କଟକ: ରାଜ୍ୟର ଅନ୍ୟତମ ପ୍ରମୁଖ ନଦୀ କାଠଯୋଡ଼ିରେ ଗୋଟିଏ ପଟେ ଜଳ ପ୍ରବାହ ଉଦ୍‌ବେଗଜନକ ଭାବେ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ପ୍ରଦୂଷଣ ଜନିତ ସମସ୍ୟା ନଈକୁ ମୃତ୍ୟୁ ଆଡ଼କୁ ଟାଣି ନେଉଛି। କଟକର ଆରମ୍ଭ ଅର୍ଥାତ୍‌ ନରାଜ ନିକଟରେ ମହାନଦୀରୁ ବାହାରି ଥିବା ଏହି ନଦୀରୁ କୁଆଖାଇ, ସିଢୁଆ ଭଳି ନଦୀ ବାହାରିଛନ୍ତି। କଟକ ସହରର ଗୋଟିଏ ପାର୍ଶ୍ବରେ ଏହା ୯ କିଲୋମିଟର ପ୍ରବାହିତ ହୋଇଥିବା ବେଳେ କାଠଯୋଡ଼ିର ମୋଟ ଦୈର୍ଘ୍ୟ ୨୪ କିଲୋମିଟର ରହିଛି। ଉପରମୁଣ୍ଡରୁ ଆସୁଥିବା ମହାନଦୀର ୪୦ ପ୍ରତିଶତ ଜଳ କାଠଯୋଡ଼ିରେ ପ୍ରବାହିତ ହୋଇଥାଏ। କିନ୍ତୁ ମହାନଦୀରେ ଜଳ ପ୍ରବାହ ହ୍ରାସ ପାଉଥିବାରୁ କାଠଯୋଡ଼ିରେ ଗୁରୁତର ପ୍ରଭାବ ଦେଖିବାକୁ ମିଳୁଛି। ଏହାର ପରିବେଶ ଜନିତ ପ୍ରତିକୂଳ ପ୍ରଭାବ କଟକ ସହର ଏବଂ ଏହାର ଉପକଣ୍ଠରେ ଅନୁଭୂତ ହେବା ସହିତ ଭୂତଳ ଜଳ ମଧ୍ୟ ହ୍ରାସ ପାଇ ଚାଲିଛି। ବର୍ତ୍ତମାନ ସମୟରେ ଲଘୁଚାପ ଜନିତ ଅଧିକ ବର୍ଷା ହିଁ କାଠଯୋଡ଼ିକୁ ଜୀବନ ଦେଇପାରୁଛି ବୋଲି ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି।

Advertisment

୨୦୦୬ରେ ନରାଜ ବ୍ୟାରେଜ୍‌ ନିର୍ମାଣ ହେବା ପରଠୁ କାଠଯୋଡ଼ିରେ ପ୍ରତ୍ୟେକ ବର୍ଷ ସର୍ବାଧିକ ଜଳ ପ୍ରବାହର ରେକର୍ଡ କରାଯାଉଛି। ଏହି ରେକର୍ଡ ଅନୁଯାୟୀ ଯେଉଁଠି ୨୦୦୮ରେ ଏକଦା ସର୍ବାଧିକ ୮ ଲକ୍ଷ ୬୫ ହଜାର ୩୪୪ କ୍ୟୁସେକ ପାଣି ପ୍ରବାହିତ ହେଉଥିଲା; ସେହି ବର୍ଷ ମାନଙ୍କରେ ହାରାହାରି ୬ରୁ ୭ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଥିଲା, ତାହା ପରବର୍ତ୍ତୀ ସମୟରେ ହାରାହାରି ଭାବେ ୩ ଲକ୍ଷ କ୍ୟୁସେକ୍‌କୁ ହ୍ରାସ ପାଇ ଚାଲିଛି। ଏମିତିକି୨୦୧୭ରେ ମାତ୍ର ୭୭ ହଜାର ୧୯ କ୍ୟୁସେକ୍‌ ଜଳ ଓ ୨୦୧୬ରେ ୧ ଲକ୍ଷ ୯୦୨ହଜାର ୯୩ କ୍ୟୁସେକ୍‌ ଜଳ ପ୍ରବାହିତ ହେବା ଘଟଣା କାଠଯୋଡ଼ି ପାଇଁ ମୃତ୍ୟୁର ଘଣ୍ଟି ବଜାଇଛି। ବହୁବର୍ଷ ପରେ ଚଳିତ ବର୍ଷ ୪ରୁ ଅଧିକ ଲଘୁଚାପ ଜନିତ ବର୍ଷା ଯୋଗୁଁ କାଠଯୋଡ଼ିରେ ୬ଲକ୍ଷ ୮୫୬୦ କ୍ୟୁସେକ୍‌ ପାଣି ପ୍ରବାହିତ ହୋଇଛି।

ଗୋଟିଏ ପଟେ କାଠଯୋଡ଼ି ପାଣି ଅଭାବରୁ ଶୁଖିଲା ପଡୁଥିବା ବେଳେ ଅନ୍ୟପଟେ ଖାନନଗର ନିକଟରେ କଟକ ସହରର ଡ୍ରେନ୍‌ ପାଣିକୁ ସିଧାସଳଖ କାଠଯୋଡ଼ିକୁ ଛାଡ଼ି ଦିଆଯିବା ଫଳରେ ନଈ ପାଣି ଏକ ପ୍ରକାର ବିଷାକ୍ତ ହେବାରେ ଲାଗିଛି। ଯାହାକୁ ନେଇ ପରିବେଶବିତ୍‌ମାନେ ଚିନ୍ତାପ୍ରକଟ କରିଥିଲା ବେଳେ ହାଇକୋର୍ଟ ମଧ୍ୟ ତାଗିଦ୍‌ କରିଛନ୍ତି। କିନ୍ତୁ ଏ ଦିଗରେ ପ୍ରଶାସନ ବେଫିକର ହୋଇ ପଦକ୍ଷେପ ନ ନେଇ ବିଭିନ୍ନ ଆଳରେ ସମୟ ଗଡ଼ାଇ ଚାଲିଛି। 

ଅସନ୍ତୁଳିତ ବର୍ଷା ଯୋଗୁଁ କାଠଯୋଡ଼ିରେ ବାଲି ଜମା ହୋଇ ଚାଲିଥିବା ବେଳେ ହଠାତ୍‌ ଅଧିକ ପାଣି ଆସିଲେ ବାରଙ୍ଗ ବିଦ୍ୟାଧରପୁର ନିକଟରେ ପାଣି କୂଳ ଖାଉଛି। ତେଣୁ ସେସବୁ ସ୍ଥାନଗୁଡ଼ିକ ଉପରେ ଏବେ ନଜର ରଖାଯାଉଛି ବୋଲି ନରାଜ ଡିଭିଜନ୍‌ କନିଷ୍ଠଯନ୍ତ୍ରୀ ଦେବ ଦାସ କହିଛନ୍ତି।