ଯୋଡ଼ା: ଯୋଡ଼ା ସହିଦନଗର ଉଲିହଟିଂର ସତ୍ୟବ୍ରତ ଦାସଙ୍କ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି। ସୁନାନଦୀରେ ବୁଡ଼ି ସେ ପ୍ରାଣ ହରାଇଛନ୍ତି ବୋଲି କୁହାଯାଉଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସତ୍ୟବ୍ରତଙ୍କ ଦେହରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି।

Advertisment

ସୂଚନା‌ଯୋଗ୍ୟ, ଗତକାଲି ଅପରାହ୍‌ଣ ୩ଟା ସମୟରେ ସତ୍ୟବ୍ରତ ୩ଜଣ ସାଙ୍ଗଙ୍କ ସହ ଯୋଡ଼ା କ୍ୟାମ୍ପହଟିଂ ନିକଟସ୍ଥ ସୁନାନଦୀ କୂଳକୁ ବଣଭୋଜି କରିବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ସମୟରେ ସତ୍ୟବ୍ରତ ପାଣିରେ ବୁଡ଼ି ଯାଇଥିଲେ। ଏନେଇ ତାଙ୍କ ସାଙ୍ଗମାନେ ପୁଲିସକୁ ଖବର ଦେଇଥିଲେ। ଯୋଡ଼ା ପୁଲିସ ଅଗ୍ନିଶମ ବାହିନୀକୁ ଡକାଇ ନଦୀ ଅବବାହିକାରେ ଜମିଥିବା କାଦୁଅ ଭିତରୁ ସତ୍ୟବ୍ରତଙ୍କ ମୃତଦେହ ଉଦ୍ଧାର କରିଥିଲା। ଆଜି  ମୃତଦେହ ବ୍ୟବଚ୍ଛେଦ କରାଯାଇଛି।

ସତ୍ୟବ୍ରତଙ୍କ ବାପା ଯୋଗେନ୍ଦ୍ର ଦାସ ଅଭିଯୋଗ କରିଛନ୍ତି ଯେ, ସତ୍ୟବ୍ରତ ୩ଜଣ ସାଙ୍ଗ ସହ ବଣଭୋଜି କରିବାପାଇଁ ଗତକାଲି ପୂର୍ବାହ୍ନ ୧୧ରୁ ଯାଇଥିଲେ। ଅପରାହ୍‌ଣ ୩ଟା ବେଳେ ସେ ପାଣିରେ ବୁଡ଼ି ଯାଇଥିବା ନେଇ ତାଙ୍କର ଜଣେ ସାଙ୍ଗ ଜଣାଇଥିଲେ। ମୃତଦେହରେ କ୍ଷତଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଛି  ବୋଲି ଯୋଗେନ୍ଦ୍ର ଅଭିଯୋଗ କରିଛନ୍ତି। ଏନେଇ ଯୋଡ଼ା ଥାନାରେ ଏକ କେସ୍‌ ନମ୍ବର ୫୮/୨୦୨୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ଛାନ୍‌ଭିନ୍‌ କରୁଛି।  ମୃତଦେହ ଉଦ୍ଧାର ସ୍ଥାନର ସିସିଟିଭି ଫୁଟେଜ୍‌କୁ ନେଇ ପୁଲିସ ହତ୍ୟାକାଣ୍ଡର ସୁରାକ ଖୋଜୁଥିବା ଜଣାପଡ଼ିଛି। ସତ୍ୟବ୍ରତଙ୍କ ସହ ନଦୀକୁ ଗାଧୋଇବା ପାଇଁ ଯାଇଥିବା ତିନିଜଣ ସାଙ୍ଗକୁ ପୁଲିସ ପଚରାଉଚରା କରୁଥିବା ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।