ଭୁବନେଶ୍ବର: ଦିନକରେ ବଜ୍ରପାତ ନେଇଛି ୧୦ ଜୀବନ। ଶନିବାର ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, କେନ୍ଦୁଝର, ଯାଜପୁର ଓ କଟକ ଜିଲ୍ଲାରେ ୧୦ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଥିସହ ଅନେକ ଗୃହପାଳିତ ପ୍ରାଣୀଙ୍କର ଜୀବନ ଯାଇଛି। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ସିଙ୍ଗାରାପୁରା ଗ୍ରାମର ଲଚ୍ଛମନ ମୁର୍ମୁ (୪୫) ଓ ତାଙ୍କ ସ୍ତ୍ରୀ ଶାକର (୩୫) ଆଜି ଗାଁ ପାଖ ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ଅପରାହ୍ଣରେ ବଜ୍ରପାତର ଶିକାର ହୋଇ ବିଲରେ ଟଳି ପଡ଼ିଥିଲେ। ସେହିପରି ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ସାନସାହୁପଡ଼ା ଗ୍ରାମର ଚକ୍ରଧର ଦାସ (୫୮) ବଜ୍ରାଘାତରେ ପ୍ରାଣ ହରାଇଥିବା ବେଳେ ଶ୍ରୀରାମପୁର ଗ୍ରାମର ଅମର ସେଠୀ ଗୁରୁତର ଆହତ ହୋଇଛନ୍ତି। ଚାନ୍ଦବାଲି ବ୍ଲକ୍ ବିଜୟନଗର ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ପ୍ରତାପ ବାରିକଙ୍କ ପୁଅ ହେମନ୍ତ (୨୯) ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
୨୦ ଗୁରୁତର, ଚୂନା ହୋଇଗଲା ମୋବାଇଲ୍
ଯାତ୍ରା ସମୟରେ ଅଚେତ ହୋଇଗଲେ ୧୨
ପତ୍ନୀଙ୍କ ଆଗରେ ଟଳିପଡ଼ିଲେ ସ୍ବାମୀ
ସେହିପରି କାଣ୍ଡଗରଡ଼ି ଗ୍ରାମର ଚଗଲା ନାୟକଙ୍କ ପୁଅ ବଜ୍ରାଘାତରେ ଗୁରୁତର ହୋଇ ଚାନ୍ଦବାଲି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ତାହାଳିଆ ଗ୍ରାମର ଯତୀନ୍ଦ୍ରନାଥ ଜେନା (୭୬)ଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ବାସନ୍ତୀ ଜେନା ଓ ପୁତ୍ରବଧୂ ବୈଜୟନ୍ତୀଙ୍କୁ ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଓଡ଼ିଶ ଗ୍ରାମର ହରିହର ବେହେରା (୫୮) ବିଲରେ କାମ କରିବା ସମୟରେ ବଜ୍ରପାତରେ ଗୁରୁତର ହୋଇଥିଲେ। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ବଜ୍ରପାତର ତୀବ୍ରତା ଏତେ ଥିଲା ଯେ, ତାଙ୍କ ପାଖରେ ଥିବା ମୋବାଇଲ୍ଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା। କେନ୍ଦୁଝର ହରିଚନ୍ଦନପୁର ବ୍ଲକ୍ ଧୁରୁଡ଼ିଆମ୍ବ ଗାଁର କିଶୋର ମୁଣ୍ଡାଙ୍କ ପୁଅ ରାଜେଶ (୧୩) ଘର ଝରକା ପାଖରେ ବସିଥିବା ବଜ୍ରାଘାତର ଶିକାର ହୋଇଥିଲେ। ରାଜେଶ ଧୁରୁଡ଼ିଆମ୍ବ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ଯାଜପୁର କୋରେଇ ଥାନା ତାରାକୋଟ ଗ୍ରାମର ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁକାନ୍ତି (୪୦) ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଟଳିପଡ଼ିଛନ୍ତି। ଏଥିସହ ତେଲକୋଇ ଥାନା କାଳିଆହତା ପଞ୍ଚାୟତରେ ବଜ୍ରାଘାତରେ ଦୁଇଜଣ ମହିଳା ଓ ଜଣେ ନାବାଳିକା ଗୁରୁତର ହୋଇଥିବା ବେଳେ ୮ଟି ଗୋରୁ ପ୍ରାଣ ହରାଇଛନ୍ତି। ଗୁରୁତରମାନେ ହେଲେ ବାଦବିଲ ଗ୍ରାମର ରଇବୁ ମହାନ୍ତଙ୍କ ସ୍ତ୍ରୀ କେତକୀ ମହାନ୍ତ (୩୫), ଝିଅ ତ୍ରିବେଣୀ ମହାନ୍ତ (୧୦) ଓ ସମ୍ପର୍କୀୟ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କାଲବୁଦିଆ ଗ୍ରାମର ନମିତା ମହାନ୍ତ (୩୪)। ବଜ୍ରାଘାତରେ ସେମାନଙ୍କ ଶରୀରର ବିଭିନ୍ନ ଅଙ୍ଗ ପୋଡ଼ିଯାଇଛି।
ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ଭଟିଗାଁ ପଞ୍ଚାୟତ ମୁନୁପାଲି ମୁନୁବନ୍ଧଠାରେ ଆଜି କାଦୋ ଯାତ୍ରା ଚାଲିଥିବା ବେଳେ ଘଡ଼ଘଡ଼ିରେ ୧୨ ଜଣ ବ୍ୟକ୍ତି ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ଆହତମାନେ ହେଲେ ସୁଧାଂଶୁ ଶିଖା (୨୬), ଅନିଲ କୁଅଁର (୩୦), କୃଷ୍ଣଚନ୍ଦ୍ର ଶିକା (୩୫), ବିଜୟ ସିଦ୍ଧାର୍ଥ (୨୧), ଲଳିତ ଭୋଇ (୭୫), ସୁରେଶ୍ୱର ରାୟ (୩୫), ସୁମତ ଶିକା (୨୪), ଆନନ୍ଦ କୁମ୍ଭାର (୨୦), ସୁବୋଧ ରାୟ (୨୧), ପ୍ରମୋଦ ଭୋଇ (୨୭), ସରୋଜ ରାୟ (୨୪) ଓ ଅନନ୍ତ ରାୟ (୨୪)। ପ୍ରାଥମିକ ଚିକିତ୍ସା ପରେ ୭ ଜଣ ସଂପୂର୍ଣ୍ଣ ସୁସ୍ଥ ରହିଥିବା ବେଳେ ଅନ୍ୟ ପାଞ୍ଚ ଜଣ ଚିକିତ୍ସାଧୀନ ଅଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଗୁଆଳି ଗାଁରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ଗାଁର ଶିବପ୍ରସାଦ ସେଠୀ। ସେ ଏହି ଗାଁରେ ରହି ଶ୍ରମିକ ଭାବେ କାମ କରୁଥିଲେ। ଆଜି ଅପରାହ୍ନ ୫ଟା ବେଳେ ପତ୍ନୀ କଳ୍ପନାଙ୍କ ସହ ବିଲରେ କାମ କରୁଥିବା ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ପତ୍ନୀଙ୍କ ଆଗରେ ହିଁ ଲୋଟି ପଡ଼ିଥିଲେ ଶିବପ୍ରସାଦ। କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ବ୍ଲକ୍ ଟିକରା ଗ୍ରାମର ସୁନାକର ମହାରଣା (୬୩) ବିଲ କାମ ସାରି ଫେରିବାବେଳେ ବଜ୍ରପାତରେ ସଂଜ୍ଞାହୀନ ହୋଇ ଯାଇଥିଲେ। କଟକ ବଡ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।