ପୁଲିସ ହେପାଜତରେ ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା: ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପାରିସ

ବଡ଼ବିଲ/ ଗୁଆଲି/ ଯୋଡ଼ା : କେନ୍ଦୁଝର ଜିଲ୍ଲା ବଲାଣି ଥାନା ଲସର୍ଦ୍ଦା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମିଲୁ ବାରିକଙ୍କ ପୁଲିସ ହେପାଜତରେ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପାରିସ କରାଯାଇଛି। ଏ ସଂପର୍କରେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ସ୍ପଷ୍ଟ କରିଛନ୍ତି। ଜାତୀୟ ମାନବାଧିକାର କମିସନ୍‌ଙ୍କ ମାର୍ଗଦର୍ଶିକା ଆଧାରରେ ତଦନ୍ତ କରିବାକୁ ଜିଲ୍ଲା ଜଜ୍‌ଙ୍କୁ ଅନୁରୋଧ କରାଯାଇଛି ବୋଲି ଏସ୍‌ପି ଶ୍ରୀ ମହାପାତ୍ର ‘ସମ୍ବାଦ’କୁ କହିଛନ୍ତି।

୨୦୨୨ ନଭେମ୍ବର ୨୮ ତାରିଖ ରାତିରେ ବଲାଣି ଥାନା ଅନ୍ତର୍ଗତ ଲସର୍ଦ୍ଦା ଗ୍ରାମର ଲକ୍ଷ୍ମୀଧର ଆପଟ ଏବଂ ତାଙ୍କ ପତ୍ନୀ ମଞ୍ଜୁଲତା ଆପଟଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଡିସେମ୍ବର ୩୧ ତାରିଖରେ ପୁଲିସ ଏହି ମାମଲାରେ ମାଖନ ନାଏକକୁ ଗିରଫ କରିଥିଲା। ୧୫ ତାରିଖରେ ଜୁରୁଡ଼ି ଅଞ୍ଚଳରେ ରହୁଥିବା ମିଲୁ ବାରିକ (୪୦)ଙ୍କୁ ସନ୍ଦେହରେ ପୁଲିସ ଉଠାଇ ଆଣିଥିଲା। ଏହାପରଠାରୁ ମିଲୁ ଆଉ ଘରକୁ ଫେରିନଥିବା ବାପା ଲୋନି ବାରିକ କହିଛନ୍ତି। ଏହାପରେ ଯୋଡ଼ା ଟିସ୍କୋ ଡାକ୍ତରଖାନାରେ ତାଙ୍କ ଶବ ମିଳିଥିଲା। ପୁଲିସ ମିଲୁଙ୍କୁ ମାଡ଼ ମାରିବା ସହ ଗୁଳି କରି ହତ୍ୟା କରିଥିବା ଲୋନି ଅଭିଯୋଗ କରିଥିଲେ। ତେବେ, ଅଭିଯୁକ୍ତ ମିଲୁକୁ ଧରିବା ପାଇଁ ଗୋଡ଼ାଇବା ବେଳେ ସେ ପଡ଼ିଯାଇ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଯୋଡ଼ା ଟିସ୍କୋ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଚମ୍ପୁଆ ଏସ୍‌ଡିପିଓ ରାମରାୟ ମୁର୍ମୁ କହିଥିଲେ।

ଏହି ଘଟଣା ପରଠାରୁ ‌ବଡ଼ବିଲ ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ ଥାନାକୁ ଆସୁନାହାନ୍ତି। ତାଙ୍କ ସ୍ଥାନରେ ସୁଶାନ୍ତ ଦାଶ ଦାୟିତ୍ବ ତୁଲାଉଥିବା ଦେଖିବାକୁ ମିଳିଛି। ଶ୍ରୀ ସ୍ବାଇଁଙ୍କ ନାମରେ ମାମଲା ରୁଜୁ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏସ୍‌ପି ଶ୍ରୀ ମହାପାତ୍ର ଏହାକୁ ଖଣ୍ଡନ କରିଛନ୍ତି। ମୃତ ମିଲୁର ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇ ନଥିବାରୁ ଏ ସଂପର୍କରେ କୌଣସି ପଦକ୍ଷେପ ନିଆଯାଇନି। ତେବେ ବିଚାର ବିଭାଗୀୟ ତଦନ୍ତ କରିବାକୁ ସୁପାରିସ କରାଯାଇଛି ସେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର