ଜମନକିରା : ପଡ଼ୋଶୀ ଛତିଶଗଡ଼ ରାଜ୍ୟ ବୋରି ରାଜନନ୍ଦ ଗାଁଓଁର ବୁଧୁବାର ସିଂ ଗଣ୍ଡର ଝିଅ ସୋନୁ ଗଣ୍ଡ (୧୮)ଙ୍କ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆଜକୁ ୨୦/୨୫ ଦିନ ହେବ ଜମନକିରା ବ୍ଲକ୍ ଫାଶୀମାଲ ପଂଚାୟତ ପୁକୁଡ଼ା ଗାଁ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ। ବଜାର ପ୍ରାଙ୍ଗଣରେ ରହି ଫଟୋ ବନ୍ଧେଇ କାମ କରୁଥିଲେ। ତାକୁ ଘର ଘର ବୁଲି ବିକ୍ରି କରି ଯାହା ଟଙ୍କା ମିଳୁଥିଲା ସେଥିରେ ଚୁଲି ଜଳୁଥିଲା। ତିନି ଦିନ ତଳେ ଝିଅର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଚିକିତ୍ସା କରୁଥିଲେ। ଅବସ୍ଥା ଜଟିଳ ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋନୁଙ୍କ ମୃତ୍ୟୁ ଘଟିଥିଲା।

Advertisment

publive-image

ମହାପ୍ରୟାଣ ଗାଡ଼ି ଯୋଗେ ଶବ ପୁକୁଡା ସାପ୍ତାହିକ ବଜାର ପ୍ରାଙ୍ଗଣକୁ ଅଣାଯାଇଥିଲା। ଗୁରୁବାର ସକାଳେ ପରିବାରର କାନ୍ଦ ବୋବାଳି ଶୁଣି ପୁକୁଡ଼ା ଗ୍ରାମବାସୀ ତଥା ଆଖ ପାଖ ଗାଁ ଲୋକ ରୁଣ୍ଡ ହୋଇଥିଲେ। ଫାଶୀମାଲ ସରପଂଚ ମାଧବୀଲତା ବରିହା ସେଠାକୁ ପହଂଚି ହରିଶ୍ଚନ୍ଦ୍ର ଯୋଜନାରୁ ଶବ ସତ୍କାର ପାଇଁ ଦୁଇ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଜିତୁ ମୁଦୁଲି ଅସହାୟ ପରିବାରକୁ ୫ ଶହ ଟଙ୍କା ପ୍ରଦାନ କରିଥିଲେ। ଆଲୋକ ନାୟକ, ଫାଶୀମାଲ ‘ସମ୍ବାଦ’ ପ୍ରତିନିଧି ହରମୋହନ ପଟେଲ, ଅରୁଣ ନାୟକ, ଆକାଶ ପଟେଲ, ସଂଜିବ ନାୟକ, ଡାକ୍ତର ପି. ଆର୍. ମଙ୍ଗରାଜଙ୍କ ସହଯୋଗରେ ଶବ ସତ୍କାର ହୋଇଥିଲା।