ରାୟଗଡ଼ା : ରୁଷ୍ ସାଂସଦ ପାଭେଲ୍ ଆନ୍ଥେଭଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ କ୍ରାଇମବ୍ରାଞ୍ଚ ପ୍ରୟାସ ଜାରି ରଖିଛି। ହୋଟେଲ୍ ଛାତରୁ ପଡ଼ି ଆନ୍ଥେଭଙ୍କ ମୃତ୍ୟୁ ହୋଇଥିବାରୁ ସିନ୍ ରିକ୍ରଏସନ୍ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ କ୍ରାଇମବ୍ରାଞ୍ଚ ଡମିର ସହାୟତା ନେବ। ଏହି ଡମି ଦିଲ୍ଲୀରୁ ରାୟଗଡ଼ାକୁ ଆସିବ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଏମ୍ସ ବିଶେଷଜ୍ଞଙ୍କ ଉପସ୍ଥିତିରେ ଆନ୍ଥେଭଙ୍କ ଓଜନ ଓ ଶରୀର ଆକୃତିର ଗୋଟିଏ ଡମିକୁ ଛାତ ଉପରୁ ବାରମ୍ବାର ତଳକୁ ପକାଯିବ। ପ୍ରତିଥର ଉକ୍ତ ଡମିର ଯାଞ୍ଚ୍ କରି କେଉଁକେଉଁ ଅଂଶ କ୍ଷତିଗ୍ରସ୍ତ ହେଉଛି, ତାହାର ରିପୋର୍ଟ ସଂଗ୍ରହ କରିବେ ବିଶେଷଜ୍ଞ। ଉକ୍ତ ରିପୋର୍ଟ ଏବଂ ଆନ୍ଥେଭଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ମେଳକରି ସାମଞ୍ଜସ୍ୟକୁ ତୁଳନା କରାଯିବ। ଯାହା କ୍ରାଇମବାଞ୍ଚର ତଦନ୍ତରେ ସହାୟକ ହୋଇପାରେ ବୋଲି କୁହାଯାଉଛି।
ସିନ୍ ରିକ୍ରଏସନ୍ ପାଇଁ ଘଟଣାସ୍ଥଳକୁ ବି ସିଲ୍ କରି ରଖିଛି କ୍ରାଇମବ୍ରାଞ୍ଚ। ଦିନେ କିମ୍ବା ଦୁଇଦିନ ଭିତରେ ହୋଟେଲ୍ ସାଇ ଇଣ୍ଟରନ୍ୟାସନାଲ୍ ଛାତ ଉପରୁ ସିବିଆଇ ସିଏଫ୍ଏସ୍ଏଲ୍ (କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ଲାବୋରୋଟାରି) ପୂର୍ବତନ ନିର୍ଦ୍ଦେଶକ ଡ. ରାଜେନ୍ଦ୍ର ସିଂହ ଡାଙ୍ଗୀଙ୍କ ଉପସ୍ଥିତିରେ ସିନ୍ ରିକ୍ରଏସନ୍ କରାଯିବ।
ଶବ ବ୍ୟବଚ୍ଛେଦ ରିପୋର୍ଟ ଯାଞ୍ଚ୍ କରିବେ ବିଶେଷଜ୍ଞ
ସୁରକ୍ଷା କର୍ମୀ, ହୋଟେଲ୍ କର୍ମଚାରୀଙ୍କୁ ପୁଣି ଜେରା
ଅନ୍ୟପକ୍ଷରେ, କ୍ରାଇମବ୍ରାଞ୍ଚର ପ୍ରଥମ ଟିମ୍ ଡିଏସ୍ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ବରେ ସମସ୍ତ ତଥ୍ୟ ପ୍ରମାଣ ସଂଗ୍ରହ କରିବାପରେ ଦ୍ବିତୀୟ ଟିମ୍ ଡିଏସ୍ପି ତପନ ଦାଶଙ୍କ ନେତୃତ୍ବରେ ଖୋଳତାଡ଼ ଜାରି ରଖିଛି। ତଦନ୍ତର ସପ୍ତମ ଦିନରେ ଆଜି ହୋଟେଲ୍ ସୁରକ୍ଷାକର୍ମୀଙ୍କ ସହ କିଛି କର୍ମଚାରୀଙ୍କୁ ପୁଣି ଜେରା କରାଯାଇଛି। ଏଥିସହିତ ତଦନ୍ତକାରୀ ଅଧିକାରୀ ରାୟଗଡ଼ା ପୁଲିସ୍ ଜବତ କରିଥିବା ବିଭିନ୍ନ ସାମଗ୍ରୀକୁ ସଂଗ୍ରହ କରି ପରୀକ୍ଷା ପାଇଁ ଫରେନ୍ସିକ୍ ବିଶେଷଜ୍ଞଙ୍କ ନିକଟକୁ ପଠାଇଛି।
ଗୁରୁବାର ଦିନତମାମ କ୍ରାଇମବ୍ରାଞ୍ଚ ଟିମ୍ ରାୟଗଡ଼ା ଥାନା ପରିସରରେ ପୁଲିସ୍ ଅଧିକାରୀଙ୍କ ସହ ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଛନ୍ତି। କିଛିସମୟ ପାଇଁ ଡିଏସ୍ପି ସରୋଜକାନ୍ତ ମହାନ୍ତି ହୋଟେଲ୍କୁ ଆସି ପୁଣିଥରେ ଥାନାକୁ ଫେରି ଯାଇଥିଲେ। ରୁଷ୍ ପର୍ଯ୍ୟଟକ ମୃତ୍ୟୁ ମାମଲା ଓଡ଼ିଶା ପୁଲିସ୍ ପାଇଁ ଚ୍ୟାଲେଞ୍ଜ ହୋଇଥିବାରୁ କ୍ରାଇମବ୍ରାଞ୍ଚର ଦୁଇଟି ଟିମ୍ ରାୟଗଡ଼ାରେ ଖୋଳତାଡ଼ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/rayagada-ffa.jpg)