ଉତ୍କେଲା: କଳାହାଣ୍ଡି ଜିଲ୍ଲା ବେଲାମାଲ ରେଡିଓ ଷ୍ଟେସନ୍‌ ନିକଟରେ ଗତକାଲି ଟ୍ୟାଙ୍କର୍‌ ଧକ୍କାରେ ମୃତ୍ୟୁବରଣ କରିଥିବା ୩ ସାଙ୍ଗଙ୍କ ଜୁଇ ଆଜି ଏକାସାଙ୍ଗରେ ଗାଁ ଶ୍ମଶାନରେ ଜଳିଥିଲା। ସୂଚନାନୁସାରେ, ଗତକାଲି ତିନିଜଣ ସାଙ୍ଗ ଅକ୍ଷୟ ଗଉଡ଼, ରତ୍ନାକର ଗଉଡ଼ ଓ ରଘୁନାଥ ଗଉଡ଼ କ୍ରିକେଟ୍‌ ଖେଳି ଫେରୁଥିବା ବେଳେ ଏକ ଗ୍ୟାସ୍‌ ଟ୍ୟାଙ୍କର୍‌ ସେମାନଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଥିଲା। ଗତକାଲି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ରାଜପଥ ଅବରୋଧ କରିଥିଲେ ଲୋକେ। ଘଟଣାସ୍ଥଳରେ ଭବାନୀପାଟଣା ସଦର ଥାନା ପୁଲିସ ଓ କଳାହାଣ୍ଡି ତହସିଲଦାର ଉପେନ୍ଦ୍ର ଲୁହାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ଶ୍ରୀ ଲୁହାର ରେଡକ୍ରସ ତରଫରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଁଏ ଦେଇଥିଲେ।

Advertisment

ଏହା ସହ ମୃତ ଅକ୍ଷୟ ଓ ରତ୍ନାକରଙ୍କ ପରିବାର ଗରିବ ହୋଇଥିବାରୁ ତାଙ୍କ ପରିବାରକୁ ୪ ଡେସିମିଲ୍‌ ଲେଖାଏଁ ଜମି ଦେବା ପାଇଁ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ରାସ୍ତାରୋକ ହଟିବା ପରେ ତିନି ଜଣଙ୍କ ଶବ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଆଜି ତିନିଜଣଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଳୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ତିନି ଜଣଙ୍କ ଶବ ରୁଇନିପାଲିକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ତିନି ସାଙ୍ଗଙ୍କ ଚିତା ଏକାସାଙ୍ଗରେ ଜଳିଥିଲା। ଆଜି ତିନି ଜଣଙ୍କ ଶବ ଗାଁରେ ପହଞ୍ଚିଲା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଭବାନୀପାଟଣା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।