ଜେଲ୍‌ରେ ଆଜୀବନ କଏଦୀଙ୍କ ମୃତ୍ୟୁ

ପୁରୀ : ଏକ ହତ୍ୟା ମାମଲାରେ ଗତ ୬ ମାସ ପୂର୍ବେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ଦଣ୍ଡ ଭୋଗୁଥିବା କଏଦୀ ବିଶ୍ବନାଥ ବଳିଆରସିଂହ(୬୬)ଙ୍କର ସୋମବାର ଦିନ ମୃତ୍ୟୁଘଟିଛି। ତାଙ୍କୁ ପୁରୀ ଜିଲ୍ଲା କାରାଗାରରୁ ସଦର ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ମୃତଦେହ ବ୍ୟବଚ୍ଛେଦ କରାଇଛି।

ସୂଚନାଯୋଗ୍ୟ ଯେ କଣାସ ବ୍ଲକ୍‌ ଅନ୍ତର୍ଗତ ଚଣ୍ଡପଡ଼ାର ବଳଜିତପୁର ଗାଁରେ ଥିବା ଏକ ସରକାରୀ ଜମିରେ ଥିବା ଚାକୁଣ୍ଡା ଗଛକୁ ଗ୍ରାମବାସୀ କାଟିବା ପାଇଁ ଚାହୁଁଥିବା ବେଳେ ମାନସ ବଳିଆରସିଂହ ଏହାକୁ ବିରୋଧ କରିଥିଲେ। ତେଣୁ ମାନସଙ୍କୁ ହତ୍ୟା କରିବା ପାଇଁ ଗାଁର ପ୍ରାୟ ୨୨ ଜଣ ଅଭିଯୁକ୍ତ ଗତ ୨୦୧୨ ମସିହା ସେପ୍ଟେମ୍ବର ୧୨ ତାରିଖ ଦିନ ଯୋଜନାବଦ୍ଧ ଭାବେ ଏକ ମିଲ ଘର ପଛପଟେ ଲୁଚି ରହିଥିଲେ। ମାନସ ଏହି ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଖବର ପାଇ କଣାସ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ମାନସଙ୍କୁ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନା ପଠାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମାନସଙ୍କ ମୃତ୍ୟୁ ଘଟିଥିଲା। ଏନେଇ କଣାସ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏହି ମାମଲାର ଶୁଣାଣି କରି ୨୦୨୨ ଜୁଲାଇ ମାସ ୧୮ ତାରିଖ ଦିନ ମାନ୍ୟବର ବିଚାରପତି ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ଆସାମୀମାନଙ୍କ ମଧ୍ୟରେ ବିଶ୍ବନାଥ ବଳିଆରସିଂହ(୬୬) ଓ ତାଙ୍କ ଦୁଇପୁଅ ରାମକୃଷ୍ଣ ବଳିଆରସିଂହ(୪୭) ଓ ବିଚିତ୍ରାନନ୍ଦ ବଳିଆରସିଂହ(୪୫) ମଧ୍ୟ ଥିଲେ। ଆଜି ବିଶ୍ବନାଥ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନେବା ବାଟରେ ସେ ମୃତ୍ୟୁବରଣ କରିଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର