ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ ଛାତ୍ରାବାସର ୧୦୨ ନଂ ରୁମ୍ରେ ଝୁଲନ୍ତା ଅବସ୍ଥାରେ ଆଇଆର୍ ଆଣ୍ଡ ପିଏମ୍ ବିଭାଗର ଛାତ୍ର ତାରିଣୀ ପ୍ରସାଦ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗିରହିଛି। ଆଜି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ତାରିଣୀଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି।
ଆଇଆର୍ ଏଣ୍ଡ ପିଏମ୍ ବିଭାଗର ପ୍ରଥମ ବର୍ଷ ଛାତ୍ର ତାରିଣୀଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍ ଅଞ୍ଚଳରେ। ଗତ ଗୁରୁବାର ଦିନ ସେ ଶେଷଥର ପାଇଁ ତାଙ୍କ ମା’ଙ୍କ ସହ କଥାବର୍ତ୍ତା ହୋଇଥିଲେ। ଶୁକ୍ରବାର ଦିନ ତାଙ୍କ ମା’ ଫୋନ୍ କରିଥିଲେ, ହେଲେ ପୁଅ ସହ ଯୋଗାଯୋଗ ହୋଇପାରି ନଥିଲା ବୋଲି ପରିବାରବର୍ଗ କହିଛନ୍ତି। ଶୁକ୍ରବାର ଦିନ ହଷ୍ଟେଲ୍ ଅନ୍ତେବାସୀମାନେ ତାରିଣୀ ରହୁଥିବା ରୁମ୍ କବାଟ ବାଡ଼େଇଥିଲେ ବି ସେ ଖୋଲି ନଥିଲେ। ଶନିବାର ଦିନ ଝରକା ପଟୁ ଦେଖିବାବେଳକୁ ତାରିଣୀ ସିଲିଂ ଫ୍ୟାନ୍ ହୁକ୍ରେ ବେଡ଼ସିଟ୍ ଲଗାଇ ଝୁଲୁଥିବା ଦେଖିବାକୁ ପାଇଥିଲେ। ଛାତ୍ରମାନେ ଏ ସମ୍ପର୍କରେ ତୁରନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ।
ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଗତକାଲି ରାତି ପ୍ରାୟ ୧୦ଟା ବେଳେ ପରିବାର ଲୋକେ ପହଞ୍ଚିଥିଲେ। ପରିବାରବର୍ଗ, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା କନିଷି ତହସିଲଦାର ପ୍ରଳୟାନନ୍ଦ ଶତପଥୀଙ୍କ ଉପସ୍ଥିତିରେ ପୁଲିସ ଶବକୁ ଉଦ୍ଧାର କରି ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଆଜି ତିନି ଜଣିଆ ସାଇଣ୍ଟିଫିକ୍ ଟିମ୍ଙ୍କ ସହ ଏସଡିପିଓ ଶିବ ଶଙ୍କର ମହାପାତ୍ର, ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ, ଭଞ୍ଜବିହାର ଫାଣ୍ଡି ଅଧିକାରୀ ଏସ୍. ଶଙ୍କର ରାଓ ହଷ୍ଟେଲ ରୁମ୍କୁ ଯାଞ୍ଚ୍ କରିବା ସହ ଏକ ମୋବାଇଲ, ଔଷଧ ବୋତଲ ସହ ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିବା ଜଣାପଡିଛି।
ଅନ୍ୟପକ୍ଷରେ, କେଉଁ ପରିସ୍ଥିତିରେ ଏବଂ କେଉଁ ଚାପର ବଶବର୍ତ୍ତୀ ହୋଇ ତାରିଣୀ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛି ନା ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାପାଇଁ ଚେଷ୍ଟା କରାଯାଇଛି, ଏହାର ତଦନ୍ତ କରିବାକୁ ତାଙ୍କ ବଡ଼ବାପା ପ୍ରସନ୍ନ କୁମାର ବିଶ୍ବାଳ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବବୋଲି ପୁଲିସ ପ୍ରକାଶ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/berhmapur-student-suicide.jpg)