ଭୁବନେଶ୍ୱର: ହୃତ୍ପିଣ୍ଡ ବନ୍ଦ ହୋଇଯାଇଥିଲା। ପୂରା ଶରୀର ନିରବ, ନିଶ୍ଚଳ। ଧୈର୍ଯ୍ୟହରା ହୋଇପଡ଼ୁଥା’ନ୍ତି ପରିବାରବର୍ଗ। ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ହେଇ ଯାଉଥାଏ ସମସ୍ତଙ୍କର। ପରିଜନ, ଅପରିଚିତ, ସମସ୍ତଙ୍କର ଗୋଟିଏ ପ୍ରାର୍ଥନା, ‘ଭଗବାନ, ତାଙ୍କୁ ନୂଆ ଜୀବନ ଦିଅ।’ ଏଭଳି ଆଶା-ଆଶଙ୍କା, ଭୟ-ପ୍ରାର୍ଥନା, ହିସାବ-ନିକାଶର ୨ ଘଣ୍ଟା ବିତିବା ପରେ ଅଲୌକିକ ଘଟଣା ଘଟିଥିଲା। ଡାକ୍ତରଙ୍କ ୨ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ଶରୀରକୁ ଆତ୍ମା ଫେରିଥିଲା। ଅପରେସନ ଥିଏଟରରୁ ଏଭଳି ଖବର ଆସିବା ପରେ ସମଗ୍ର ଡାକ୍ତରଖାନା ଆନନ୍ଦରେ ଫାଟି ପଡ଼ିଥିଲା। ଆଜି ଏମ୍ସ୍ ପରିସରରେ ଏଭଳି ଘଟଣା ଘଟିଥିଲା। ଜଣେ ୨୪ ବର୍ଷୀୟ ପ୍ରତିରକ୍ଷା ଯବାନଙ୍କୁ ଏକ୍ସଟ୍ରାକର୍ପୋରାଲ୍ କାର୍ଡିଓ-ପଲମୋନାରୀ ରେସୁସିଟେସନ୍ (ଇ-ସିପିଆର୍) ବଳରେ ଅସମ୍ଭବକୁ ସମ୍ଭବ କରାଯାଇ ପାରିଛି। ପୂର୍ବ ଭାରତରେ ଏହାକୁ ପ୍ରଥମ ଘଟଣା ବୋଲି କୁହାଯାଉଛି।
ଏଭଳି ନୂଆ ଜୀବନ ପାଇଥିବା ପ୍ରତିରକ୍ଷା ଯବାନ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ଧ୍ରୁବ ଚରଣ ସାହୁଙ୍କ ପୁଅ ଶୁଭକାନ୍ତ ସାହୁ। ତାଙ୍କୁ ଅକ୍ଟୋବର ପହିଲାରେ ଗୁରୁତର ଅବସ୍ଥାରେ ଏମ୍ସ୍ରେ ଭର୍ତ୍ତି କରାଯାଇଥିଲା। ଏମ୍ସରେ ପହଞ୍ଚିବାର କିଛି ସମୟ ପରେ ସେ ହୃଦ୍ଘାତର ଶିକାର ହୋଇଥିଲେ। ଜୀବନ ବଞ୍ଚାଇବା ନିମନ୍ତେ ୪୦ ମିନିଟ୍ର ପ୍ରାଥମିକ ସିପିଆର୍ ସତ୍ତ୍ବେ କିଛି ଫଳ ହୋଇ ନଥିଲା। ସାଧାରଣତଃ ଏଭଳି ସ୍ଥିତିରେ ମୃତ୍ୟୁ ଘୋଷଣା କରାଯାଏ। ତେବେ ଡାକ୍ତରମାନେ ଏହାକୁ ଏକ ଆହ୍ବାନ ଭାବେ ନେଇ ଇ-ସିପିଆର୍ ପ୍ରଣାଳୀରେ ଚିକିତ୍ସା ଆରମ୍ଭ କରିଥିଲେ। ଏକ୍ମୋ ବିଶେଷଜ୍ଞ ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାୟ ୮୦ ମିନିଟ୍ର ମାରାଥନ୍ ସିପିଆର୍ ପରେ ‘ଏକ୍ମୋ’ ପ୍ରୟୋଗ କରିଥିଲେ। ଇ-ସିପିଆର୍ ଦେବାର ୪୦ ମିନିଟ୍ ପରେ ଯୁବକଙ୍କ ହୃତ୍ପିଣ୍ଡ କାର୍ଯ୍ୟ କରିଥିଲା। ଅର୍ଥାତ୍ ୨ ଘଣ୍ଟା ପରେ ଜୀବନ ଫେରିଥିଲା। ଏହାର ୩୦ ଘଣ୍ଟା ମଧ୍ୟରେ ହୃତ୍ସ୍ପନ୍ଦନରେ ଯଥେଷ୍ଟ ଉନ୍ନତି ଆସିଥିଲା। ୯୬ ଘଣ୍ଟା ପରେ ତାଙ୍କୁ ଏକ୍ମୋରୁ ବାହାର କରାଯାଇଥିଲା।
ଏମ୍ସ ଭୁବନେଶ୍ବର ଡାକ୍ତରଙ୍କ ଚମତ୍କାରିତା
ପ୍ରୟୋଗ ହେଲା ଇ-ସିପିଆର ପ୍ରଣାଳୀ
ଏଭଳି କାର୍ଯ୍ୟକୁ ସଫଳ ରୂପ ଦେଇଥିବା ଡାକ୍ତରୀ ଦଳର ପ୍ରଶଂସା କରିଛନ୍ତି ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଏମ୍ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୁକ୍ତ ସମନ୍ବୟ ଏବଂ ଜୀବନ ବଞ୍ଚାଇବା ଓ ଚିକିତ୍ସା ସେବାକୁ ଆଗକୁ ନେବା ପାଇଁ ଏହା ଆମର ଉତ୍ସର୍ଗୀକୃତ ଭାବନାର ଏକ ଉଦାହରଣ ବୋଲି ସେ କହିଛନ୍ତି। ପୁଅକୁ ଦ୍ବିତୀୟ ଜୀବନ ମିଳିଥିବାରୁ ଶୁଭକାନ୍ତଙ୍କ ମା’ ମିନତି ସାହୁ ଏମ୍ସ ଭୁବନେଶ୍ୱର ଡାକ୍ତରୀ ଦଳକୁ କୃତଜ୍ଞତା ଜଣାଇଛନ୍ତି। ଏକ୍ମୋ ବିଶେଷଜ୍ଞ ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ, ଇ-ସିପିଆର୍ ପ୍ରଣାଳୀ ଏକ କଷ୍ଟସାଧ୍ୟ ପ୍ରକ୍ରିୟା। ଏହାକୁ ସଫଳତାର ସହିତ ପ୍ରୟୋଗ କରିବା ଆମ ପାଇଁ ବଡ଼ ଆହ୍ବାନ ଥିଲା। ଆମ ଡାକ୍ତରୀ ଦଳଙ୍କ ଦଳଗତ ମନୋଭାବ କାରଣରୁ ଏହା ସଫଳ ହୋଇଛି। ଏହି ସଫଳତା ଓଡ଼ିଶାର ଚିକିତ୍ସା ଇତିହାସରେ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି। ଏହି ଟିମ୍ରେ କ୍ରିଷ୍ଣମୋହନ ଗୁଲା, ସନ୍ଦୀପ କୁମାର ପଣ୍ଡା, ସିଦ୍ଧାର୍ଥ ଷାଠିଆ, ସଙ୍ଗୀତା ସାହୁ, ମାନସ ପାଣିଗ୍ରାହୀ ପ୍ରମୁଖ ଡାକ୍ତରଙ୍କ ସହ ଏମ୍ସିଆଇ ଓ ନର୍ସିଂ ଅଧିକାରୀ ସାମିଲ୍ ହୋଇଥିଲେ। ସଫଳତା ପାଇଁ ମେଡିକାଲ୍ ଅଧୀକ୍ଷକ ଦିଲୀପ କୁମାର ପରିଡ଼ା, ଅନୁପମ ଦେ, ରଶ୍ମିରଞ୍ଜନ ମହାନ୍ତି, ଦେବାନନ୍ଦ ସାହୁ ପ୍ରମୁଖ ବିଶେଷଜ୍ଞମାନେ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।