ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ; ଚାଲିଗଲା ୮ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ଘଟିବାରୁ ଶୁକ୍ରବାର ୮ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି।  ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଲକସ୍ଥିତ ବଡ଼କୁମାରୀ ପଞ୍ଚାୟତର ମାଣିକପୁର ଗ୍ରାମରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ୩୫ ବର୍ଷିଅ ଭଗବାନ ସାହୁ। ଆହତ ୨ ହେଉଛନ୍ତି ନିରଂଜନ ବିଶୋଇ ଓ ରବି ଦାସ। ଆହତମାନେ ବର୍ତ୍ତମାନ ଖୋର୍ଦ୍ଧା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସେହିପରି ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗଣେଶପୁର ଗାଁର ସୁଶିଳା ନାମ୍ନୀ ଜଣେ ୬୩ ବର୍ଷୀୟା ବୃଦ୍ଧାଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ସୁଶିଳା ଅନ୍ୟ ୪-୫ ଜଣଙ୍କ ସହ ବିଲରେ କାମ କରୁଥିବା ବେଳେ ଏପରି ଅଘଟଣ ଘଟିଥିଲା। ବଜ୍ରପାତ ଘଟିବା ପରେ ସେମାନଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଡାକ୍ତମାନେ ସୁଶିଳାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟମାନେ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି ଅଘଟଣ ଘଟିଯାଇଛି। ଜିଲ୍ଲାର ମୋରଡ଼ା ବ୍ଲକରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୁନାହଜାର ଗ୍ରାମର ମହେନ୍ଦ୍ର ମହାନ୍ତଙ୍କ ପତ୍ନୀ ସାରଥୀ ମହାନ୍ତ ବିଲରେ କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା।

ସେହିପରି ମାଣିତ୍ରୀ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତସ୍ଥିତ ଶ୍ରୀରାମପୁର ଗ୍ରାମରେ ବଜ୍ରପାତରେ ଲକ୍ଷ୍ମଣ ମୁର୍ମୁଙ୍କର ମୃତ୍ୟୁ ଘଟିଛି। ଲକ୍ଷ୍ମଣ ବିଲରେ କାମ କରୁଥିବା ବେଳେ ଏପରି ଅଘଟଣ ଘଟିଥିବା ସୂଚନା ରହିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପୂର୍ବରୁ ଜିଲ୍ଲାର ଖୁଣ୍ଟା ବ୍ଲକ ଅନ୍ତର୍ଗତ ଦୁକୁରା ଗ୍ରାମରେ ବଜ୍ରପାତ ଘଟି ଭାସ୍କର ବେହେରାଙ୍କ ପୁଅ ରାଜେନ୍ଦ୍ର ବେହେରାଙ୍କର ମୃତ୍ୟୁ ଘଟିଛି।

କେବଳ ସେତିକି ନୁହେଁ, ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶ୍ୱରପୁର ଗାଁର ଅଖିଳ ଦଳେଇ (୫୫ ବର୍ଷ) ନାମକ ଜଣେ ଚାଷୀଙ୍କର ଆଜି ସକାଳେ ବଜ୍ରପାତରେ ମୃତ୍ୟୁ ଘଟିଛି। ମହେଶ୍ୱରପୁର ଗାଁର ଅଖିଳ ଦଳେଇ ନିଜ ଜମିରେ ତଳି ରୋଉଥିବା ବେଳେ ସକାଳ ସାଢ଼େ ୯ଟା ବେଳେ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା। ଏହି ସମୟରେ ପ୍ରବଳ ବଜ୍ରପାତ ମଧ୍ୟ ହୋଇଥିଲାା ତେବେ ଏହି ସମୟରେ ଶ୍ରୀଦଳେଇଙ୍କ ଉପରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସାଙ୍ଗ ସାଙ୍ଗେ ବିଲରେ କାର୍ଯ୍ୟ କରୁଥିବା ଅନ୍ୟ ଚାଷୀମାନେ ତାଙ୍କୁ ଡାକ୍ତରଖାନାକୁ ନେଇ ଆସିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଥାନାର କାଇଁଚଗାଡ଼ିଆ (ବଡ଼ଶୋଳ) ଗାଁରେ ମାଆ ଆଖି ଆଗରେ ଜଣେ ୨୦ ବର୍ଷୀୟା ଯୁବତୀ ମଧ୍ୟ ବିଲରେ ତଳି ଉପାଡୁଥିବା ବେଳେ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଖବର ପ୍ରକାଶ ପାଇଥିଲା। ସେହିପରି ବୈଶିଙ୍ଗା ଥାନା ଅନ୍ତର୍ଗତ କାଇଁଚଗାଡ଼ିଆ (ବଡ଼ଶୋଳ) ଗାଁର ମାଆଝିଅ ବିଲରେ କାମ କରୁଥିବା ବେଳେ ହଠାତ ଘଡ଼ଘଡ଼ିି, ବଜ୍ରପାତ ସହିତ ବର୍ଷା ହୋଇଥିଲା। ଏହି ସମୟରେ ମାଆ ଝିଅ ଦୌଡ଼ି ପଳାଇ ଆସୁଥିବା ବେଳେ ଝିଅ କୁନି ମହାନ୍ତ (୨୦)ଙ୍କ ଉପରେ ବଜ୍ରପାତ ହୋଇଥିଲା। ଦେଖୁଦେଖୁ ମାଆ ଆଖି ଆଗରେ ଝିଅ କୁନିଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଲୋକେ କୁନିକୁ ଚାଷଜମିକୁ ଉଠାଇ ଘରକୁ ଆଣିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ବ୍ରାହ୍ମଣୀସାହି ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣସାହି ଗାଁର ନୃସିଂହ ଜେନା(୫୬) ନାମକ ଜଣେ ଚାଷୀଙ୍କର ଆଜି ସକାଳେ ବଜ୍ରପାତରେ ମୃତ୍ୟୁ ଘଟିଛି। ବିଲରେ ତଳି ଉପାଡୁଥିବା ବେଳେ ଏହି ଅଘଟଣ ଘଟିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର