ଚାରିଧାମ ଯାତ୍ରାରେ କଳ୍ପନାଙ୍କ ବାପା-ମା’

ପୁରୀରେ ପହଞ୍ଚି ହତ୍ୟାକାଣ୍ଡ ସମ୍ପର୍କରେ ମୁହଁ ଖୋଲିଲେ

ଅନୁପ ସାଏଙ୍କ ଗିରଫ ଘଟଣାର ନୂଆମୋଡ଼
ଫେରାର ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲା
‘୪ ବର୍ଷ ହେଲା ଝିଅ ଓ ନାତୁଣୀ ସଂପର୍କରେ କିଛି ଜାଣିନି’

ପୁରୀ : କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷର ଝିଅ ପ୍ରଭାତୀଙ୍କୁ ହତ୍ୟା ଘଟଣାରେ ଗିରଫ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଫେରାର ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିବା କଳ୍ପନାଙ୍କ ବାପା ରୁଦ୍ରାକ୍ଷ ଦାସ ଓ ମା’ ଏବେ ଚାରିଧାମ ବୁଲୁଥିବା ଦେଖିବାକୁ ମିଳିଛି। ତିନିଧାମ ଯାତ୍ରା ସାରି ଟ୍ରେନ୍‌ ଯୋଗେ ଚତୁର୍ଥ ଧାମ ପୁରୀ ରେଳ‌ଷ୍ଟେସନ୍‌ରେ ଉଭୟ ବାପା-ମା’ ପହଞ୍ଚିବା ପରେ ଏହି କଥା ସ୍ପଷ୍ଟ ହୋଇଛି।

ଅନୁପଙ୍କ ଗିରଫ ପୂର୍ବରୁ ଅର୍ଥାତ୍ ୨୫ ଦିନ ତଳେ ଉଭୟ ଏହି ଯାତ୍ରା ଆରମ୍ଭ କରିଥିଲେ ଓ ଆଜି ପୁରୀରେ ପହଞ୍ଚିଥିବା ବାପା ରୁଦ୍ରାକ୍ଷ କହିଛନ୍ତି। ତେବେ ୪ ବର୍ଷ ହେଲା ଝିଅ ଓ ନାତୁଣୀ କେଉଁଠି ଥିଲେ, କେମିତି ଥିଲେ, ତାଙ୍କ ପାଖରେ କୌଣସି ସୂଚନା ନଥିଲା ବୋଲି ସେ ଗଣମାଧ୍ୟମ ଆଗରେ କହିଛନ୍ତି। ଆଜି ଅପରାହ୍ଣ ପ୍ରାୟ ୪ଟାରେ ପୁରୀ-ତିରୁପତି ଏକ୍ସପ୍ରେସ ଯୋଗେ ପୁରୀ ରେଳଷ୍ଟେସନ୍‌ଠାରେ ଉଭୟ କଳ୍ପନାଙ୍କ ବାପା-ମା’ ଲଗେଜ୍‌ ଧରି ପହଞ୍ଚିଥିଲେ। ପ୍ରଥମେ କଳ୍ପନାଙ୍କ ବାପା-ମା’ ଗଣମାଧ୍ୟମକୁ କିଛି କହିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ପରେ ବାପା’ ରୁଦ୍ରାକ୍ଷ କହିଥିଲେ, ୪ ବର୍ଷ ତଳେ ତାଙ୍କର ଝିଅ ସହ ଦେଖା ହୋଇଥିଲା। ସେତେବେଳେ ପରିସ୍ଥିତି ଭଲ ହୋଇଗଲେ ଝିଅ ସେମାନଙ୍କୁ ତାଙ୍କ ପାଖକୁ ନେଇଯିବ ବୋଲି କହିଥିଲା। କିନ୍ତୁ କେଉଁଠି ରହୁଛି, କାହା ସହିତ ରହୁଛି, ସେ ସଂପର୍କରେ କିଛି କହିନଥିଲା। ଏତିକି କହି ଘରୁ ଚାଲି ଯାଇଥିଲା। ସେବେଠୁ ଆଉ ଝିଅ କୌଣସି ସଂପର୍କ ରଖିନଥିଲା। ଏପରିକି ନିଜର ଠିକଣା କି ମୋବାଇଲ୍‌ ନମ୍ବର ବି ଦେଇନଥିଲା।

ଝିଅ ଓ ନାତୁଣୀ ହତ୍ୟା ଘଟଣାରେ ଅନୁପ ସାଏ ଗିରଫ ଘଟଣା ଜାଣିଛନ୍ତି କି ନାହିଁ ପ୍ରଶ୍ନରେ ସେ କହିଛନ୍ତି, ଯାତ୍ରା ସମୟରେ ଜନୈକ ସଂପର୍କୀୟ ତାଙ୍କୁ ଏହି ଖବର ଦେଇଥିଲେ। ତେବେ ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ଦାବି କରିବେ ବୋଲି ପ୍ରଶ୍ନରେ ସେ କୌଣସି ସ୍ପଷ୍ଟ ଉତ୍ତର ରଖିନଥିଲେ। କହିଥିଲେ, କିଏ ଦୋଷୀ ଓ କିଏ ନିର୍ଦୋଷ ମୁଁ ଜାଣିନି। ଏପରିକି ଅନୁପ ଝିଅକୁ ମାରିଛନ୍ତି କି ନାହିଁ‌ ମୁଁ ଜାଣିନି। ଯାହା ସରକାର ତଦନ୍ତ ପରେ ବିଚାର କରିବେ, ତାହା ହିଁ ହେଉ ବୋଲି କହି କଥା ଏଡ଼ାଇ ଯାଇଥିଲେ। ଆଗରୁ ଅନୁପ ଝିଅ ସହ ମିଳାମିଶା କରିବା ସଂପର୍କରେ ଜାଣିଥିଲେ କି ବୋଲି ପ୍ରଶ୍ନରେ ସେ କହିଛନ୍ତି, କେବଳ ନିର୍ବାଚନ ସମୟରେ ଅନୁପଙ୍କୁ ମୁଁ ଦେଖେ। ଅନ୍ୟ ସମୟରେ କେବେ ଦେଖିନି ବୋଲି ସେ କହିଛନ୍ତି।

ତେବେ କଳ୍ପନାଙ୍କ ମା’ ଏ ସଂପର୍କରେ ମୁହଁ ଖୋଲିନାହାନ୍ତି। ଆଜି ‌ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ଅନ୍ୟାନ୍ୟ କାମ ସାରି ସଂଧ୍ୟାରେ ଉଭୟ ଗାଁ’କୁ ଫେରି ଯାଇଥିବା ଜଣାପଡ଼ିଛି। ୨୦୧୬ ମସିହା ମେ’ରେ ଝାଡ଼ଖଣ୍ଡ ସୀମାବର୍ତୀ ଅଞ୍ଚଳରେ କଳ୍ପନା ଓ ତାଙ୍କ ୧୪ ବର୍ଷ ଝିଅର ମୃତ ଶରୀର ରାସ୍ତାରୁ ମିଳିଥିଲା। ଦୁଇ ଜଣଙ୍କୁ ଏତେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା ଯେ ପ୍ରଥମରୁ ଦୁଇଜଣଙ୍କ ପରିଚୟ ମିଳିପାରିନଥିଲା। ପରେ ପରିଚୟ ପାଇ ଓ ଖୋଳତାଡ଼ କରି ଝାଡ଼ଖଣ୍ଡ ପୁଲିସ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭରଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ବୋଲେରୋ ଗାଡ଼ିକୁ ଜବତ କରିଛି।

ସମ୍ବନ୍ଧିତ ଖବର