ଜୟପୁର ସଦର ଥାନାରେ ହାଜତ ମୃତ୍ୟୁ

ବେକରେ ବେଡସିଟ ଗୁଡ଼ାଇ ଗଞ୍ଜେଇ ଚାଲାଣ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ସଦର ଥାନାରେ ଗ‌ଞ୍ଜ‌େଇ ଚୋରା ଚାଲାଣରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କ ହାଜତରେ ମୃତ୍ୟୁ ହୋଇଛି। ବେକରେ ଚିରା ବେଡସିଟ ଗୁଡ଼ାଇ ପାଇଖାନାରେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି। ମୃତକ ଜଣଙ୍କ ହେଲେ ରାଜସ୍ଥାନ ନାଗୁର ଜିଲ୍ଲା ୱାର୍ଡ ନମ୍ବର ୧୧ର କାଥୋଡ଼ି ନଗର ଅଞ୍ଚଳର ଶିବ କରନଙ୍କ ପୁଅ ଗୋପାଳ ରାମ(୪୪)। ଆଜି ସକାଳ ପ୍ରାୟ ୫ଟା ୩୦ ବେଳେ ପାଇଖାନାକୁ ଯିବାକୁ କହି ଏଭଳି କାର୍ଯ୍ୟ କରିଛନ୍ତି ଅଭିଯୁକ୍ତ। ଏହାକୁ ଗୁରୁତ୍ବର ସହ ନେଇ ଜୟପୁର ଏସଡିପିଓ ବରୁଣ ଗୁଣ୍ଠୁପାଲି, ଲକ୍ଷ୍ମୀପୁର ଏସଡିପିଓ ଏ. କେ. ନାୟକ ଓ ବୋରିଗୁମ୍ମା ଏସଡିପିଓ ଏଚ.କେ. ମାଝି ତନାଘନା କରିଛନ୍ତି। ଏହା ସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି। ସଦର ପୁଲିସ ପକ୍ଷରୁ ୨୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ଜାରି ରହିଥିବା ବେଳେ ଏହାର ତଦନ୍ତଭାର ଲକ୍ଷ୍ମୀପୁର ଏସଡିପିଓ ଏ.କେ. ନାୟକଙ୍କୁ ଦିଆଯାଇଛି। ମୃତକଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଛି। ସେମାନେ କୋରାପୁଟରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛ‌େଦ ହେବା ସହ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ଏବେ ମୃତଦେହ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଶବାଗାରରେ ରଖାଯାଇଥିବା ଜଣାପଡ଼ିଛି।

ଏସଡିପିଓ ଶ୍ରୀ ଗୁଣ୍ଠୁପାଲି ସୂଚନା ଦେଇ କହିଛନ୍ତି ଯେ ଗତକାଲି ରାତିରେ ସଦର ପୁଲିସ ଉମୁରି ନିକଟରେ ପାଡୁଆରୁ ଜୟପୁର ଦେଇ ରାଜସ୍ଥାନ ଯାଉଥିବା ଏକ ଟ୍ରକ (ଆରଜେ-୨୧-ଜିଏ-୩୯୫୯) ଅଟକାଇଥିଲା। ତେବେ ଗାଡ଼ି ଡ୍ରାଇଭର ଖସି ପଳାଇଥିଲେ। ପୁଲିସ ଜବତ ଟ୍ରକ ଥାନାକୁ ଆଣି ଏକଜିକ୍ୟୁଟିଭ୍ ମାଜିଷ୍ଟ୍ର‌େଟଙ୍କ ଉପସ୍ଥିତିରେ ତନଖି କରିଥିଲା। ଗାଡ଼ିରୁ ୮୦୫. ୮କେଜି ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ ତାକୁ ଜବତ କରାଯାଇଥିଲା। ଏହା ସହ ଗାଡ଼ିରୁ ଗୋପାଳ ରାମ ନାମକ ବ୍ୟକ୍ତିଙ୍କ ଆଧାର କାର୍ଡ ମିଳିଥିଲା। ଏନେଇ ଥାନାରେ ରବିବାର ରାତି ୧୨ଟା ୩୦ରେ ୧୬୦/୩୦ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପରେ ଏକ ଟିମ ସେଠାକୁ ଯାଇ ଖୋଜାଖୋଜି କରିବା ପରେ ଗୋପାଳ ରାମଙ୍କୁ ପାଖାପାଖି ରାତି ୨ ଟାରେ ଧରିବାରେ ସକ୍ଷମ ହୋଇଥିଲା। ଥାନାକୁ ଆଣି ତାଙ୍କୁ ହାଜତରେ ରଖାଯାଇଥିଲା। ପରେ ୫ଟା ୩୦ରେ ସେଣ୍ଟ୍ରି ଡି.କେ. ମାଝିଙ୍କୁ କହି ପାଇଖାନା ଯାଇଥିଲେ ଅଭିଯୁକ୍ତ। ଡେରି ହେବାରୁ ସେଣ୍ଟ୍ରି ଜଣକ ଯାଇ ପାଇଖାନାରେ ଦେଖିବା ବେଳକୁ ସେ ବେକରେ ବେଡସିଟ ବାନ୍ଧି ଝୁଲି ପଡ଼ିଥିଲେ। ଗୋପାଳ ରାମଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ଚିକିତ୍ସାଳୟକୁ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନଏଚଆରସିର ନିୟମ ଅନୁସାରେ ବିଭାଗୀୟ ତଦନ୍ତ, ଆଇନଗତ ତଦନ୍ତ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଜୟପୁର ଏସଡିପିଓ ଶ୍ରୀ ଗୁଣ୍ଠୁପାଲି। ଏହା ସହ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଆଉ କିଏ ରହିଛନ୍ତି ତାର ଯାଞ୍ଚ କରାଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର