୧୦୦ ପାର୍ କଲା ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା, ଆଜି ପୁଣି ୬ ସଂକ୍ରମିତଙ୍କର ମୃତ୍ୟୁ

ଭୁବନେଶ୍ବର: ଆଜି ରାଜ୍ୟରେ ୬୪୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୩ରେ ପହଞ୍ଚିଛି। ଉପରୋକ୍ତ ୬ମୃତକଙ୍କ ମଧ୍ୟରୁ ୫ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ରାୟଗଡ଼ା, ଗଜପତି ଓ ଜଗତସିଂହପୁରରୁ ଜଣେ ଲେଖାଏଁ ମୃତ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ଭିତରେ କଟକର ଜଣେ ୨୬ ବର୍ଷୀୟା ମହିଳା ଅଛନ୍ତି, ଯିଏକି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଜଗତସିଂହପୁରର ଜଣେ ୫୮ ବର୍ଷିୟ ପୁରୁଷ ମୃତ୍ୟୁବରଣ କରିଛନ୍ତି ଯିଏକି କ୍ୟାନସରରେ ପୀଡ଼ିତ ଥିଲେ। ଠିକ୍ ସେହିପରି ଖୋର୍ଦ୍ଧାରେ ଜଣେ ୭୫ ବର୍ଷିୟ ଓ ରାୟଗଡ଼ାରେ ୭୪ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷରେ କେନ୍ଦ୍ରାପଡ଼ାର ଜଣେ ୬୩ ବର୍ଷିୟ ବୃଦ୍ଧ ଓ ଗଜପତିରେ ୬୮ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୬୪୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୪୩୧ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୧୬ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ସୂଚନା ଅନୁଯାୟୀ, ଆଜି ୨୩ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ରାଜ୍ୟରେ ମୋଟ୍ ୧୨,୯୦୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୭୧୫ ରହିଛି।

ସମ୍ବନ୍ଧିତ ଖବର