ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପୁଲିସ ଗିରଫ କରିଥିବା ଜଣେ ଯୁବକଙ୍କୁ ଜେଲ୍‌ ପଠାଇବାର ଦିନକ ପରେ ମୃତ୍ୟୁକୁ ନେଇ ପୁଣି ବିବାଦ ଘେରକୁ ଆସିଥିଲା ଗୋଳନ୍ଥରା ଥାନା। ତାଙ୍କୁ ଥାନାରେ ଥାର୍ଡ଼ ଡିଗ୍ରି ନିର୍ଯାତନା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି ଏବଂ ଏହା ପଛରେ ମଦ ମାଫିଆଙ୍କର ବି ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ମିଥ୍ୟା ମାମଲାରେ ଫସାଇ ଥାନାକୁ ନେଇ ମାଡ଼ ମାରିବାରୁ ମିଟୁ ବେହେରାଙ୍କ ମୃତ୍ୟୁ ହେଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ମିଟୁଙ୍କ ଏଭଳି ଅବସ୍ଥା ପଛରେ କିଛି ମଦ ମାଫିଆଙ୍କ ହାତ ରହିଥିବା ନେଇ ଚର୍ଚ୍ଚା ହେଉଛି। ପୂର୍ବରୁ ମଧ୍ୟ ଥାନା ହାଜତରେ ଅଟକ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଏବଂ ଥାନା ଆଗରେ ଆତ୍ମାହୁତି ଦେବା ବିବାଦରେ ଛନ୍ଦି ହୋଇଥିବା ଗୋଳନ୍ଥରା ପୁଲିସର କାର୍ଯ୍ୟକଳାପ ଏବେ ପୁଣି ସନ୍ଦେହ ଘେରକୁ ଆସିଛି। ବର୍ତ୍ତମାନ ମିଟୁ ମୃତ୍ୟୁ ଘଟଣାରେ ମଧ୍ୟ ମଦ ମାଫିଆଙ୍କ ସମ୍ପୃକ୍ତିକୁ ସହଜରେ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Advertisment

ଗୋଳନ୍ଥରା ଥାନା ପୁଲିସ ଗତ ୩୧ତାରିଖ ବିଳମ୍ବିତ ରାତିରେ ଇନ୍ଦ୍ରାକ୍ଷୀ ଗ୍ରାମର କିଆବାଡ଼ରେ ଚଢ଼ଉ କରିଥିଲା। ଚୋରା ରନ୍ଧା ମଦ ପ୍ରସ୍ତୁତ କରୁଥିବା ଅଭିଯୋଗରେ ପୁଲିସ ମିଟୁଙ୍କ ସମେତ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରୁ ଜେଲ୍‌ ଯିବାର ଦିନକ ପରେ ମିଟୁ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ବ୍ରହ୍ମପୁର ମଣ୍ଡଳ କାରାଗାର କର୍ମଚାରୀ ମିଟୁଙ୍କୁ ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମାଡ଼ ଯୋଗୁଁ ମିଟୁଙ୍କ ମୃତ୍ୟୁ ଘଟିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ବଡ଼ ମେଡିକାଲରେ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ମଦ ବ୍ୟବସାୟକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତାଙ୍କର ପରିବାରବର୍ଗ ମଧ୍ୟ ଅଭିଯୋଗ କରିଛନ୍ତି ଯେ ପୁଲିସ ଓ ମଦ ମାଫିଆ ମିଶି ମିଟୁଙ୍କୁ ନିସ୍ତୁକ ପିଟିଥିଲେ। ଏହି କାଣରରୁ ତାଙ୍କର ମୃତ୍ୟୁ ଘଟିଲା। ପ୍ରତ୍ୟକ୍ଷଦର୍ଶୀ ସୂଚନା ଆଧାରରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଘଟଣା ଦିନ ଅଂଚଳର କିଛି ମଦ ବେପାରୀ ପୁଲିସ ସହିତ ଚଢ଼ାଉରେ ସାମିଲ୍‌ ଥିଲେ। ମିଟୁ ଓ ଅନ୍ୟ ବ୍ୟକ୍ତିଙ୍କୁ ଚୋରା ମଦ କାରବାରରେ ପୁଲିସ ଗିରଫ କରିଥିଲା। ଏହାପରେ ତାଙ୍କୁ ନିସ୍ତୁକ ମାଡ଼ ମରା ଯାଇଥିବା ବେଳେ ମିଟୁ ସହ ଅନ୍ୟମାନେ ଆହତ ହୋଇଥିବା ପରିବାର ଲୋକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

କିଛି ପ୍ରଭାବଶାଳୀ ମଦ ବ୍ୟବସାୟୀ ପୁଲିସକୁ ହାତ କରି ଏଭଳି କାଣ୍ଡ ଘଟାଇଥିବା ନେଇ ଅଂଚଳରେ ଚର୍ଚ୍ଚା ହେଉଛି। ଏହି ଘଟଣାକୁ ନେଇ ଆଜି ଗୋଳନ୍ଥରା ଥାନାରେ ମୃତ ମିଟୁଙ୍କ ପତ୍ନୀ ସୁପ୍ରିୟା ବେହେରା ଗୋଳନ୍ଥରା ଥାନାରେ ୩ଜଣଙ୍କ ନାମରେ ଏତଲା ଦେଇଛନ୍ତି। ପୁଲିସ ଏହା ଦିଗରେ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।