ପାଟଣାଗଡ଼ : ପାଟଣାଗଡ଼-ଗାଈସିଲାଟ ରାସ୍ତାର ତମିଆଁ ଓ ସୁନାମୁଦି ଛକ ମଝିରେ କିଛିଦିନ ତଳେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ସ୍କୁଟି ଚାଳକ ଟଙ୍କଧର ବିଶ୍ବାଳଙ୍କ ମୃତ୍ୟୁ ଘଟିଥିଲା। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ତମିଆଁ ଗାଁର ପ୍ରମୋଦ ବେହେରା ଓ ସାମାଜିକ କର୍ମୀ ଡିଙ୍ଗର କୁମ୍ଭାର ଏ ସଂପର୍କରେ ସୂଚନା ଦେଇଛନ୍ତି। ଦୁଘର୍ଟଣା ସମୟରେ ସାଂସଦ ଶ୍ରୀ ବିଶି ଗାଡ଼ିରେ ନଥିବା ନେଇ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟ ମିଛ ବୋଲି ଉଭୟେ କହିଛନ୍ତି।
ଘଟଣାର ପ୍ରତ୍ୟକ୍ଷଦର୍ଶୀ ବୋଲି ଦାବି କରୁଥିବା ପ୍ରମୋଦଙ୍କ କହିବା ଅନୁସାରେ, ଦୁର୍ଘଟଣା ଦିନ ସେ ବାଇକ୍ ଯୋଗେ ତମିଆଁ ଗାଁରୁ ପାଟଣାଗଡ଼ ଆସୁଥିଲେ। ଦୁର୍ଘଟଣା ପରେ ସାଂସଦ ଶ୍ରୀ ବିଶି ତାଙ୍କୁ ଅଟକାଇ ଲିଫ୍ଟ ମାଗିଥିଲେ। ଦଲପାଲି ପଡ଼ିଆଠାରୁ ସେ ତାଙ୍କ ପାଟଣାଗଡ଼ ଟିକପାଲିସ୍ଥିତ ବାସଭବନରେ ଛାଡ଼ିଦେବାକୁ କହିଥିଲେ। ଦୁର୍ଘଟଣା ସମୟରେ ଉକ୍ତ କାର୍ରେ ସାଂସଦଙ୍କ ସହ ତାଙ୍କ ଗାଡ଼ିଚାଳକ ଓ ପିଏସ୍ଓ ମଧ୍ୟ ଥିବା ନେଇ ପ୍ରମୋଦ ସାମ୍ବାଦିକମାନଙ୍କୁ କହିଛନ୍ତି। ଘଟଣାର ଏତେଦିନ ଯାଏଁ କାହିଁକି ଚୁପ୍ ରହିଥିଲେ ବୋଲି ପ୍ରମୋଦଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ପଚାରିବାରୁ ସେ କହିଥିଲେ, ସାଂସଦ ବଡ଼ ପଦରେ ଥିବାରୁ ପ୍ରଥମେ ସେ ଚୁପ୍ ରହିଥିଲେ। ହେଲେ ସାଂସଦ ଗଣମାଧ୍ୟମକୁ ମିଛ ମନ୍ତବ୍ୟ ଦେଉଥିବା ଜାଣିବା ପରେ ବର୍ତ୍ତମାନ ମାନବିକତା ଦୃଷ୍ଟିରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସତକଥା ଲୋକଲୋଚନକୁ ଆଣିଥିବା ପ୍ରମୋଦ କହିଥିଲେ। ଅନ୍ୟପକ୍ଷରେ ଘଟଣାର ଏତେଦିନ ପରେ ସାମ୍ବାଦିକ ସମ୍ମଳିନୀ କରି ଏଭଳି ଅଭିଯୋଗ ଆଣିଥିବାରୁ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/patna-dd.jpg)