ରାୟଗଡ଼ା: ଚିକିତ୍ସାଧୀନ ଅବସ୍ଥାରେ ପ୍ରସୂତିଙ୍କ ମୃତ୍ୟୁ ପରେ ଶବ ଦେବାକୁ ମନାକଲେ ଡାକ୍ତରଖାନା କର୍ତ୍ତୃପକ୍ଷ। ତେଣୁ ଡାକ୍ତରଖାନାରେ ହଟହଟା ହୋଇଛନ୍ତି ଜଣେ ଭାଇ। ଅସହାୟ ଅବସ୍ଥାରେ ଡାକ୍ତରଖାନାରେ ପ୍ରଶାସନର ସହାୟତା ଅପେକ୍ଷାରେ ରହିଛନ୍ତି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୁନିଗୁଡା ବ୍ଲକ ଅନ୍ତର୍ଗତ ଡେନଗାମ ଗାଁର ଇନ୍ଦୁ ସିକକାଙ୍କ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ବିଷମକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଇନ୍ଦୁ ମୃତ ସନ୍ତାନ ପ୍ରସବ କରିଥିଲେ। ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ରାୟଗଡ଼ା ପହଞ୍ଚିବା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲେ ସୁଦ୍ଧା କିଛି ଘଣ୍ଟା ପରେ ମୃତ୍ୟୁ ହୋଇଯାଇଥିଲା। ପ୍ରସବ ସମୟରେ ଏବଂ ଡାକ୍ତରଖାନାରେ ଭର୍ତ୍ତି ସମୟରେ ଇନ୍ଦୁଙ୍କ ନିକଟରେ ନିଜର ବୋଲି କେହି ନଥିଲେ। ମୃତ୍ୟୁ ହେବାପରେ ପରିବାର ସଦସ୍ୟଙ୍କୁ ଖୋଜିବାରୁ କେହି ନଥିଲେ। ବିଭିନ୍ନ ସ୍ଥାନରେ ଯୋଗାଯୋଗ କରିବାରୁ ଶେଷରେ ତାଙ୍କ ସ୍ବାମୀଙ୍କ ସଂପର୍କରେ ଖବର ମିଳିଥିଲା। ତେବେ ସ୍ବାମୀ ଦ୍ବିତୀୟ ବିବାହ କରି ଅନ୍ୟତ୍ର ରହୁଥିବା ଜଣାପଡ଼ିଥିଲା।
ଇନ୍ଦୁଙ୍କ ସମ୍ପର୍କୀୟ କହିଲେ କେବଳ ତାଙ୍କର ଜଣେ ଭାଇ ଅଛନ୍ତି ବୋଲି ବିଳମ୍ବରେ ଖବର ମିଳିଥିଲା। ତେଣୁ ଭାଇଙ୍କୁ ଯୋଗାଯୋଗ କରି ଭଉଣୀର ମୃତ୍ୟୁ ସଂପର୍କରେ ସୂଚନା ଦିଆଯାଇଥିଲା। ଖବର ପାଇ ଭାଇ ରାୟଗଡ଼ା ଡାକ୍ତରଖାନାରେ ପହଞ୍ଚି ଭଉଣୀର ମୃତଦେହ ନେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ କହିଥିଲେ। କିନ୍ତୁ କାଗଜପତ୍ର ଦାଖଲ ନକରିବା ପର୍ଯ୍ୟନ୍ତ ଶବ ହସ୍ତାନ୍ତର କରିବେ ନାହିଁ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ କହିଥିଲେ। ଦୂରରୁ ଆସିଥିବା ବେଳେ ରାୟଗଡ଼ାରେ ନିଜର କେହି ନଥିବାରୁ ଭାଇ ଅସହାୟ ଅବସ୍ଥାରେ ହଇରାଣ ହୋଇଥିଲେ। ଏହି ଖବର ପାଇ ଲିଗାଲ୍ ଏଡ୍ର ପିପିଏଲ୍ କୁମାରୀ ବଡତିଆ ଡାକ୍ତରଖାନାରେ ପହଞ୍ଚି ହସ୍ତକ୍ଷେପ କରିଥିଲେ। ତାଙ୍କ ଅନୁରୋଧକୁ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ଆଦୌ ଶୁଣି ନଥିଲେ। ପୁଲିସ ମାମଲା ରୁଜୁ କରିବା ପରେ ହିଁ କିଛି କରାଯାଇ ପାରିବ ବୋଲି କୁହାଗଲା। ଏ ନେଇ ଡାକ୍ତରଖାନା ମ୍ୟାନେଜରଙ୍କୁ ପଚାରିବାରୁ କାଗଜପତ୍ର ଦେଖାଇଲେ ଶବ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି। ଏମିତିସ୍ଥିତିରେ ଦିନ ତମାମ୍ ଇନ୍ଦୁଙ୍କ ଶବ ଡାକ୍ତରଖାନାରେ ରହିଥିଲା। ଇନ୍ଦୁଙ୍କ ମୃତ୍ୟୁ ଖବର ପାଇ ଭାଇ ରାୟଗଡାରେ ପହଞ୍ଚିଥିଲେ ବି ପାଖରେ ଟଙ୍କା ନାହିଁ। ଶବ ନେବାକୁ ପାଖରେ ଟଙ୍କା ଅଭାବ ସାଙ୍ଗକୁ ମେଡିକାଲ କର୍ତ୍ତୃପକ୍ଷଙ୍କ ଅସହଯୋଗ ତାଙ୍କୁ ଅଡୁଆରେ ପକାଇଛି। ଭଉଣୀର ଶବ ଘରକୁ ନେବାକୁ ପ୍ରଶାସନର ସହଯୋଗ ପାଇଁ ସେ ନେହୁରା ହୋଇଛନ୍ତି।