ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣା, ଥାନା ଘେରିଲେ ଗ୍ରାମବାସୀ

କୁତ୍ରା: କୁତ୍ରା ବ୍ଲକ ଅନ୍ତର୍ଗତ ଜୁଉରାମୁଣ୍ଡା ପାହାଡଟୋଲିରେ ଗତ ୫ ତାରିଖ ଦିନ ସକାଳୁ ଗ୍ରାମର କେତେକ ବ୍ୟକ୍ତି ତେନ୍ତୁଳି ଗଛରେ ଏକ ଅଜଣା ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖି କୁତ୍ରା ପୁଲିସ୍ କୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ଯୁବକଜଣକ ମହାରାଷ୍ଟ୍ରର ପବିନ ପାଟିଲ (୨୦) ବୋଲି ଜଣା ପଡିଥିଲା । ପୁଲିସ ତାଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ ସୁଦ୍ଧା ସେମାନେ ଆସିନଥିଲେ । ପରିବାର ଲୋକେ ନଆସିବାରୁ ଉକ୍ତ ଯୁବକଙ୍କୁ ୭୨ ଘଣ୍ଟା ରଖିଲା ପରେ ପୁଲିସ ନିଜେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯୁବକଙ୍କ ଅନ୍ତିମ ସଂସ୍କାର କରିଥିଲା ।

ଏହି ଘଟଣାକୁ କେନ୍ଦ୍ରକରି ଆଜି ଜଉରାମୁଣ୍ଡା ଗ୍ରାମବାସୀ ଏକ ଦାବିପତ୍ର ପ୍ରଦାନ ସହ ଥାନା ଘେରାଉ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଯୁବକଙ୍କୁ ହତ୍ୟା କରାଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ କରୁନାହିଁ ଓ ଏହା ଆତ୍ମହତ୍ୟା ବୋଲି କହୁଛି । ଅପରପକ୍ଷରେ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ଜଣାପଡିବ ପ୍ରକାଶ କରି ଘଟଣାର ପୁନଃ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର