ଆଠଗଡ଼ ବନଖଣ୍ଡରେ ଅସୁରକ୍ଷିତ ଦନ୍ତା: ମିଳିଲା ଦନ୍ତାହାତୀର ଗଳିତ ମୃତଦେହ

ଦାନ୍ତ ଲୁଟ୍‌, ଳୁଚାଛପାରେ ଶବ ବ୍ୟବଚ୍ଛେଦ କଲା ବନ ବିଭାଗ

କଟକ : ବଡ଼ମ୍ବା ଏବଂ ହିନ୍ଦୋଳ ସଂରକ୍ଷିତ ଜଙ୍ଗଲର ସୀମାବର୍ତ୍ତୀ ଅଞ୍ଚଳରୁ ଏକ ଗଳିତ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଗତକାଲିଠାରୁ ବନବିଭାଗ ହାତୀର ମୃତଦେହ ‌ପାଉ ନଥିବା ବେଳେ ଆଜି ଜଙ୍ଗଲରୁ ଗଳିତ ମୃତଦେହ ପାଇବା ସହ ତରବରିଆଭାବେ ତାକୁ ବ୍ୟବଚ୍ଛେଦ ପରେ ପୋତି ଦେଇଛି। ଉଭୟ ଆଠଗଡ଼ ଓ ହିନ୍ଦୋଳ ବନଖଣ୍ଡର ଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

ମିଳିଥିବା ସୂଚନା ଅନୁସାରେ, ୧୬/୧୭ବର୍ଷର ଦନ୍ତାହାତୀକୁ ଗୁଳିବିଦ୍ଧ କରାଯାଇ ମରାଯିବା ସହ ତାର ଦାନ୍ତକୁ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ହାତୀଟିକୁ ୪/୫ଦିନ ପୂର୍ବରୁ ମରାଯାଇଥିବା ଅନୁମାନ କରାଯାଉଥିବା ବେଳେ ଶିକାରୀମାନେ ତରବରିଆ ଭାବେ ଦାନ୍ତ ସହ ତାର ମୁହଁ କାଟି ନେଇଥିବା ବ୍ୟବଚ୍ଛେଦ କରାଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ହାତୀଟି ଗୁଳିବିଦ୍ଧ ହୋଇଥିବା ଏବଂ ତା ଶରୀରରେ ଗୁଳିଥିବା ବ୍ୟବଚ୍ଛେଦ ସମୟରେ ମେଟାଲ ଡିଟେକ୍ଟର ଜରିଆରେ ଜଣାଯାଇଛି। ଆଠଗଡ଼ ବନଖଣ୍ତ ଅଧିକାରୀ ଡକ୍ଟର ଯଜ୍ଞଦତ୍ତ ପତି, ଏସିଏଫ୍ ଘନଶ୍ୟାମ ମୁଦୁଲି, ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ଉପସ୍ଥିତିରେ ବଡ଼ମ୍ବାର ଭାରପ୍ରାପ୍ତ ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ଡା. ପ୍ରକାଶ ଚନ୍ଦ୍ର ପଣ୍ତିତ, ସହକାରୀ ପ୍ରାଣୀଧନ ଚିକିତ୍ସକ ଡା. ସଞ୍ଜୟ କୁମାର ମହାପାତ୍ର, ସାତକୋଶିଆ ଅଭୟାରଣ୍ୟର ବନ୍ୟପ୍ରାଣୀ ବିଭାଗର ସ୍ବତନ୍ତ୍ର ଚିକିତ୍ସକ ଡା. କିଶୋର ସାହୁ ପ୍ରମୁଖ ମୃତ ହାତୀଟିର ବ୍ୟବ‌ଚ୍ଛେଦ କରାଇଥିଲେ। ବ୍ୟବଚ୍ଛେଦ ପରେ ହାତୀର ଗଳିତ ଶବକୁ ପୋତି ଦିଆଯାଇଥିବା ଜଣାଯାଇଛି।

ଅପରପକ୍ଷରେ ଗୋଟିଏ ପରେ ଗୋଟିଏ ଏଭଳି ବାରମ୍ବାର ଦନ୍ତା ଶିକାରକୁ ନେଇ ବଡ଼ମ୍ବା, ନରସିଂହପୁର ତଥା ଆଠଗଡ଼ ବନଖଣ୍ତ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ଛୋଟ ଦନ୍ତାହାତୀ ଶିକାର ଘଟଣା ବିଭାଗ ପାଇଁ ସମସ୍ୟା ବଢାଇଛି। ବଡମ୍ବାରେ ହାତୀମୃତ୍ୟୁ ଘଟଣା ଜଣାପଡିବା ପରେ ବନବିଭାଗ ଉଚ୍ଚ ଅଧିକାରୀଙ୍କ ଫୋନ୍‌ ଗତକାଲିଠାରୁ ସୁଇଚ୍‌ ଅଫ୍‌ ରହିଛି। ଏପରିକି ବିଭାଗ ମଧ୍ୟ ଘଟଣାକୁ ଗଣମାଧ୍ୟମଠାରୁ ଦୂରେଇ ରଖିଛି। ବାରମ୍ବାର ବଡମ୍ବାରେ ହାତୀ ମୃତ୍ୟୁ ଘଟୁଥିବା ବେଳେ ବନ ବିଭାଗ ଏ ସଂପର୍କରେ ଖବର ନପାଇବା ଘଟଣା ବନବିଭାଗର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର