ ଡକ୍ୟୁମେଣ୍ଟ ଏବଂ ପରିବାରର ମୋବାଇଲ୍‌ ନମ୍ବରକୁ ‌ନେଇ ପୁଲସ ବିଭିନ୍ନ ଦିଗ ଉପରେ ଛାନଭିନ୍‌ ଆରମ୍ଭ କରିଥିଲା।

ତେବେ ପରିବାରଲୋକଙ୍କ ସହ ଏକ ନମ୍ବର ଲିଙ୍କ୍‌ରୁ ପୁଲିସ ସନ୍ଦେହ କରିଥିଲା। ନମ୍ବର ଟ୍ରାକିଂରୁ ପୁଲିସ ଜାଣିବାକୁ ପାଇଥିଲା ଯେ ସଂଜୟ ଜୀବିତ ଅଛି। ମଝିରେ ମଝିରେ ପରିବାର ସହ କଥା ହେଉଛି। ସେ ତାମିଲ୍‌ନାଡ଼ୁରେ ଥିବା ଜଣାପଡ଼ିବା ପରେ ପୁଲିସ ତାକୁ ଗିରଫ କରିବାକୁ ସଜବାଜ ହୋଇଥିଲା। ହେଲେ ପୁଣି କିଛି ଦିନ ପରେ ସେ ସ୍ଥାନ ପରିବର୍ତ୍ତନ କରି ମହାରାଷ୍ଟ୍ର, କୋଲକାତା ଏମିତି ସ୍ଥାନ ବଦଳାଇଥିଲା। ତେବେ ଗତ ୯ତାରିଖ ଦିନ ସେ ଓଡ଼ିଶା ଫେରିବା ଜାଣିବା ପରେ ପୁଲିସ ତାକୁ ଧରିବା ପାଇଁ ଯୋଜନା କରିଥିଲା। ସଂଜୟ ନିଜ ଘରକୁ ନଯାଇ ଢ଼େଙ୍କାନାଳ ଢେଲପୋଷିସ୍ଥିତ ଭଉଣୀ ଘରକୁ ଯାଇଥିଲା। ଯୋଜନା ମୁତାବକ, ଗତ ଶନିବାର ରାତିରେ ପୁଲିସର ଦୁଇଟି ଟିମ୍‌ ଭଉଣୀ ଘର ନିକଟରେ ଡେରା ପକାଇଥିଲେ। ସେ ସଦର ଥାନା ରାସୋଳ ଅଞ୍ଚଳକୁ ଯାଇଥିବା ବେଳେ ପୁଲିସ ସେଠାରୁ ତାକୁ କାବୁ କରି ନେଇଥିଲା। ଥାନାକୁ ଆଣି ପଚରାଉଚରା ବେଳେ ସବୁ ସତ ମାନି ଯାଇଥିଲା। ପୁଲିସ ତାକୁ କୋର୍ଟରେ ହାଜର କରିଥିଲା।