ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ପଛପଟେ ଏକ ନୂତନ କୋଠା ନିର୍ମାଣ କରାଯାଉଥିଲା। ସେଠାରେ ନିୟୋଜିତ ଥିବା ଉଲବା ଗ୍ରାମର ରବୀନ୍ଦ୍ର ଭୋଇ(୫୦ବର୍ଷ) ନାମକ ଜଣେ ଶ୍ରମିକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ହେଲେ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ କରାଯାଇ ନଥିବାରୁ ଘଟଣା ଚପାଇବା ଉଦ୍ୟମ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, ଉକ୍ତ କୋଠା ନିର୍ମାଣରେ କିଛି ଶ୍ରମିକ ଓ ମିସ୍ତ୍ରି ନିୟୋଜିତ ଥିଲେ। ଶୁକ୍ରବାର ସକାଳେ ଶ୍ରମିକ ରବୀନ୍ଦ୍ର ନିର୍ମାଣସ୍ଥଳରେ ପହଞ୍ଚି ବସିଥିଲେ। କାମ ଆରମ୍ଭ କରିବା ପାଇଁ ଅନ୍ୟମାନେ ତାଙ୍କୁ ଡାକିବାରୁ ସେ ଉଠିବା ସମୟରେ ଟଳିପଡ଼ିଥିଲେ। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତୁରନ୍ତ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ରେଡ୍କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ପରିସରରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତିର ମୃତ୍ୟୁ ହୋଇଥିବା ଏବଂ ସହରର ଜଣେ ନାମୀ ଠିକାଦାର ଠିକା କାମ କରୁଥିବାରୁ ଘଟଣାକୁ ଚପାଇ ଦେବା ଉଦ୍ଦେଶ୍ୟରେ ଶବ ବ୍ୟବଚ୍ଛେଦ କରା ଯାଇନଥିବା ଆଲୋଚନା ହେଉଛି।
ଏ ସମ୍ପର୍କରେ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କୁ ପଚରାଯିବାରୁ ସେ କହିଥିଲେ ଶ୍ରମିକଙ୍କ ମୃତ୍ୟୁ କେଉଁଠି ହୋଇଛି ଜାଣି ନାହାନ୍ତି। ଅତିରିକ୍ତ ତହସିଲଦାର ମୃତକଙ୍କ ପରିବାର ପାଖକୁ ଯାଇ ରେଡ୍କ୍ରସ୍ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରିଛନ୍ତି। ହୃଦ୍ଘାତ ଯୋଗୁଁ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାରୁ ଡାକ୍ତର ଶବ ବ୍ୟବଚ୍ଛେଦ କରି ନଥିଲେ ବୋଲି ସେ କହିଥିଲେ। ଏ ସମ୍ପର୍କରେ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ସ୍ବସ୍ତିକ ଦାସଙ୍କୁ ପଚରାଯିବାରୁ ସେ କହିଥିଲେ, ଡାକ୍ତରଖାନା ଆଣିବା ପୂର୍ବରୁ ଶ୍ରମିକଙ୍କ ମୃତ୍ୟୁ ହୋଇସାରିଥିଲା। ପରିବାର ଲୋକଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ହିସାବରେ ମୃତକଙ୍କ ଗୋଟିଏ ଆଖି ଦିଶୁନଥିଲା। ତାଙ୍କୁ ଉଚ୍ଚ ରକ୍ତଚାପ ଥିବା, ଶରୀରରେ କୌଣସି ଦାଗ ଦେଖାଯାଇ ନଥିବାରୁ ଶବ ବ୍ୟବଚ୍ଛେଦ କରାଯାଇନଥିବା ସେ କହିଥିଲେ।