ରାୟଗଡ଼ା : ଦିଲ୍ଲୀ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ରାୟଗଡ଼ାର ଆଦିତ୍ୟ ଚାଣକ୍ୟ ବକ୍ସିପାତ୍ର(୨୮)ଙ୍କ ସୋମବାର ଦିନ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଅପରାହ୍ନ ୩ଟାରେ ଆଦିତ୍ୟ ଦିଲ୍ଲୀସ୍ଥିତ ନିଜ ବାସ ଭବନରୁ ବାଇକ୍ ଯୋଗେ କୌଣସି କାମରେ ବାହାରକୁ ଯାଉଥିବା ବେଳେ ଜାତୀୟ ରାଜପଥରେ କାର୍ ସହ ମୁହାଁମୁହିଁ ହୋଇଥିଲେ। ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଆଦିତ୍ୟଙ୍କ ବାଇକକୁ ଧକ୍କା ଦେବା ପରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଆଦିତ୍ୟଙ୍କ ମୃତ୍ୟୁ ଖବର ରାୟଗଡ଼ାରେ ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

Advertisment

ମୃତ ଆଦିତ୍ୟ ରାୟଗଡ଼ା ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷ ନିରଞ୍ଜନ ବକ୍ସିପାତ୍ରଙ୍କ ବଡ଼ ପୁଅ ବୋଲି ଜଣା ପଡ଼ିଛି। ଗତ କିଛି ବର୍ଷ ହେଲା ଆଦିତ୍ୟ ଦିଲ୍ଲୀରେ ରହି ସୁପ୍ରିମକୋର୍ଟରେ ଓକିଲାତି କରି ଆସୁଥିଲେ। ମୃତ୍ୟୁ ଖବର ଶୁଣି ବହୁ ବିଶିଷ୍ଟ ବ୍ୟକ୍ତି ରାୟଗଡ଼ା ବାସ ଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଆଦିତ୍ୟଙ୍କ ମୃତ୍ୟୁରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ଶିଳ୍ପ ସଂପ୍ରସାରଣ ଅଧିକାରୀ ସବ୍ୟସାଚୀ ସାହୁ, ଯୁବ ବିଜେଡି ନେତା ଅଶୋକ ପଣ୍ଡା, ସନ୍ତୋଷ ରଥ, ସତ୍ୟ ନାରାୟଣ ପାଢ଼ୀ, ଜିଲ୍ଲା ଯୁବ ବିଜେଡି ସଭାପତି ଦେବାଶିଷ ଖାଡ଼ଙ୍ଗା, ମିଟ୍‌ସ ଗ୍ରୁପ୍ ଅଧ୍ୟକ୍ଷ ବିଶ୍ବଜିତ୍ ପଣ୍ଡା, ଶ୍ରୀରାମ ପଣ୍ଡା, ଶିକ୍ଷାବିତ୍ ବାଳକୃଷ୍ଣ ପଣ୍ଡା, ସମ୍ବାଦ ଜୟପୁର ସଂସ୍କରଣ ମୁଖ୍ୟ ତ୍ରିନାଥ ଖାଡଙ୍ଗା, ସାମ୍ବାଦିକ ରଞ୍ଜନ ରଥ, ରାୟଗଡ଼ା କଲେଜର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ବସ୍ ମାଲିକ ସଂଘ ସଭାପତି ଗୋପୀନାଥ ସାହୁଙ୍କ ସମେତ ଶତାଧିକ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।