ବଲାଙ୍ଗୀର/ସାଲେଭଟା/ଡୁଡୁକା/ଏସ୍‌.ରାମପୁର/କଣ୍ଟାମାଳ/ଯୁଯୁମୁରା: ଆଜି ଗୋଟିଏ ଦିନରେ ବଲାଙ୍ଗୀର, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଂଶୁଘାତରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହାସହିତ ଗତ ତିନି ଦିନ ମଧ୍ୟରେ ଅଂଶୁଘାତ ଯୋଗୁଁ ୬୨ ଜଣ ପ୍ରାଣ ହରାଇଲେଣି। ଆଜି ସନ୍ଧ୍ୟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ବଲାଙ୍ଗୀର ସଦର ବ୍ଲକ୍‌ ସରଗାଡ଼ ଗାଁର ସୁପ୍ରିୟା ସାହୁ (୪୦)ଙ୍କ ଅଂଶୁଘାତରେ ଜୀବନ ଚାଲି ଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ସେହିପରି ଆଗଲପୁର ବ୍ଲକ ଇଂସା ଗାଁର ମୁକେଶ କନ୍ଧେର (୨୯), ପଟୁଆପାଲି ଗାଁର ରାଧାକାନ୍ତ ପରୁଆ ଓରଫ୍ ରୋହିତ (୪୫) ଓ ଡୁଡୁକା ଗାଁର ଦୁବୁନୀ ହାତୀ (୬୦)ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ମୁକେଶ ମଧ୍ୟାହ୍ନରେ ନଳକୂଅରୁ ଗାଧୋଇ ସାରି ଘରକୁ ଫେରୁଥିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ଆଗଲପୁର ସିଏଚ୍‌ସିକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ରୋହିତ ପଟୁଆପାଲି କେନ୍ଦୁପତ୍ର ଫଡ଼ିରେ ଶ୍ରମିକ ଭାବେ କାମ କରୁଥିଲେ। ଗତକାଲି ଅପରାହ୍ନ ୩ଟାରେ ଫଡ଼ିକୁ କାମ କରିବାକୁ ଯାଉଥିବା ବେଳେ କେନାଲ ଛକରେ ପଡ଼ିଯାଇ ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଲୋଇସିଂହା ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ‌ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ପତ୍ନୀ ୧୨ ବର୍ଷ ହେଲା ତାଙ୍କୁ ଛାଡ଼ି କୁଆଡ଼େ ଚାଲିଯାଇଥିବା ବେଳେ ବର୍ତ୍ତମାନ ଦୁଇ ଝିଅ ଓ ଏକମାତ୍ର ପୁଅ ବେସାହାରା ହୋଇପଡ଼ିଛନ୍ତି।

Advertisment

ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଅଇଁଲାମୁଣ୍ଡା ନିବାସୀ ବିଦ୍ୟାଧର ବାରିକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ କହିବା ଅନୁସାରେ, ବିଦ୍ୟାଧର ନିଜ ଶନିବାର ବିଲରେ ମେସିନ ସାହାଯ୍ୟରେ ଧାନ କଟାଉଥିଲେ। ମଧ୍ୟାହ୍ନରେ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବରପାଲି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରଚଣ୍ଡ ଖରାରେ ବିଲରେ କାମ କରିବା ଫଳରେ ଅଂଶୁଘାତର ଶିକାର ହୋଇଥିବା ଡାକ୍ତର କହିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ବରଗାଁସ୍ଥିତ ରଘୁନାଥ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ଚାଲିଥିବା ସମୟରେ ଯଜ୍ଞକର୍ତ୍ତା ନୀଳାଞ୍ଚଳ ପ୍ରଧାନ (୫୦ବର୍ଷ)ଙ୍କ ପରଲୋକ ହୋଇଯାଇଛି। ମନ୍ଦିର ପ୍ରତିଷ୍ଠା ପାଇଁ ଗୁରୁବାର ଯଜ୍ଞ ଆରମ୍ଭ ହୋଇଥିଲା। ଶୁକ୍ରବାର ନାମ ସଂକୀର୍ତ୍ତନ ପାଇଁ ଅଧିବାସ ଚାଲିଥିଲା। ଏହି ସମୟରେ ନୀଳାଞ୍ଚଳ କୌଣସି କାରଣରୁ ଅଚେତ ହୋଇ ପଡ଼ି ଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସୋନପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ଉପବାସ ରହି ସେ ଦାୟିତ୍ୱ ତୁଲାଉଥିବାରୁ ଅଂଶୁଘାତଜନିତ ତାଙ୍କ ମୃତ୍ୟୁ ହୋଇଥାଇ ପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଡଙ୍ଗାପାଳ (ବାହାଡ଼ାପଡ଼ା)ର ଶ୍ରମିକ ନକୁଳ ମିର୍ଦ୍ଧା (୫୫)ଙ୍କ ଶନିବାର ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ନକୁଳ ଖାଇସାରି ଶୋଇଥିଲେ। ଦିନ ୨ଟା ବେଳେ ଉଠି ପାଣି ପିଉଥିବା ସମୟରେ ହଠାତ୍‌ ଟଳି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଂଶୁଘାତରେ ତାଙ୍କ ମୃତ୍ୟୁ ଘଟିଥିବା ସାଧାରଣରେ ସନ୍ଦେହ କରାଯାଉଛି। ଖବର ପାଇ ଯୁଯୁମୁରା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୁନ୍ଦରଗଡ଼ରେ ଗଲା ଆଉ ୩ ମୁଣ୍ଡ! ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୨୭ ଛୁଇଁଲା

ରାଉରକେଲା/ବିଶ୍ରା: ଅସହ୍ୟ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା। ଅଂଶୁଘାତରେ ଆକ୍ରାନ୍ତ ସଂଖ୍ୟାରେ ବ୍ରେକ୍‌ ଲାଗୁନି। ଗତକାଲି ବିଳମ୍ବିତ ରାତି ଓ ଆଜି ଅଂଶୁଘାତରେ ଆଉ ତିନି ଜଣଙ୍କର ଜୀବନ ଯାଇଛି। ହାଇଟେକ୍‌ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇଜଣ ପ୍ରାଣ ହରାଇଛନ୍ତି। ଆଜି ଆର୍‌ଜିଏଚ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ବନ୍ଧମୁଣ୍ଡା ଚମ୍ପାଗଡ଼ର ବିପିନ ହେମ୍ବ୍ରମ୍‌ (୫୨)ର ଜୀବନ ଯାଇଛି। ସୁନ୍ଦରଗଡ଼ରେ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ଏବେ ୨୬ ଆକ୍ରାନ୍ତ ଉଭୟ ଆର୍‌ଜିଏଚ୍‌ ଓ ହାଇଟେକ୍‌ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ବାଭାବିକ ଥିବା ଚିକିତ୍ସାଧୀନ ଡାକ୍ତର କହିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଡାକ୍ତର ଅଶୋକ ପାଇପ୍‌ରାୟ, ଡାକ୍ତର ବୁଟୁକେଶ୍ବର ପ୍ରଧାନ ଓ ଡାକ୍ତର ଆରୋଗ୍ୟ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍‌ ଆଜି ଆର୍‌ଜିଏଚ୍‌ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେମାନେ ଆର୍‌ଜିଏଚ୍‌ରେ ଚାରିଟି ସ୍ବତନ୍ତ୍ର ଅଂଶୁଘାତ ୱାର୍ଡ ବୁଲିବା ସହ ଚିକିତ୍ସାଧୀନ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ୱାର୍ଡରେ ଭର୍ତ୍ତି ପ୍ରତ୍ୟେକ ରୋଗୀଙ୍କୁ ଅଂଶୁଘାତରେ ଶିକାର ସଂକ୍ରାନ୍ତରେ ପଚାରିଥିଲେ।

ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୨୭ ଛୁଇଁଲା
ଆର୍‌ଜିଏଚ୍‌ରେ ସ୍ବାସ୍ଥ୍ୟବିଭାଗର ଟିମ୍‌
ଏବେ ବି ୨୬ ଆକ୍ରାନ୍ତ ଚିକିତ୍ସାଧୀନ
ଆସିବେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍‌

ସ୍ବତନ୍ତ୍ର ୱାର୍ଡରେ ନି‌ୟୋଜିତ ଡାକ୍ତରଙ୍କ ସହ ଯୋଗାଇଦିଆଯାଉଥିବା ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଆର୍‌ଜିଏଚ୍‌ର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଯୋଗଦେଇଥିଲେ। ଆର୍‌ଜିଏଚ୍‌ର ନିର୍ଦ୍ଦେଶକ ଡାକ୍ତର ଗଣେଶ ପ୍ରସାଦ ଦାସ, ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ, ଡାକ୍ତର ପଣ୍ଡିତ ସାହୁ ସମେତ ବରିଷ୍ଠ ଡାକ୍ତରଙ୍କ ସହ ଅଂଶୁଘାତ ମୁକାବିଲା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଅଂଶୁଘାତର ମୁକାବିଲା ପାଇଁ ଖୋଲାଯାଇଥିବା ୪ଟି ସ୍ବତନ୍ତ୍ର ୱାର୍ଡରେ ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସ୍ବାସ୍ଥ୍ୟବିଭାଗ ଟିମ୍‌ର ଡାକ୍ତରମାନେ ନିର୍ଦ୍ଦେଶକ ଡାକ୍ତର ଦାସଙ୍କୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ରାଜନୈତିକ ଦଳର ଦାବି ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ୱାର୍ଡରେ ୫ଟି ଏସି ଓ ବିଭିନ୍ନ ୱାର୍ଡରେ ୩୦ଟି କୁଲରର ବ୍ୟବସ୍ଥା କରାଯାଇଛି। ଆସନ୍ତା ୨/୩ ଦିନ ମଧ୍ୟରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ସ୍ଥିତି ଅନୁଧ୍ୟାନ କରିବାକୁ ଆର୍‌ଜିଏଚ୍‌ ଆସୁଛନ୍ତି। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ତାହା ଅଂଶୁଘାତ ଯୋଗୁ ନା ଅନ୍ୟ କେଉଁ କାରଣରୁ ହୋଇଛି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି କହିଛନ୍ତି। ଗତକାଲି ଓ ଆଜି ମୃତ୍ୟୁବରଣ କରିଥିବା ପ୍ରାୟ ସମସ୍ତ ମୃତକଙ୍କ ବ୍ୟବଚ୍ଛେଦ କରାଯାଇଛି। ମୃତ୍ୟୁର କାରଣ ଜାଣିବାକୁ ଏକ ଡାକ୍ତରଟିମ୍‌ ମଧ୍ୟ ଗଠନ କରାଯାଇଛି। ଟିମ୍‌ ରିପୋର୍ଟ ଦେବା ପରେ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ୨୭ ଜଣଙ୍କର ମଧ୍ୟରୁ କେତେଜଣ ଅଂଶୁଘାତରେ ପ୍ରାଣ ହରାଇଛନ୍ତି ସ୍ପଷ୍ଟ ହେବ।