କରୋନାରେ ବ୍ରହ୍ମପୁର ମହାନଗର ନିଗମର ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁ

ବ୍ରହ୍ମପୁର : କରୋନାରେ ଜଣେ ପରେ ଜଣେ ଯୋଦ୍ଧା ଟଳି ପଡ଼ୁଛନ୍ତି। ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ର ବରିଷ୍ଠ କିରାଣିଙ୍କ ବିୟୋଗ ପରେ କରୋନାରେ ପୀଡ଼ିତ ଥିବା ସହକାରୀ ଯନ୍ତ୍ରୀ କୈଳାସ ଚନ୍ଦ୍ର ନାୟକ ଭୁବନେଶ୍ୱର କିମ୍‌ସ ହସ୍ପିଟାଲରେ ଗତରାତିରେ ପ୍ରାଣ ହରାଇଛନ୍ତି। କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୨ଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କିମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ରାତି ୮ଟାରେ ସେ ପରିବାରବର୍ଗ ଏବଂ ବିଏମ୍‌ସି କମିସନର୍‌ଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। ମଧ୍ୟରାତ୍ରିରେ ହଠାତ୍‌ ସେ ଗୁରୁତର ହୋଇ ପଡ଼ିଥିଲେ। ଫଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ୧୦ଦିନ ମଧ୍ୟରେ ବିଏମ୍‌ସିର ୨ଜଣ ବରିଷ୍ଠ ଅଧିକାରୀଙ୍କ କରୋନାରେ ମୃତ୍ୟୁ ଘଟଣା ଅଧିକାରୀ ଓ କର୍ମଚାରୀଙ୍କ ମହଲରେ ଶୋକର ବାତାବରଣ ସୃଷ୍ଟି କରିଛି। ସେପଟେ ବିଏମ୍‌ସି କାର୍ଯ୍ୟାଳୟର ବହୁ ବିଭାଗ ବନ୍ଦ କରାଯାଇଛି। ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ ସଙ୍ଗରୋଧରେ ରହିଛନ୍ତି। ମୃତ ଶ୍ରୀ ନାୟକଙ୍କ ପୈତୃକ ଗ୍ରାମ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ହୋଇଥିବା ବେଳେ ୨୦୧୭ରେ ସେ ରାଉରକେଲା ପୌରପାଳିକାରୁ ବ୍ରହ୍ମପୁର ମହାନଗର ନିଗମକୁ ବଦଳି ହୋଇ ଆସି ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ।

ସମ୍ବନ୍ଧିତ ଖବର