ନବଜାତ ଶିଶୁକନ୍ୟାର ମୃତ୍ୟୁ, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର

ଚାନ୍ଦବାଲି: ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଡାକ୍ତରଙ୍କ ଅବହେଳା ଯୋଗୁ ନବଜାତକର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଚାନ୍ଦବାଲି ବ୍ଲକ ଚରଦିଆ ପଞ୍ଚାୟତ ପୂର୍ବପଲ୍ଲୀ ଗାଁର ଭରତ ମଣ୍ଡଳଙ୍କ ସ୍ତ୍ରୀ ପାର୍ବତୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଗତକାଲି ପୂର୍ବାହ୍ନରେ ପରିବାର ଲୋକେ ତାଙ୍କୁ ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ପ୍ରସୂତିଙ୍କ ଗର୍ଭ ଯନ୍ତ୍ରଣା ହେଉଥିବା ବେଳେ ପରିବାର ଲୋକେ ଡ୍ୟୁଟିରେ ଥିବା ଡ଼ାକ୍ତର ପ୍ରଦ୍ୟୁମ୍ନ ସାହୁଙ୍କୁ ବାରମ୍ବାର ଡାକିଥିଲେ ସୁଦ୍ଧା ସେ ବିଳମ୍ବରେ ଆସିଥିଲେ। ଏମିତିକି ପ୍ରସୂତିଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ପରେ ମଧ୍ୟ ପ୍ରସୂତି ବିଭାଗର ଡ଼ାକ୍ତର ଶ୍ରୀ ସାହୁ ୩ ଘଣ୍ଟା ବିଳମ୍ବରେ ଆସିଥିଲେ। ଡ୍ୟୁଟିରେ ଥିବା ନର୍ସମାନଙ୍କର ଚିକିତ୍ସା ପରେ ବହୁ ବିଳମ୍ବରେ ଏକ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ହେଲେ ଅଭିଜ୍ଞ ଚିକିତ୍ସକ ଅଭାବରୁ ଶିଶୁ କନ୍ୟାଟିର ମୃତ୍ୟୁ ହୋଇଥିବା ପ୍ରସୂତିଙ୍କ ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି। ଡ଼ାକ୍ତରଙ୍କ ଅବହେଳା ଅଭିଯୋଗ କରି ପରିବାର ଲୋକେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି।

ସୂଚନାଥାଉକି, ଗତ ଦୁଇ ମାସ ତଳେ ମୃତ ଜାଆଁଳ ଶିଶୁ ଜନ୍ମ ଘଟଣାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଦଳ ତଦନ୍ତ କରି  ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କୁ ତାଗିଦ୍ କରିଥିଲେ। ପୁନର୍ବାର ଏହି ଘଟଣା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି।  ଏହି ଅଭିଯୋଗ ସମ୍ପର୍କରେ ମେଡିକାଲ ଅଫିସର ଡା.ବିଷ୍ଣୁ ସାହୁଙ୍କୁ ପଚାରିବାରୁ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର