ଅସ୍ତରଙ୍ଗ: ଭୁଲ ଇଞ୍ଜେକ୍ସନ ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ପାଟସୁନ୍ଦରପୁର ଶିଶୁକନ୍ୟା ରଶ୍ମିତା ସେନାପତି(୬)ଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାଙ୍ଗୁରିଗାଁ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ମନୋଜ କୁମାର ଦଳେଇ, ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ତତ୍କାଳୀନ ଡାକ୍ତର ମୁର୍ଜାଫର ଖାଁ, ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡା. ପ୍ରୀତମ ପରିତୋଷ ପାତ୍ରଙ୍କ ସମେତ ଅନ୍ୟ ୩୦ ଜଣଙ୍କ ନାଁରେ ଅସ୍ତରଙ୍ଗ ଥାନାରେ କେସ୍ ନମ୍ବର ୧୮୧/୨୩ ରେ ଏକ ମାମଲା ରୁଜୁ ହୋଇଛି।
୧୬ ଅକ୍ଟୋବର ୨୦୨୨ରେ ପାଟସୁନ୍ଦରପୁର ସୁକାନ୍ତ ସେନାପତିଙ୍କ ୬ ବର୍ଷୀୟ କନ୍ୟା ରଶ୍ମିତାଙ୍କୁ ଜ୍ୱର ହେବାରୁ ବାଙ୍ଗୁରୀଗାଁ ଡାକ୍ତରଖାନାର ଫାର୍ମାସିଷ୍ଟ ମନୋଜ କୁମାର ଦଳେଇ ଏକ ଇଂଜେକସନ ଦେଇଥିଲେ। ଶିଶୁ କନ୍ୟାର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ। ପରିବାର ପକ୍ଷରୁ ୨୦୨୨ ଅକ୍ଟୋବର ୧୭ ତାରିଖରେ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରାଯାଇଥିଲେ ହେଁ ଏହାକୁ ଗୁରୁତ୍ବ ଦିଆଯାଇ ନଥିଲା। ପରେ ପରିବାର ଲୋକେ ପୁରୀ ଏସ୍ପି ଓ ପୁରୀ ଜିଲ୍ଲାପାଳଙ୍କୁ ଫେରାଦ ହୋଇଥିଲେ। ସବୁଠୁ ନିରାଶ ହେବା ପରେ ବାଧ୍ୟ ହୋଇ ଏ ସମ୍ପର୍କରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମୃତକଙ୍କ ବାପା ସୁକାନ୍ତ ସେନାପତି ଚଳିତ ମାସ ୭ ତାରିଖରେ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିବାରୁ ୧୮୧/୨୩ରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପଟେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଘଟଣାକୁ ଜାତୀୟ ମାନବାଧିକାର କମିସନ ନିକଟରେ ପହଞ୍ଚାଇଛନ୍ତି। ଏହି ସମ୍ବେଦନଶୀଳ ଘଟଣାରେ ଏନ୍ଏଚ୍ଆର୍ସି ୧୭୩୧୮/୨୦୨୩ରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ମୃତ୍ୟୁର କାରଣ ଓ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିବା ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ପୁରୀ ଜିଲ୍ଲାପାଳ, ସିଡିଏମ୍ଓ ପୁରୀ,ଏସ୍ପି ପୁରୀ, ପୁଲିସ ଡିଜି, ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ପକ୍ଷଭୁକ୍ତ ପାଇଁ ସେ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/high-court-new-india-express.jpg)