ଜନ୍ମଦିନରେ ଚାଲିଗଲା ଜୀବନ, ଗୁଣିଆ କଥାରେ ନାକେଦମ୍‌

ଯାଜପୁର ଡାକ୍ତରଖାନାରେ ଉତ୍ତେଜନା

ଯାଜପୁରସଦର: କେବଳ ଯେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଲୋକେ ଅନ୍ଧବିଶ୍ବାସର ଅର୍ଗଳିରେ ଛଟପଟ ହେଉଛନ୍ତି, ତାହା ନୁହେଁ ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ଲୋକେ ବି ଅନ୍ଧବିଶ୍ବାସକୁ ଏଯାଏ ମୁକୁଳି ପାରି ନାହାନ୍ତି। ଗୁଣିଆ କଥାରେ ନାକେଦମ ହେବାକୁ ପଡ଼ିଛି। ଏଭଳି ଘଟଣା ଯେତିକି ହୃଦୟ ବିଦାରକ ସେତିକି ଆଶ୍ଚର୍ଯ୍ୟଜନକ। ଘଟଣାକୁ କେନ୍ଦ୍ରକରି ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ମୃତ ବ୍ୟକ୍ତିଙ୍କର ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ମାଳଦା ଗ୍ରାମର କୈଳାସ ବେହେରାଙ୍କ ପୁଅ ସନ୍ତୋଷ କୁମାର ବେହେରା ୧୮ ତମ ଜନ୍ମ ଦିବସକୁ ଗତକାଲି ରାତିରେ ସାଙ୍ଗ ଓ ପରିବାର ସହ ପାଳନ କରିଥିଲେ। ଭୋଜିଭାତର ଆସର ସହ କେକ୍ କାଟି ସନ୍ତୋ‌ଷ ରାତିରେ ଶୋଇଥିଲେ। ଅଧରାତିରେ ହଠାତ୍ ସନ୍ତୋଷ ଗର୍ଜନ କରିବା ପରିବାର ଲୋକ ଶୁଣିବାକୁ ପାଇଥିଲେ। ପରିବାର ଲୋକ ସନ୍ତୋଷ ଅଚେତ ହେବା ଦେଖି ରାତି ପ୍ରାୟ ୩ଟା ସମୟରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ଏଠାରେ ଥିବା ଡାକ୍ତର ସନ୍ତୋଷକୁ ମୃତ ଘୋଷଣା କରିଥିଲେ। ଗ୍ରାମବାସୀ ଓ ପରିବାର ଲୋକ ଡାକ୍ତର କଥାକୁ ବିଶ୍ବାସ ନକରି ସେମାନେ କେନ୍ଦୁଝରର ଏକ ଗୁଣିଆ ସହ ଯୋଗାଯୋଗ କରିଥିଲେ। ଗୁଣିଆ ଜଣକ ଆଜି ସକାଳୁ ଫୋନ୍ ଯୋଗେ ମୃତକଙ୍କ ମୁଣ୍ଡ ବାଳ ହଲୁଛି କି ନାହିଁ ପଚାରିବା ସହ ସନ୍ତୋଷ ଜୀବିତ ଥିବା କହିଥିଲେ। ତେଣୁ, ପରିବାର ଲୋକ ପୁଣିଥରେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ମୃତ ବୋଲି କହିଥିବାବେଳେ ପରିବାର ଲୋକ ଦ୍ବନ୍ଦ୍ବରେ ପଡ଼ିଥିଲେ। ସନ୍ତୋଷଙ୍କ ମୃତ୍ୟୁକୁ ପରିବାର ଲୋକ ସହଜରେ ବିଶ୍ବାସ କରିପାରୁ ନଥିବାରୁ ଗୁଣିଆର ମିଥ୍ୟା କଥା ତାଙ୍କୁ ସମସ୍ୟାରେ ପକାଇଥିଲା। ପରିବାର ଲୋକ ବହୁ ଅପେକ୍ଷା ଓ ଆଲୋଚନା ପରେ ବୋଧହୁଏ ଗୁଣିଆର କଥାକୁ ହିଁ ମିଥ୍ୟା ବୋଲି ଭାବିଥିଲେ। ଶେଷ‌ରେ ମେଡିକାଲ ନିୟମାନୁଯାୟୀ ମୃତ ସନ୍ତୋଷଙ୍କ ଶବ ବ୍ୟବ‌ଚ୍ଛେଦ କରାଯାଇ ପରିବ‌ାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଗୁଣିଆର କଥାକୁ ବିଶ୍ବାସ କରି କିଛି ସଂପର୍କୀୟ ଡାକ୍ତରଙ୍କ ମୃତ୍ୟୁ ରିପୋର୍ଟ ମିଥ୍ୟା ବୋଲି କହିବା ସହ ହୋ’ହଲ୍ଲା କରିଥିଲେ। ସେ ଘର ଭିତରେ ଶୋଇଥିଲେ ଓ ଦେହରେ କିଛି କ୍ଷତ ନଥିବାରୁ ମୃତ୍ୟୁର ପ୍ରକୃତ କାରଣ ଜଣ‌ାପଡ଼ିନାହିଁ।

ସମ୍ବନ୍ଧିତ ଖବର