ଉଦଳା-୧,୩୧/୧୦ : ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ ଭୁଲ୍ ଇଞ୍ଜେକସନ୍ ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବହୁବନ୍ଧ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମିରିଡ଼ିଆଙ୍କ ପତ୍ନୀ ରାଧିକା(୫୫)।
ସୂଚନା ଅନୁଯାୟୀ; ରାଧିକା ଏକ କଣ୍ଟା ମାଡ଼ି ପକାଇବା ପରେ ଗତକାଲି ରାତିରେ ତାଙ୍କୁ ଜ୍ୱର ଆସିଥିଲା। ଚିକିତ୍ସା ପାଇଁ ସେ ସୋମବାର ଦିନ ଡାକ୍ତରଖାନା ଆସିଥିବା ବେଳେ ତାଙ୍କୁ ପାରାସିଟାମଲ୍, ଆଣ୍ଟିବାଓଟିକ୍ ଓ ଏକ ଇଞ୍ଜେକସନ୍ ଦିଆଯାଇଥିଲା। ତେବେ ସ୍ବାସ୍ଥ୍ୟ କର୍ମଚାରୀ ଜଣକ ଇଞ୍ଜେକସନ୍ ଦେବାର ପ୍ରାୟ ଅଧଘଣ୍ଟାଏ ପରେ ରାଧିକାଙ୍କ ମୃତ୍ୟୁ ଘଟିଥିଲା। ଭୁଲ୍ ଇଞ୍ଜେକସନ୍ ଦେବାରୁ ମୃତ୍ୟୁ ଘଟିଥିବା କହି କାର୍ଯ୍ୟରତ ଡା. ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଘେରିଥିଲେ ପରିବାର ଲୋକ। ରାଧିକାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ନଥିବା ବେଳେ ତାଙ୍କୁ ଠିକ୍ ଇଞ୍ଜେକସନ୍ ଦିଆଯାଇଥିଲା ବୋଲି ବୁଝାଇଥିଲେ ଡା. ପ୍ରଧାନ। ଶବ ବ୍ୟବଚ୍ଛେଦ ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହି ଡା. ପ୍ରଧାନ ଡ୍ୟୁଟିରୁ ଫେରି ଆସିଥିଲେ ବୋଲି ‘ସମ୍ବାଦ’କୁ କହିଛନ୍ତି।
ତେବେ ଆଶ୍ଚର୍ଯ୍ୟଜନକ ଭାବେ ସେ ଯିବାପରେ ଉଦଳା ପୁଲିସ ଉପସ୍ଥିତିରେ ବିନା ଶବ ବ୍ୟବଚ୍ଛେଦରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦିଆଗଲା। ପରିବାର ଲୋକେ ଶବ ନେଇ ଶେଷକୃତ୍ୟ ବି କରି ସାରିଛନ୍ତି। ହେଲେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ହୋଇଥିବା ମାମଲାରେ ବିନା ବ୍ୟବଚ୍ଛେଦରେ କେମିତି ଶବ ହସ୍ତାନ୍ତର କରାଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କମଳାକାନ୍ତ ନାୟକଙ୍କୁ ପଚାରିବାରୁ ସେ ଅନୁପସ୍ଥିତ ଥିବାରୁ ଫୋନ୍ ଯୋଗେ ଶବ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିବାର କହିଛନ୍ତି।