ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ କାଦୋଦର ପଞ୍ଚାୟତ ନୂଆଗନିଆଁ (ଲିଟିପାଲି) ଗ୍ରାମର ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ବୀରମହାରାଜପୁର ଥାନା ଅନ୍ତର୍ଗତ ଗୌଡ଼ଗାଡ଼ ଗ୍ରାମର ଏକ ପୋଖରୀ ନିକଟରୁ ଶନିବାର ସକାଳେ ଉଦ୍ଧାର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି।

Advertisment

ସୂଚନା ଅନୁଯାୟୀ ନୂଆଗନିଆଁ ଗ୍ରାମର କୃଷ୍ଣଚନ୍ଦ୍ର ପଧାନଙ୍କ ପୁଅ ମୋହନ ପଧାନ (୪୦) ଗୁରୁବାର ସକାଳେ ତାଙ୍କର ଜଣେ ସହଯୋଗୀଙ୍କ ସହିତ ବାହାରକୁ ଯାଇଥିଲେ। ଶନିବାର ସକାଳେ ସେ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା କିଛି ବନବିଭାଗର କର୍ମଚାରୀ ଦେଖିବା ସହ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ବୀରମହାରାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୋହନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ମୋହନଙ୍କ ମୁହଁ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ନାକରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖାଯାଇଥିଲା। ମୋହନଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରି ତାଙ୍କ ଭାଇ ପଙ୍କଜ ପଧାନ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇବା ପରେ ବୀରମହାରାଜପୁର ଏସଡିପିଓ ଧୀରଜ ଚୋପଦାର, ଆଇଆଇସି ପ୍ରଭା ଧନ ସଦଳବଳେ ଘଟଣାସ୍ଥଳୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ  ମୋହନ ତାଙ୍କ ବାଇକ୍‌ରେ ଗତ ୨୮ ତାରିଖରେ  ଘରୁ ଗଲା ବେଳେ  କୋଡିଏ ହଜାର ଟଙ୍କା ସାଙ୍ଗରେ ନେଇଥିଲେ। କେହି ହତ୍ୟା କରି ଗାଡି, ଟଙ୍କା, ମୋବଇଲ ନେଇ ଯାଇଥିବା ପରିବାର ଲୋକ ସନ୍ଦେହ କରିଛନ୍ତି। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।