ପତ୍ନୀ ଓ ଛୁଆଙ୍କ ଜଞ୍ଜାଳ ଛାଡି ନୂଆ ସଂସାର ଗଢିବାକୁ ନିଜ ମୃତ୍ୟୁର ନାଟକ ରଚିଲେ ଯୁବକ

ରା.ଉଦୟଗିରି: ଅନ୍ୟ ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ ସହ ପତ୍ନୀ ଓ ଛୁଆଙ୍କ ଜଞ୍ଜାଳ ଛାଡି ନୂଆ ସଂସାର ଗଢିବାକୁ ନିଜ ମୃତ୍ୟୁର ନାଟକ ରଚିଛନ୍ତି ଯୁବକ | ଗଜପତି ଜିଲ୍ଲା ଅଡବାର ଜଣେ ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେଇଛି | ଶ୍ରମିକ ଜଣକ ମରିନାହାନ୍ତି ବରଂ ନିଜେ ମରିବାର ନାଟକ ରଚିଛନ୍ତି | ଲୋକଙ୍କ ଠାରୁ ନେଇଥିବା ଋଣ ବୋଝରୁ ମୁକ୍ତି ସହ ଅନ୍ୟ ସମସ୍ୟାରୁ ମୁକ୍ତି ପାଇଁ ଫିଲ୍ମ ଷ୍ଟାଇଲରେ ନାଟକ ରଚନା କରିଥିବା ମୁଖ୍ୟ ଖଳନାୟକ ବାରିଆ ଗ୍ରାମର ଶରତ ପରିଚ୍ଛାକୁ ଗତକାଲି ଅଡବା ପୁଲିସ ନଭି ମୁମ୍ବାଇରୁ ଗିରଫ କରିଛି । ଆଜି ସକାଳେ ନିଜ ଦୋଷ ସ୍ଵୀକାର କରିବା ପରେ ଶରତକୁ ଅଡବା ଥାନା କେସ ନମ୍ବର ୪୩/୨୩, ଦଫା ୪୨୦/୪୬୮/୪୭୧/୩୮୪, ସେକସନ-୬୬ଡି ଆଇଟି ଆକ୍ଟ ଲଗାଇ କୋର୍ଟ ଚାଲାଣ କରାଯାଇଛି। ପ୍ରେମ, ଠକେଇ, ପ୍ରତାରଣା, ଜାଲିଆତି, ଅନ୍ୟର ମୃତଦେହ ବ୍ୟବହାର କରିବା ଓ ଆଇଟି ଆକ୍ଟ ପରିସରଭୁକ୍ତ ହୋଇଥିବା ଅଭିଯୁକ୍ତ ଶରତ ପରିଚ୍ଛା ନିଜ ମୃତ୍ୟୁର ନାଟକ ନିଜେ ସର୍ଜନା କରିଥିଲା।

କେରଳରେ କାମ କରୁଥିବା ସମୟରେ ଜଣେ ସୁନ୍ଦରୀ ଝିଅକୁ ଏକତରଫା ପ୍ରେମ କରିବା ସହ ପାରିବାରିକ କଳହରେ ଜର୍ଜରିତ ପତ୍ନୀ ଠାରୁ ମୁକ୍ତି ପାଇବା ପାଇଁ ନିଜ ନକଲି ମୃତ୍ୟୁର ଭିଡିଓ ସୁଟିଙ୍ଗ କରି ଦେଢଶାଶୂଙ୍କ ପାଖକୁ ପଠାଇଥିଲା | ଘଟଣା ପରେ ମୃତଦେହ ଉଦ୍ଧାର ପାଇଁ ଗଜପତି ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଅଡବା ଥାନାଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ଏକ ଚାରି ଜଣିଆ ଟିମ ଗଠନ କରିଥିଲେ। କଲ ଆସିଥିବା ନମ୍ବରକୁ ଟ୍ରାକ କରିବା ପରେ ତା ଲୋକେସନ ନଭି ମୁମ୍ବାଇ ଦେଖାଇଥିଲା। ସବ-ଇନ୍ସପେକଟର ଲକ୍ଷ୍ମଣ ବେସ୍ରାଙ୍କ ନେତୃତ୍ବରେ ଏକ ୪ଜଣିଆ ଟିମ ଯାଇ ଶରତକୁ ମୁମ୍ବାଇର ମାଛ ମାର୍କେଟରୁ ଠାବ କରିଥିଲେ । ଆଜି ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିବା ସହ ପତ୍ନୀ ଠାରୁ ମୁକ୍ତି ଏବଂ ଋଣ ବୋଝରୁ ବର୍ତ୍ତିବା ପାଇଁ ଏଭଳି ନାଟକ କରିଥିବା ସ୍ବୀକାର କରିଥିବା କଥା ରା ଉଦୟଗିରି ଏସଡିପିଓ ଦିଲୀପ କୁମାର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର